୨୩ରୁ ତାତିରୁ ଆଶ୍ୱସ୍ତି

ଭୁବନେଶ୍ୱର : ମେ’ ୨୩ରୁ କମିପାରେ ତାତି। ପଶ୍ଚିମ ଓଡ଼ିଶାରେ ଆକାଶ ମେଘୁଆ ରହିବ। ତାପମାତ୍ରା ମଧ୍ୟ ଧୀରେ ଧୀରେ କମିବ। ୨୫ ତାରିଖ ବେଳକୁ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିବ। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ଉପକୂଳ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ ଅଧିକ କମିବାର ଆଶଙ୍କା ରହିଛି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମେ’ ୨୯ ବେଳକୁ ମୌସୁମୀ କେରଳ ଛୁଇଁବ। ଏହାପୂର୍ବରୁ ପାଗରେ କିଛିଟା ପରିବର୍ତନ ଆସିବାର ସମ୍ଭାବନା ରହିଛି। ସପ୍ତାହକ ପୂର୍ବରୁ ତାତି ହ୍ରାସ ପାଇବା ସହ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ କିନ୍ତୁ କାଳବୈଶାଖୀ ପ୍ରଭାବ ଜାରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବଜ୍ରପାତର ବି ଆଶଙ୍କା ରହୁଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଉପକୂଳରେ କାଳବୈଶାଖୀ ଜାରି ରହିବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ୫୦ରୁ ୬୦ କି.ମି. ବେଗରେ ପବନ ହେବାର ଆଶଙ୍କା ରହିଛି। ପଶ୍ଚିମ ଓଡ଼ିଶାରେ କିନ୍ତୁ ତାତି ଜାରି ରହିବ। ତାପମାତ୍ରା ୪୦ ଡିଗ୍ରି ଆଖପାଖରେ ରହିବ। ୨୩ ତାରିଖ ପରେ କିଛିଟା ପରିବର୍ତନ ହୋଇପାରେ।

ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ୨୮ ମିମି ବର୍ଷା ହୋଇଥିବା ବେଳେ କୋରାପୁଟ. ଭବାନୀପାଟଣା, ଟିଟିଲାଗଡ଼ରେ ହାଲକା ବର୍ଷା ହୋଇଛି। ୮ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସୋନପୁରରେ ୪୧.୮, ମାଲକାନଗିରିରେ ୪୧.୪, ବଲାଙ୍ଗୀରରେ ୪୧, ସମ୍ବଲପୁରରେ ୪୦.୭, ଝାରସୁଗୁଡ଼ାରେ ୪୦.୬, ତାଳଚେରରେ ୪୦.୧, ଭବାନୀପାଟଣାରେ ୪୦ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର