ସତ୍ୟବ୍ରତ ପ୍ରଧାନ
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଅଧୀନରେ ଥିବା ଶଙ୍ଖାମେଦି ଗାଁ ଏବେ ପଶ୍ଚିମବଙ୍ଗ ମାନଚିତ୍ରରେ। ଓଡ଼ିଶା ଭୂଖଣ୍ଡରେ ଥିବା ଉକ୍ତ ଗାଁ’କୁ ରାଜ୍ୟ ସରକାର ସବୁପ୍ରକାର ସୁବିଧା ଦେଉଛନ୍ତି। ହେଲେ ବିଡ଼ମ୍ବନା, ଗାଁ’ରୁ ପଶ୍ଚିମବଙ୍ଗ ସରକାର ଭୂ-ରାଜସ୍ବ ଆଦାୟ କରୁଛି। ଗାଁ ଲୋକଙ୍କ ମନପ୍ରାଣ ସବୁ ଓଡ଼ିଶାରେ। ଓଡ଼ିଶା ଆମ ମା’, ଓଡ଼ିଆ ଆମ ମାତୃଭାଷା, ଆମେ ମା’ କୋଳରେ ରହିବାକୁ ଚାହୁଁ ବୋଲି ଶଙ୍ଖାମେଦି ଗ୍ରାମବାସୀ ବାରମ୍ବାର ନିବେଦନ କରୁଛନ୍ତି। ଅଥଚ ଶଙ୍ଖାମେଦି ଗାଁକୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।
୧୯୨୨ ମସିହା ମେଜର ସେଟଲ୍ମେଣ୍ଟ ରିପୋର୍ଟ ଆଧାରକ୍ରମେ ୧୯୨୭-୨୮ରେ ଯେଉଁ ନକ୍ସା ପ୍ରକାଶ ପାଇଥିଲା, ସେଥିରେ ଶଙ୍ଖାମେଦି ଗାଁ ଥିଲା ଓଡ଼ିଶାର। ୧୯୩୧ ମସିହାରୁ ୧୯୫୬ ଯାଏ, ଉକ୍ତ ଗାଁରୁ ଓଡ଼ିଶା ସରକାର ଖଜଣା ଆଦାୟ କରି ଆସୁଥିଲେ। କିନ୍ତୁ ୧୯୫୭ ମସିହାରୁ ଓଡ଼ିଶା ସରକାର ହଠାତ ଏହି ଗାଁରୁ ଖଜଣା ଆଦାୟ ବନ୍ଦ କରିଦେଲେ। ଏହାର ଠିକ୍ ବର୍ଷକ ପରେ ପଶ୍ଚିମବଙ୍ଗ ରାମନଗରସ୍ଥିତ କନିଷ୍ଠ ଭୂସଂସ୍କାର ଅଧିକାରୀ ଖଜଣା ପୈଠ କରିବାକୁ ଗ୍ରାମବାସୀଙ୍କୁ ନୋଟିସ୍ ଜାରିକଲେ। ହେଲେ ଗାଁ ଲୋକେ ଜିଦ୍ ଧରି କହିଥିଲେ, ଆମେ ଓଡ଼ିଶାର। ଖଜଣା ଓଡ଼ିଶା ସରକାରଙ୍କୁ ଦେବୁ। ୧୯୬୦ ମସିହାରେ ପଶ୍ଚିମବଙ୍ଗର ଅଧିକାରୀ ଗାଁକୁ ଆସି ବଳପୂର୍ବକ ଲୋକଙ୍କ ଘରେ ପଶିବା ସହ ଜମିଜମା ରେକର୍ଡ, ଓଡ଼ିଶା ନକ୍ସା ନେଇଗଲେ। ଏହି ଅନ୍ୟାୟ ବିରୋଧରେ ଭୋଗରାଇର ତତ୍କାଳୀନ ଲକ୍ଷ୍ମୀପାଟଣା ଫାଣ୍ଡିରେ ଶଙ୍ଖାମେଦି ଗ୍ରାମବାସୀ ଦ୍ବାରସ୍ଥ ହୋଇଥିଲେ। ମାତ୍ର ପୁଲିସ କିଛି ଶୁଣି ନଥିଲା। ସେହିଦିନରୁ ଦୀର୍ଘ ୬ ଦଶନ୍ଧି ଧରି ଉକ୍ତ ଗାଁର ମାଲିକାନା ପଶ୍ଚିମବଙ୍ଗ ସରକାରଙ୍କ ହାତକୁ ଚାଲିଯାଇଛି। କିନ୍ତୁ ଶଙ୍ଖାମେଦି ଗ୍ରାମବାସୀଙ୍କ ମନ ଓ ପ୍ରାଣ ଏବେ ବି ଓଡ଼ିଶାରେ। ନିଜ ରାଜ୍ୟ ଓଡ଼ିଶାରେ ରହିବା ପାଇଁ ୬୦ ଦଶକରୁ ସେମାନେ ସବୁପ୍ରକାର ଉଦ୍ୟମ କରି ଆସୁଛନ୍ତି। କିନ୍ତୁ ସେମାନଙ୍କର ଏହି ନ୍ୟାଯ୍ୟ ଦାବି ପୂରଣ ଦିଗରେ କୌଣସି ସ୍ତରରେ ପଦକ୍ଷେପ ନିଆଯାଉନାହିଁ ବୋଲି କହିଛନ୍ତି ଗ୍ରାମର ବରିଷ୍ଠ ନାଗରିକ ନାରାୟଣ ଜେନା ଓ ୱାର୍ଡସଭ୍ୟ ଅଜୟ ଜେନା।
୧୯୫୪ ମସିହାରୁ ଏହି ଗାଁରେ ଓଡ଼ିଶା ସରକାରଙ୍କ ଦ୍ବାରା ଏକ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇଛି। ଏବେ ଶଙ୍ଖାମେଦି ଗାଁର ଅଧିବାସୀ ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଓ ପଶ୍ଚିମବଙ୍ଗର ବାଧିଆ ପଞ୍ଚାୟତର ଭୋଟର ତାଲିକାରେ ଦ୍ବୈତ ଭୋଟର ଭାବେ ରହିଛନ୍ତି। ୧୯୯୦ରୁ ଏହି ଗାଁକୁ ଓଡ଼ିଶା ସରକାର ବିଜୁଳି ଯୋଗାଉଛନ୍ତି। ୨୦୧୮ ଅକ୍ଟୋବର ୨ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳ ଓ ପରିମଳ ମିସନ ପକ୍ଷରୁ ଏହି ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଭାବେ ଘୋଷଣା କରାଯାଇଛି। ଓଡ଼ିଶା ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଗାଁରେ ପୃଥକ୍ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଗ୍ରାମବାସୀ ରାସନ୍ ସାମଗ୍ରୀ ୨ ରାଜ୍ୟରୁ ପାଉଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗାଁରେ ପାନୀୟଜଳ ଓ ଗମନାଗମନ ସୁବିଧା କରାଯାଇଛି। ତେବେ ପଶ୍ଚିମବଙ୍ଗରୁ ଗ୍ରାମବାସୀ ବିଶେଷ ସୁବିଧା ପାଉ ନଥିଲେ ମଧ୍ୟ ଓଡ଼ିଶା ସରକାର ଯେତିକି ସହାୟତା ଯୋଗାଉଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ପ୍ରାକ୍ତନ ୱାର୍ଡସଭ୍ୟା ଗୌରୀରାଣୀ ଜେନା। ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଜାତି ପ୍ରମାଣପତ୍ର ମିଳୁନଥିବା ମଧ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଫଳରେ ଓଡ଼ିଆ ସ୍କୁଲରେ ଉପସ୍ଥାନ କମି କମି ଆସୁଛି।
୨୦୧୧ ମସିହା ମେ ମାସ ୯ ତାରିଖରେ ଶଙ୍ଖାମେଦି ପ୍ରାଥମିକ ବିଦ୍ୟାଳୟ ନୂଆ ଘର ଉଦ୍ଘାଟନ ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସୁରେନ୍ଦ୍ରନାଥ ନାୟକ ଯୋଗ ଦେଇ ଶଙ୍ଖାମେଦି ଓଡ଼ିଶାର ବୋଲି କହିଥିଲେ। ୨୦୦୫ ମସିହାରେ ତତ୍କାଳୀନ ଓଡ଼ିଶା ସରକାରଙ୍କ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଭୋଗରାଇ ଗସ୍ତରେ ଆସିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ନାରାୟଣ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ସଂପୃକ୍ତ ଗାଁକୁ ଓଡ଼ିଶାକୁ ଫେରାଇ ଆଣିବାକୁ ପଦକ୍ଷେପ ନେବା ଲାଗି ଦାବି ଉପସ୍ଥାପନ କରିଥିଲେ। ସେହିପରି ୯୦ ଦଶକରେ ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତତ୍କାଳୀନ ରାଜସ୍ୱମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦାମୋଦର ରାଉତ ଶଙ୍ଖାମେଦି ଗାଁକୁ ଯାଇ ଲୋକଙ୍କ ଆପତ୍ତି, ଅଭିଯୋଗ ଶୁଣିଥିଲେ। ୨୦୦୧ରେ ତତ୍କାଳୀନ ରାଜସ୍ୱମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ବାଲେଶ୍ବର ଜିଲ୍ଲାପାଳ ତଥା ଅନ୍ୟ ପଦାଧିକାରୀଙ୍କ ଗହଣରେ ସମୀକ୍ଷା କରି ଏହି ଗାଁର ସବିଶେଷ ବିବରଣୀ ନେବା ସହ ଶଙ୍ଖାମେଦିକୁ ଓଡ଼ିଶାକୁ ଫେରାଇ ଅଣାଯିବ ବୋଲି କହିଥିଲେ। ମାତ୍ର ଦୁର୍ଭାଗ୍ୟ, ଶଙ୍ଖାମେଦିକୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/gdjgjddgyjjyy.jpg)