ଦୁଇ ଦିନ ଥଣ୍ଡା, ପୁଣି ଗରମ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ଯୋଗୁଁ ଗତ କିଛି ଦିନ ହେଲା ରାଜ୍ୟରେ କମ୍‌ ଶୀତ ଅନୁଭୂତ ହେଉଥିବାବେଳେ ଆଜିଠାରୁ ପୁଣି ଥଣ୍ଡା ବଢ଼ିଛି। ବାୟୁମଣ୍ଡଳରେ ଜଳୀୟ ବାଷ୍ପ କମ୍‌ ଥିବାରୁ ଶୀତ ବଢ଼ିଛି। ୧୨ତାରିଖ ପର୍ଯ୍ୟନ୍ତ ଶୀତ ଅଧିକ ଅନୁଭୂତ ହେବ। କିନ୍ତୁ ୧୩ତାରିଖ ବେଳକୁ ପୁଣି ଶୀତ କମିଯିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ପଶ୍ଚିମା ବାୟୁ ପ୍ରଭାବରେ ୧୩ରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, ଦେବଗଡ଼, କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେବ। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୨ରୁ ୨୫ଡିଗ୍ରି ପାଖାପାଖି ରହିବ। ରାଜ୍ୟର ବାକି ସ୍ଥାନରେ ପାଗ ଶୁଖିଲା ରହିବ। ଏହି ସମୟରେ କମ୍‌ ଶୀତ ଅନୁଭବ ହେବ। କିନ୍ତୁ ୧୭ତାରିଖ ବେଳକୁ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରୁ ପବନ ବହିବା ସହ ଅଧିକ ଥଣ୍ଡା ଅନୁଭୂତ ହେବ। ଚଳିତବର୍ଷର ଅଧିକ ଥଣ୍ଡା ଏହି ସମୟରେ ଅନୁଭୂତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ପୂର୍ବାପେକ୍ଷା ଅଧିକ ରହିଛି। ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିଛି। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୨.୬ଡିଗ୍ରି ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୪.୮ଡିଗ୍ରି ରହିଛି। ସେହିପରି ସୁନ୍ଦରଗଡ଼ ଏବଂ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨.୫ଡିଗ୍ରି ରେକର୍ଡ ହୋଇଛି। ଆଜି ଦାରିଙ୍ଗବାଡ଼ି ଓ ଭବାନିପାଟଣାରେ ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରି ଥିବାବେଳେ ଫୁଲବାଣୀରେ ୧୪.୪, ସୋନପୁରରେ ୧୬, ଚାନ୍ଦବାଲିରେ ୧୬.୨, ଭୁବନେଶ୍ୱରରେ ୨୦.୧, କଟକରେ ୧୯ ଡିଗ୍ରି ରହିଛି।

ସମ୍ବନ୍ଧିତ ଖବର