ଓଡ଼ିଶା ବିକାଶ କନ୍‌କ୍ଲେଭ-୨୦୧୮ : ବଦଳିବ ରାଜ୍ୟର ସମସ୍ତ ଆଇଟିଡିଏର ଢାଞ୍ଚା

ଭୁବନେଶ୍ୱର, : ରାଜ୍ୟରେ ଆଦିବାସୀଙ୍କ ସମସ୍ୟା ଏବଂ ଆଦିବାସୀ ବସବାସ କରୁଥିବା ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ତଦାରଖ କରିବା ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଦପ୍ତରରେ ନୂଆକରି ଏକ ‘ଆଦିବାସୀ ସେଲ୍‌’ ସ୍ଥାପନ ହେବ। ମହାରାଷ୍ଟ୍ର ପରେ ଏହା ଦେଶର ଦ୍ୱିତୀୟ ‘ଆଦିବାସୀ ସେଲ୍‌’ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଦେଶର ମହାରାଷ୍ଟ୍ର ରାଜ୍ୟପାଳଙ୍କ ଦପ୍ତରରେ ପ୍ରଥମ ‘ଆଦିବାସୀ ସେଲ୍‌’ କାର୍ଯ୍ୟ କରୁଛି। ଏ ନେଇ ରାଜ୍ୟ ସରକାରଙ୍କ ସ୍ତରରେ ପ୍ରସ୍ତୁତି କରାଯାଉଛି ବୋଲି ‘ତଫସିଲଭୁକ୍ତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ’ର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

ଆଜି ‘ତଫସିଲଭୁକ୍ତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ’ ସମ୍ମିଳନୀ କକ୍ଷରେ ଆୟୋଜିତ ‘ଓଡ଼ିଶା ବିକାଶ କନ୍‌କ୍ଲେଭ’ କାର୍ଯ୍ୟକ୍ରମରେ ପ୍ରଫେସର ଓତା କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଆଇଟିଡିଏଗୁଡ଼ିକର ଢାଞ୍ଚାଗତ ପରିବର୍ତ୍ତନ କରାଯିବ। ଆଇଟିଡିଏଗୁଡ଼ିକ ଇଞ୍ଜିନିୟରିଂ ବିଦ୍ୟାରେ ବେଶି ସମୟ ଦେଉଥିବାରୁ ଆଦିବାସୀଙ୍କ ପ୍ରକୃତ ସମସ୍ୟାଠାରୁ ଦୂରେଇ ଯାଉଛି। ଏହି ସଂସ୍ଥା ଆଦିବାସୀଙ୍କ ସାଂସ୍କୃତିକ ଓ ସାମାଜିକ ବିକାଶ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଲେ ଆଦିବାସୀମାନଙ୍କର ବିକାଶ ପ୍ରକ୍ରିୟା ଅଧିକ ତ୍ୱରାନ୍ଵିତ ହୋଇପାରିବ। ‘ଟ୍ରାଇବାଲ୍‌ ସେଲ୍‌ଫ ଗଭର୍ଣ୍ଣାନ୍ସ’ ଶୀର୍ଷକ ଆଲୋଚନାଚକ୍ରର ଉଦ୍‌ଯାପନୀ ଅଧିବେଶନରେ ‘ଅଗ୍ରଗାମୀ’ର ନିର୍ଦ୍ଦେଶକ ଅଚ୍ୟୁତ ଦାସ ଯୋଗ ଦେଇ ରାଜ୍ୟରେ ‘ପେସା’ ଆଇନ୍‌ ପ୍ରଚଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସନ୍ତୋଷ କୁମାର ଅମାତ ଏଥିରେ ଅନ୍ୟତମ ଆଲୋଚକ ଭାବେ ସାମିଲ ହୋଇ ଆଦିବାସୀ ନୀତିରେ ଥିବା ତ୍ରୁଟି ସଂପର୍କରେ ଉଲ୍ଲେଖ କରିଥିଲେ। ଅନ୍ୟ ଏକ ଅଧିବେଶନରେ ରାଜସ୍ୱ ପର୍ଷଦର ପୂର୍ବତନ ସଦସ୍ୟ ଅରବିନ୍ଦ ବେହେରା ରାଜ୍ୟରେ କାର୍ଯ୍ୟ କରୁଥିବା ଆଦିବାସୀ ଯୋଜନାଗୁଡ଼ିକର ରୂପାୟନ ଏବଂ ଆଦିବାସୀଙ୍କ ଅଧିକାର ସଂପର୍କରେ ଆଲୋକପାତ କରିଥିଲେ। ଏହି ଅଧିବେଶନରେ ଆଲୋଚକ ଭାବେ ହିମାଚଳପ୍ରଦେଶର ପୂର୍ବତନ ଅତିରିକ୍ତ ଶାସନ ସଚିବ ରାକେଶ ଶର୍ମା, ମହାରାଷ୍ଟ୍ର ରାଜ୍ୟପାଳଙ୍କ ଟ୍ରାଇବାଲ୍‌ ସେଲର ପ୍ରକଳ୍ପ ନିର୍ଦ୍ଦେଶକ ପରିମଳ ସିଂହ, ଆନ୍ଧ୍ର ପ୍ରଦେଶର ବିଶିଷ୍ଟ ଜନଜାତି ଗବେଷକ ତ୍ରିନାଧା ରାଓ, ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସର ଆସୋସିଏଟ୍‌ ପ୍ରଫେସର ବିପିନ ଜୋଜୋ ପ୍ରମୁଖ ଅଂଶଗ୍ରହଣ କରି ଆଦିବାସୀ ଅଞ୍ଚଳରେ କାର୍ଯ୍ୟ କରାଯାଉଥିବା ଯୋଜନା, ଆଦିବାସୀ ସଶକ୍ତିକରଣ, ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସଂପର୍କରେ ଆଲୋଚନା କରିଥିଲେ। ଆଜିର କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଆଲୋଚକ ଭାବେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ପୂର୍ବତନ ଆଡଭାଇଜରି ସଦସ୍ୟ ନିକୋଲାସ ବାର୍ଲା, ‘ତଫସିଲଭୁକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗର କମିଶନର ଆର୍‌. ରଘୁ ପ୍ରସାଦ, ପୁନେସ୍ଥିତ ‘ନ୍ୟାସନାଲ୍‌ ସେଣ୍ଟର ଫର୍‌ ଆଡଭୋକେସି’ର ନିର୍ଦ୍ଦେଶକ ପ୍ରବୀଣ ମହାଜନ, ‘ତଫସିଲଭୁକ୍ତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ’ର ନିର୍ଦ୍ଦେଶକ ପ୍ରଫେସର ଓତା, ବିଶିଷ୍ଟ ଆଦିବାସୀ ନେତ୍ରୀ ସୁମନି ଝୋଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର