ମୌସୁମୀ ଉଭାନ୍‌ : ୪୮ ଘଣ୍ଟା ଯାଏ କାଳବୈଶାଖୀ

ଭୁବନେଶ୍ୱର : ଓଡ଼ିଶା ଛାଡ଼ିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବା ପରେ ଉଭାନ ହୋଇଯାଇଛି ମୌସୁମୀ। ସପ୍ତାହକ ଯାଏ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ୪୮ ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ। ୧୪ ଓ ୧୫ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଝଡ଼ବର୍ଷା ହୋଇପାରେ। ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ଗୁରୁବାର ଅପରାହ୍ନରେ ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡ଼ା ଓ ମୟୂରଭଞ୍ଜରେ କାଳବୈଶାଖୀ ସହ ବଜ୍ରପାତର ଆଶଙ୍କା ରହୁଛି। କଟକ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ସୁନ୍ଦରଗଡ଼ରେ ବର୍ଷା ହୋଇପାରେ। ଶୁକ୍ରବାର ବର୍ଷାର କୌଣସି ସମ୍ଭାବନା ନାହିଁ। କିନ୍ତୁ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢ଼େଙ୍କାନାଳ, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତ ହୋଇପାରେ। ମତ୍ସ୍ୟଜୀବୀମାନଙ୍କ ପାଇଁ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି ହୋଇଛି। ଏହି ସମୟରେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୪୧ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର