ପଶ୍ଚିମବଙ୍ଗରେ ଭୋଟ୍‌ ଦେଲେ ଓଡ଼ିଶା ଭୋଟର୍‌

ଦେଉଳା: ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନଳିଆ ପଞ୍ଚାୟତ ଶଙ୍ଖାମେଦୀ ଗ୍ରାମର ୨୫୦ରୁ ଅଧିକ ଭୋଟର୍‌ ଶନିବାର ପଶ୍ଚିମବଙ୍ଗ କଣ୍ଟେଇ ଲୋକସଭା ନିର୍ବାଚନରେ ଭୋଟ୍‌ ଦେଇଛନ୍ତି। ସେମାନେ ପଶ୍ଚିମ ସନ୍ତେଶ୍ୱରପୁର ଓ ବାଗ ବ୍ରଜକିଶୋର ପ୍ରାଥମିକ ବିଦ୍ୟାଳୟ ବୁଥ୍‌ରେ ମତଦାନ କରିଥିବା ବେଳେ ଶଙ୍ଖାମେଦୀ ୱାର୍ଡସଭ୍ୟା ଜ୍ୟୋସ୍ନା ଜେନା ଏହା ସତ ବୋଲି କହିଛନ୍ତି। ଅନ୍ୟପଟେ ସଂପୃକ୍ତ ଭୋଟରମାନେ ଆସନ୍ତା ୧ ତାରିଖରେ ବାଲେଶ୍ବର ଲୋକସଭା ଓ ଭୋଗରାଇ ବିଧାନସଭା ନିର୍ବାଚନ ପାଇଁ ଅନଳିଆ (ପୂର୍ବ) ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟ ବୁଥ୍‌ରେ ଭୋଟ୍‌ ଦେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ; ୧୯୨୭ ଭୂ-ବନ୍ଦବୋସ୍ତ ନକ୍ସା ଅନୁସାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ଅନଳିଆ ପଞ୍ଚାୟତ ଶଙ୍ଖାମେଦୀ ଗାଁ ଓଡ଼ିଶା ସରକାରଙ୍କ ଅଧୀନରେ ଥିଲା। ୧୯୫୬ ମସିହା ପର୍ଯ୍ୟନ୍ତ ଗ୍ରାମବାସୀ ଓଡ଼ିଶା ସରକାରଙ୍କୁ ଭୂ-ରାଜସ୍ୱ ପୈଠ କରୁଥିଲେ। ତେବେ ୧୯୬୦ ମସିହା ପରଠାରୁ ରାଜ୍ୟ ସରକାର ଗାଁରୁ ରାଜସ୍ୱ ନେବା ବନ୍ଦ କରିଦେଲେ। ଅନ୍ତଃରାଜ୍ୟ ସୀମାରେ ଥିବା ଉକ୍ତ ଗାଁ’ର ଲୋକମାନେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାରୁ ଲାଭ ପାଉଥିବା ବେଳେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦେଇଛନ୍ତି। ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ପାଇଁ ଶଙ୍ଖାମେଦୀ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ନିକଟରେ ବାରମ୍ବାର ଦାବି କରୁଛନ୍ତି। ହେଲେ କିଛି ଫଳ ମିଳୁନି। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ଗ୍ରାମବାସୀଙ୍କୁ ଭୋଟର୍‌ ପରିଚୟପତ୍ର ଦେଇଛନ୍ତି। ଫଳରେ ନିର୍ବାଚନ ଆସିଲେ ଶଙ୍ଖାମେଦୀ ଗ୍ରାମବାସୀ ପଶ୍ଚିମବଙ୍ଗ କଣ୍ଟେଇ ଲୋକସଭା ସହିତ ରାମନଗର ବିଧାନସଭା ନିର୍ବାଚନ ଓ ଓଡ଼ିଶାର ବାଲେଶ୍ବର ଲୋକସଭା ଏବଂ ଭୋଗରାଇ ବିଧାନସଭା ନିର୍ବାଚନରେ ଭୋଟ୍‌ ଦେଉଛନ୍ତି।

ସମ୍ବନ୍ଧିତ ଖବର