ଲୁଚକାଳି ଖେଳୁଛି ମୌସୁମୀ : ଲଘୁଚାପ ସମ୍ଭାବନା କ୍ଷୀଣ, ମୌସୁମୀ ଦୁର୍ବଳ; ବର୍ଷା କମିବ, ଚିନ୍ତାରେ ଘାରିହେଲେଣି ଚାଷୀ

ଭୁବନେଶ୍ୱର : ଓଡ଼ିଶା ସହ ଲୁଚକାଳି ଖେଳୁଛି ମୌସୁମୀ। କେତେବେଳେ ଆସୁଛି ତ ପୁଣି କେତେବେଳେ ଗାଏବ୍‌ ହୋଇଯାଉଛି। ୧୫ରୁ ଅଧିକ ଦିନ ହେଲା ମୌସୁମୀର ଏଭଳି ଲୁଚକାଳି ଖେଳ ଚାଷୀଙ୍କ ପାଇଁ କାଳ ହେଲାଣି। ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଚାଷୀ। କ’ଣ କରିବେ? କେମିତି ଧାନ ଚାଷ କରିବେ? ତଳି ବୁଣିବେ କି ନାହିଁ? ଏମିତି ଦ୍ୱନ୍ଦ୍ୱରେ ରହୁଛନ୍ତି ଚାଷୀ।

ଯଦିଓ ଠାଏ ଠାଏ ବର୍ଷା ହେଉଛି ତାହା କୌଣସି କାମରେ ଲାଗୁନି। ନା ଧାନ ଜମିରେ ପାଣି ରହୁଛି ନା ତଳି ପକାଇବାକୁ ପାଗ ଦେଉଛି। ଯଦି ଠିକ୍‌ ସମୟରେ ମୌସୁମୀ ବର୍ଷା ହୋଇଥା’ନ୍ତା, ତେବେ ଧାନ ବୁଣାଯାଇଥିଲେ ଏତେ ବେଳକୁ ୨୦ ଦିନର ହୋଇଥା’ନ୍ତା। କିନ୍ତୁ ସାରା ରାଜ୍ୟରେ ଏବେ ଧାନ ଜମି ପଡ଼ିଆ। କେଉଁଠି ବି ଧାନ କାର୍ଯ୍ୟ ହୋଇପାରୁନି। ସବୁଠି ହାତ ବାନ୍ଧି ବସିଛନ୍ତି ଚାଷୀ।

ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା ଜୁନ୍‌ ୨୩ରୁ ୨୫ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହେବ। ତାହା ବି ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ମଧ୍ୟ କ୍ଷୀଣ। ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଅବଶ୍ୟ ବର୍ଷାର ଆକଳନ କରାଯାଉଛି। ହେଲେ ତାହା ଚାଷ ପାଇଁ ସେତେଟା ଅନୁକୂଳ ହେବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ମୌସୁମୀ ପ୍ରବାହ ହୋଇପାରେ। ତା’ ପ୍ରଭାବରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଜୁନ୍‌ ୨୬ରୁ ଜୁଲାଇ ୧ ମଧ୍ୟରେ ବର୍ଷାର ପରିମାଣ ଅଧିକ ରହିବ। ୨୭ ଓ ୨୮ ତାରିଖରେ ଉତ୍ତର ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍‌ ୨୮ରୁ ୨୯ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କୁଳପତି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ ଆକଳନ କରିଛନ୍ତି ଯେ ଆଗକୁ ବିଶେଷ ବର୍ଷା ନାହିଁ। ଗତ ୨୧ ତାରିଖ ସୁଦ୍ଧା ରାଜ୍ୟରେ ୩୫% କମ୍‌ ବର୍ଷା ରହିଥିଲା। ଆଗକୁ ଏହି ପରିମାଣ ବଢ଼ିବ। ବର୍ଷାର ଅଭାବ ହୋଇପାରେ। ଚଳିତ ମାସ ଶେଷ ସୁଦ୍ଧା ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପରିମାଣ ସ୍ୱଳ୍ପ ରହିବ। ପ୍ରାୟ ୫୦ ମି.ମି.ରୁ ଅଧିକ ହେବାର ସମ୍ଭାବନା କ୍ଷୀଣ। ଉପକୂଳବର୍ତୀ ଅଞ୍ଚଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ, ଯାହାକି ୭୦ ମି.ମି. ମଧ୍ୟରେ ରହିବ। ଉତ୍ତର ସୀମାନ୍ତ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଅନ୍ୟାନ୍ୟ ଜିଲ୍ଲାରେ ହାଲକାରୁ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି ଯେ ବର୍ତମାନ ରାଜ୍ୟକୁ ପଶ୍ଚିମା ପବନ ବୋହୁଛି। ଦକ୍ଷିଣା-ପଶ୍ଚିମ ପବନ ଏପର୍ଯ୍ୟନ୍ତ ସକ୍ରିୟ ହୋଇନାହିଁ। ଦକ୍ଷିଣ-ପଶ୍ଚିମା ମୌସୁମୀ ବାୟୁ ରାଜ୍ୟକୁ ବୋହିବା ଦ୍ୱାରା ମେଘ ସୃଷ୍ଟି କରିଥାଏ ଓ ବର୍ଷା ହୁଏ। ହେଲେ ବର୍ତମାନ ତଳ ସ୍ତରୀୟ ମେଘ ସୃଷ୍ଟି ହୋଇପାରୁ ନାହିଁ। ତେଣୁ ବର୍ଷା ନାହିଁ। ୨୬ ତାରିଖ ବେଳକୁ ମୌସୁମୀ ଜନିତ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ତେବେ ତାହା ସମ୍ପୂର୍ଣ୍ଣ ରୂପ ନେବ ନାହିଁ। ସେହିପରି ବଙ୍ଗୋପସାଗରରେ ନିକଟରେ ଲଘୁଚାପ ସୃଷ୍ଟି ହେବାର ଲକ୍ଷଣ ଦେଖାଯାଉ ନ ଥିବା ସେ କହିଛନ୍ତି।

ସମ୍ଭାବ୍ୟ ବର୍ଷାର ଚିତ୍ରପଟକୁ ଦେଖି ଓୟୁଏଟି ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ଚାଷୀମାନେ ଢିପ ଜମିରେ ହରଡ଼, ଚିନାବାଦାମ, ରାଶି, ମକା ଆଦି ଫସଲ କରନ୍ତୁ। ଧାନ କରନ୍ତୁ ନାହିଁ। ମଧ୍ୟମ କିସମ ଜମିରେ ୧୨୦ ଦିନିଆ ଧାନ କରିବା ଉଚିତ। ଲଲାଟ, ବୀଣା-୧୧ କିସମ କରିବା ଦ୍ୱାରା ଅଧିକ ଅମଳ କିସମ ‘ସ୍ୱର୍ଣ୍ଣ’ ପରି ଅମଳ ହୋଇପାରିବ।

ସମ୍ବନ୍ଧିତ ଖବର