ଉପକୂଳରେ ଝଡ଼ବର୍ଷା, ପଶ୍ଚିମରେ ତାତି

ଭୁବନେଶ୍ୱର : ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଜାରି ରହିବ ଝଡ଼ବର୍ଷା। ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକ ଉପରେ ବି କାଳବୈଶାଖୀର ପ୍ରଭାବ ରହିବ। ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୫୦ରୁ ୬୦ କି.ମି. ବେଗରେ ପବନ ହେବ। ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତା ୧୭ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଢେଙ୍କାନାଳ, କଟକ, ଖୋର୍ଧା, ନୟାଗଡ଼, ପୁରୀ, ଅନୁଗୁଳରେ ଝଡ଼ବର୍ଷାର ପୂର୍ବାନୁମାନ କରାଯାଇଛି। ଅପରାହ୍ଣରେ ପାଗ କୋହଲା ରହିବା ସହ ପବନର ବେଗ ବଢ଼ିବ। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ବି ସତର୍କ ସୂଚନା ଜାରି ହୋଇଛି। ୨୧ ତାରିଖ ଲାଗି ୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଏଥିପ୍ରତି ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ବଢ଼ିବ। ସମସ୍ତ ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବାର ସମ୍ଭାବନା ରହିଛି। କାଁ ଭାଁ ବର୍ଷା ହୋଇପାରେ।

ଆଜି ପୁଣିଥରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିଛି। ସୋନପୁରରେ ରାଜ୍ୟର ସର୍ବେଚ୍ଚ ତାପମାତ୍ରା ୪୧.୨ ଡିଗ୍ରି ରେକର୍ଡ କରାଯାଇଛି। ଭବାନୀପାଟଣା ଓ ବଲାଙ୍ଗୀରେ ୪୧ ଡିଗ୍ରି ରହିଥିବା ବେଳେ ମାଲକାନଗିରିରେ ୪୦.୪, ଟିଟିଲାଗଡ଼ ଓ ଝାରସୁଗୁଡ଼ାର ତାପମାତ୍ରା ୪୦ ଡିଗ୍ରି ଲେଖାଏ ରହିଥିଲା। ରାତିରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ାରେ ଅପରାହ୍ଣରେ ହାଲ୍‌କା ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର