ବାଲେଶ୍ବର : ସୁବର୍ଣ୍ଣରେଖା ନଦୀରେ ବାଲି ଉତ୍ତୋଳନ ନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ଏନଜିଟିଙ୍କ ନିର୍ଦ୍ଦେଶକ୍ରମେ ଏବେ ଉଭୟ ରାଜ୍ୟ ସମାଧାନ ଦିଗରେ ଅଗ୍ରସର ହେଉଛନ୍ତି। ଗତମାସ ୨୫ତାରିଖରେ ଏନେଇ ପଶ୍ଚିମବଙ୍ଗରେ ଉଭୟ ରାଜ୍ୟର ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା ବୈଠକ ହୋଇଯାଇଥିବା ବେଳେ ଆଜି ପୁଣିଥରେ ବାଲେଶ୍ବର ସର୍କିଟ ହାଉସ୍ରେ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ପଶ୍ଚିମବଙ୍ଗର ଏହି ୪ ଜଣିଆ ବୈଷୟିକ ଟିମ୍ ପହଞ୍ଚିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ଓଡ଼ିଶା ପକ୍ଷରୁ ଲ୍ୟାଣ୍ଡ ରେକର୍ଡସ୍ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିଗମାନନ୍ଦ ପଣ୍ଡା, ଅତିରିକ୍ତ ଉପଜିଲ୍ଲାପାଳ ତଥା ଜିଲ୍ଲା ବନ୍ଦୋବସ୍ତ ଅଧିକାରୀ କିଶୋର ଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିବା ବେଳେ ପଶ୍ଚିମବଙ୍ଗ ପକ୍ଷରୁ ସର୍ଭେ ଅଫିସର ସମର କୁମାର ଦାସ, ଜିଆଇଏସ୍ କନସଲଟାଣ୍ଟ୍ ତନ୍ମୟ ଦାସ, ସୁବର୍ଣ୍ଣରେଖା ରିଭର ଲାଇନର ମୁଖ୍ୟ ସର୍ଭେ ଅଧିକାରୀ ବିକାଶ ରାୟ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ସୁବର୍ଣ୍ଣରେଖା ନଦୀରେ ବାଲି ଉତ୍ତୋଳନ ନେଇ ଉଭୟ ରାଜ୍ୟ ମଧ୍ୟରେ ରହିଥିବା ଜାଗା ବିବାଦ ତୁଟୁନଥିବା ବେଳେ ଆଜିର ଆଲୋଚନାରୁ କିଛି ସମାଧାନର ବାଟ ଫିଟିବ ବୋଲି ଆଶା କରାଯାଉଥିଲା। ହେଲେ ବୈଠକରେ ଆଜି ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିବା ବେଳେ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଜଳେଶ୍ୱର ତହସିଲ ତଥା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଉପକୂଳ ବିଳାଶପୁର, ଗୋପାଳପୁର, ମାକିଡ଼ିଆ, କୁଅଁରପୁର, ତୋଟାପଡ଼ା, ବେହେରା ସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକ୍ରମପୁର ଭଳି ୯ଟି ଗାଁ ରହିଥିବା ବେଳେ ସେଠାରେ ବାଲି ଉତ୍ତୋଳନକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବାରମ୍ବାର ବିବାଦ ଦେଖିବାକୁ ମିଳିଥିଲା। ସେହିପରି ପଶ୍ଚିମବଙ୍ଗ ପଟେ ମଧ୍ୟ ୧୩ଟି ଗାଁ ଏହି ବିବାଦ ମଧ୍ୟକୁ ଟାଣିହୋଇଛି। ଏବେ ସେଗୁଡ଼ିକରେ ଉଭୟ ରାଜ୍ୟର ପ୍ରଶାସନ ଏବଂ ବୈଷୟିକ ଟିମ୍ ନିଜ ନିଜ ଅଞ୍ଚଳରେ ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ଏବଂ ଆଡିସନାଲ ରେଫରେନ୍ସ ପଏଣ୍ଟ ଚିହ୍ନଟ କରିଛନ୍ତି। ଓଡ଼ିଶା ପଟେ ୩୫ଟି ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ଚିହ୍ନଟ ହୋଇଥିବା ବେଳେ ୬୨ଟି ଆଡିସନାଲ ରେଫରେନ୍ସ ପଏଣ୍ଟ ଚିହ୍ନଟ କରାଯାଇଛି। ସେହିପରି ପଶ୍ଚିମବଙ୍ଗ ପଟେ ୬୮ଟି ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ଏବଂ ୨୧ଟି ଆଡିସନାଲ ରେଫରେନ୍ସ ପଏଣ୍ଟ ଚିହ୍ନଟ ହୋଇଛି। ସେଗୁଡ଼ିକର ରେକର୍ଡ ଆଜି ମିଳିତ ବୈଠକରେ ଉଭୟ ପକ୍ଷର ପ୍ରଶାସନିକ ଅଧିକାରୀ ଏବଂ ବୈଷୟିକ ଟିମ୍ ଏକ୍ସଚେଞ୍ଜ ମାଧ୍ୟମରେ ଯାଞ୍ଚ୍ କରିଥିଲେ। ଏଥିସହ ରେକର୍ଡ ଠିକ୍ ଅଛିକି ନାହିଁ ତାହା ୨୦୨୦-୨୧ରେ ହୋଇଥିବା ସାଟେଲାଇଟ୍ ମାନଚିତ୍ର ସହ ମିଶାଯାଇଥିଲା। ଏହା ସରିବା ପେର ଗୋଟିଏ କମନ ଆଗ୍ରିଡିଏବଲ୍ ଭର୍ଚୁଆଲ ଲାଇନ୍ କୋଅଡିନେଟ୍ସ ବାହାରିବ। ସେହି ଅନୁଯାୟୀ ଉଭୟ ରାଜ୍ୟ ନିଜ ନିଜ ଜାଗାରେ ପିଲାର ପୋଷ୍ଟିଂ କରିବେ।
ତେବେ ଆଜି ଏହି କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଜି ମାତ୍ର ୩ଟି ଗାଁକୁ ନେଇ ଯାଞ୍ଚ୍ ଶେଷ ହୋଇଥିବା ବେଳେ ଆହୁରି ୨/୩ଟି ବୈଠକ ହେଲେ ଯାଇ ଏହା ସମ୍ପୂର୍ଣ୍ଣ ହୋଇପାରିବ। ତେବେ ଏହା ଆସନ୍ତା ସପ୍ତାହରେ ଡକାଯାଇଥିବା ବୈଠକରେ ଜଣାପଡ଼ିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/WhatsApp-Image-2021-03-02-at-21.55.18-1.jpeg)