କୋଟପାଡ଼: ନଦୀ ଓ ପାଣି ଓଡ଼ିଶାର। କିନ୍ତୁ ନଦୀଜଳରେ ହସୁଛି ଛତିଶଗଡ଼ର କ୍ଷେତ। ଶୁଖିଲା ପଡ଼ିଛି ଓଡ଼ିଶା ଜମି। ଆଡ଼ିବନ୍ଧ ଯୋଗୁ ଛତିଶଗଡ଼କୁ ସମସ୍ତ ପାଣି ପ୍ରବାହିତ ହେଉଥିବାରୁ ଓଡ଼ିଶାର ୪୦୦ରୁ ଊର୍ଦ୍ଧ୍ବ ଏକର ଜମିରେ ଫସଲ ଉଜୁଡ଼ିବାକୁ ବସିଲାଣି। ଯାହାର ଦୃଢ଼ ପ୍ରତିବାଦ କରିଛି ବିଜେଡି। ସ୍ଥାନୀୟ ଚାଷୀଙ୍କ ସହାୟତାରେ ନଦୀରେ ବନ୍ଧା ଯାଇଥିବା ଆଡ଼ିବନ୍ଧକୁ ଭାଙ୍ଗିଛନ୍ତି ଦଳର ନେତା ଓ କର୍ମୀ। ଚେତାବନୀ ଦେଇଛନ୍ତି ଛତିଶଗଡ଼ର ଦାଦାଗିରି ଚଳିବ ନାହିଁ। ବିଧାନସଭାରେ ଓଡ଼ିଶା ସରକାରଙ୍କ ପଡ଼ୋଶୀ ପ୍ରୀତିକୁ ପ୍ରସଙ୍ଗ କରାଯିବ। ସରକାର ନ ଚେତିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋର୍ଦାର କରାଯିବ।
କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁରରୁ ବାହାରିଛି ଇନ୍ଦ୍ରାବତୀ ନଦୀ। ନବରଙ୍ଗପୁର ଦେଇ କୋରାପୁଟ ଜିଲ୍ଲାର କୋଟପାଡ଼ ପର୍ଯ୍ୟନ୍ତ ଆସିବା ପରେ ଛତିଶଗଡ଼କୁ ପ୍ରବାହିତ ହୋଇଛି। କୋଟପାଡ଼ ବ୍ଲକର ଶୁତିପଦରରେ ଏହି ନଦୀ ଦୁଇ ଭାଗରେ ବିଭକ୍ତ ହୋଇଛି। ଇନ୍ଦ୍ରାବତୀ ଛତିଶଗଡ଼କୁ ପ୍ରବାହିତ ହୋଇଥିବା ବେଳେ ଶାଖା ନଦୀ ଭାବେ ସୃଷ୍ଟି ହୋଇଛି ଜଅଁରା। ଯାହା କୋଟପାଡ଼ ବ୍ଲକର ୭ଟି ପଞ୍ଚାୟତର ୨ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିକୁ ଜଳସେଚିତ କରୁଛି। ଜଅଁରା ନଦୀ ୭ଟି ପଞ୍ଚାୟତ ଦେଇ ପ୍ରବାହିତ ହେବା ପରେ ଭଂସଲୀ ନିକଟରେ କୋଲାବ ନଦୀରେ ମିଶିଛି। ତେବେ ଏହି ନଦୀକୂଳରେ କୋଟପାଡ଼ ବ୍ଲକର ଧାମଣାହାଣ୍ଡି, ଶୁତିପଦର, ଚାନ୍ଦିଲି, ମୂର୍ତାହାଣ୍ଡି, ଛତରଲା, ଭସଁଲି, ଏସ୍ବି ନୂଆଗାଁ ପଞ୍ଚାୟତର ଚାଷ ଜମି ରହିଛି। ଏହି ଅଞ୍ଚଳର ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ନଦୀକୂଳରେ ଉଠା ସେଚ ପ୍ରକଳ୍ପ ଖୋଳି ଧାନ, ମକା, ଆଖୁ, ପନିପରିବା ଚାଷ କରୁଛନ୍ତି। ନଦୀଜଳ ବ୍ୟବହାରକୁ ନେଇ ବହୁ ପୂର୍ବରୁ ବିବାଦ ଲାଗି ରହିଥିବା ବେଳେ ୨୦୦୩ ଚୁକ୍ତିନାମା ଅନୁସାରେ ଓଡ଼ିଶା-ଛତିଶଗଡ଼ ୫୦:୫୦
ଅନୁପାତରେ ଜଳ ବ୍ୟବହାର ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗତ କିଛି ଦିନ ହେଲା କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଛତିଶଗଡ଼ ସରକାରଙ୍କ ନିର୍ଦ୍ଦେଶରେ ଶୁତିପଦର ନିକଟରେ ବାଲି ବସ୍ତା ପକାଇ ଆଡ଼ି ବନ୍ଧ ପକାଇ ନଦୀକୁ ଅବରୋଧ କରାଯାଇଛି। ଫଳରେ ଇନ୍ଦ୍ରାବତୀରୁ ଜଅଁରାକୁ ପାଣି ଆସିବା ବଦଳରେ ସମସ୍ତ ପାଣି ଛତିଶଗଡ଼କୁ ବୋହି ଯାଉଛି।
ପାଣି ଅଭାବରୁ ଜଅଁରା ଶୁଖିଲା ପଡ଼ିଥିବାରୁ ନଦୀକୂଳରେ ନିର୍ମାଣ ହୋଇଥିବା ଅଧିକାଂଶ ଉଠା ପ୍ରକଳ୍ପ ଏବେ ଅଚଳ ଅବସ୍ଥାରେ। ଏକର ଏକର ଜମିରେ ଲାଗିଥିବା ଫସଲ ପ୍ରବଳ ଖରାରେ ଜଳପୋଡ଼ି ନଷ୍ଟ ହେବାକୁ ବସିଲାଣି। ଛତିଶଗଡ଼ ସରକାରଙ୍କ ମନମୁଖୀ କାର୍ଯ୍ୟକଳାପକୁ ସ୍ଥାନୀୟ ଚାଷୀ ବିରୋଧ କରିବା ପରେ ବି କୌଣସି ସୁଫଳ ନ ମିଳିବାରୁ ଚାଷୀଙ୍କୁ ହକ୍ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଛି ବିଜେଡି। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ଦଳ ଆଡ଼ିବନ୍ଧ ସ୍ଥାନକୁ ଯାଇ ତୀବ୍ର ବିରୋଧ କରିଛନ୍ତି। ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ପ୍ରଭୁ ଜାନି, ପ୍ରିତମ ପାଢ଼ୀ, ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ଦୁରପୁତା ଭତ୍ରା, ବରିଷ୍ଠ ବିଜେଡି ନେତା ମୁନା ରଥ, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଜଅଁରା ବଞ୍ଚାଓ ସଂଘର୍ଷ ସମିତି ସଭାପତି ପଙ୍କଜ କୁମାର ପାତ୍ର, ଉପସଭାପତି ପ୍ରଦୀପ ବକ୍ସି, ଜ଼ିଲ୍ଲା ପାଣି ପଞ୍ଚାୟତ ସଭାପତି ବାଳକୃଷ୍ଣ ବିଶୋଇ, ବ୍ଲକ ଅଧ୍ୟକ୍ଷା କମଳା ଭତ୍ରା, ବ୍ଲକ ଉପାଧ୍ୟାକ୍ଷ ତପନ ପାଣିଗ୍ରାହୀ, ସୁଧୀର ମହାନ୍ତି ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିବା ପରେ ଚାଷୀଙ୍କ ସହ ଆଡ଼ିବନ୍ଧ ଭାଙ୍ଗି ଜଅଁରାକୁ ପାଣି ଛାଡ଼ିଥିଲେ। ସବୁଠୁ ବଡ଼ କଥା ହେଲା ନବରଙ୍ଗପୁର ଇନ୍ଦ୍ରାବତୀ ଡିଭିଜନ୍ ଛତିଶଗଡ଼ର ଏହି ପ୍ରକଳ୍ପକୁ ସମର୍ଥନ କରୁଛି। ରାଜ୍ୟ ସରକାର ଆଡ଼ିବନ୍ଧ ନିର୍ମାଣ କରିଥିବା ନେଇ ବିଭାଗୀୟ ଯନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ବିଜେଡି ତୀବ୍ର ନିନ୍ଦା କରିଛି। ଚାନ୍ଦିଲି ସରପଞ୍ଚ ପୁଷ୍ପା ପୂଜାରୀ, ଶୁତିପଦର ସରପଞ୍ଚ ସୁମିତ୍ରା ସମରଥ, ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ, ଏମ୍. ଡି. ସଲିମ୍, ଏମ୍. ଡି. ଅରିଫ ପ୍ରମୁଖ ଛତିଶଗଡ଼ ସରକାରଙ୍କ ମନମୁଖୀ କାର୍ଯ୍ୟ କଳାପର ଦୃଢ଼ ବିରୋଧ କରିଛନ୍ତି।