କଟକ : ୨୦୧୮ ବର୍ଷ ଆରମ୍ଭରେ ଭିଜିଲାନ୍ସ ଦୁର୍ନୀତି ବିରୋଧୀ ଅଭିଯାନକୁ ଜୋରଦାର କରିବା ସହ ପ୍ରଥମ ମାସରେ ୧୦ଟି ଟ୍ରାପ୍‌ କରି ଏକ ରେକର୍ଡ ହାସଲ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଏହି ସମୟ ମଧ୍ୟରେ ଏଗାର ଜଣଙ୍କୁ ଧରି ଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପ୍ରଥମ ଶ୍ରେଣୀ, ୫ ଜଣ ଦ୍ୱିତୀୟ ଶ୍ରେଣୀ ପାହ୍ୟାର ଅଫିସର। ଏହି ୧୧ଟି ଘଟଣାରେ ୧ ଲକ୍ଷ ୮୦ ହଜାର ୨୦୦ ଲାଞ୍ଚ ଟଙ୍କା ଜବତ କରାଯାଇଛି। ନ୍ୟାସନାଲ୍‌ ମିସନ୍‌ ଫର ପ୍ରୋଟିନ୍‌ ସପ୍ଲିମେଣ୍ଟ୍‌ (ଏନ୍‌ଏମ୍‌ପିଏସ୍‌), ବିଜୁ କୃଷକ ଯୋଜନା, ଇଏସ୍‌ଆଇ ପାଇଁ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଏହି ଅଧିକାରୀମାନେ ଧରା ପଡିଛନ୍ତି। ଜାନୁଆରି ମାସରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍‌ରେ ସର୍ବାଧିକ ଏ ସଂକ୍ରାନ୍ତରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁରରେ ୨ଟି ଏବଂ କଟକ, କୋରାପୁଟ, ଭୁବନେଶ୍ୱର, ସମ୍ବଲପୁରରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ଦିଆଯାଇଛି।