ଦୁର୍ବଳ ମୌସୁମୀ ଡରାଇଲା : ଓଡ଼ିଶାରେ ଜୁନ୍‌ରେ ୨୫% କମ୍‌ ବର୍ଷା, ୧୯୬ଟି ବ୍ଲକରେ ନିଅଣ୍ଟିଆ, ୪୩ଟିରେ ସ୍ଥିତି ଉତ୍କଟ

ଭୁବନେଶ୍ୱର : ରାଜ୍ୟରେ ଜୁନ୍‌ ମାସରେ କମିଗଲା ବର୍ଷା। ଏବର୍ଷ ଗତମାସରେ ହାରାହାରି ୨୫.୬% କମ୍‌ ବର୍ଷା ରେକର୍ଡ ହୋଇଛି। ଯଦିଓ ମୌସୁମୀ ସାରା ଦେଶକୁ ସ୍ପର୍ଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଦାବି କରିଛି, ହେଲେ ରାଜ୍ୟର ୮ଟି ଜିଲ୍ଲାର ଚିତ୍ର ଚଳିତବର୍ଷର ମୌସୁମୀର ଦୁର୍ବଳ ସ୍ଥିତି ସଂପର୍କରେ ସୂଚାଇ ଦେଇଛି। ସବୁଠାରୁ କମ୍‌ ବର୍ଷା ହୋଇଛି ବଲାଙ୍ଗୀର (୯୭.୩ମିମି)ରେ ଓ ଅଧିକ ବର୍ଷା ବାଲେଶ୍ୱର(୨୬୮.୫ମିମି)ରେ ହୋଇଥିବା ଜଣାପଡିଛି।

ବର୍ଷା କମିବାର ସଙ୍ଗିନ୍‌ ପ୍ରଭାବ ଓଡ଼ିଶାରେ ପଡିଛି, ସମଗ୍ର ଦେଶରେ ବି। ଆଜି ବିଭିନ୍ନ ରାଜ୍ୟର ରିପୋର୍ଟକୁ ଏକାଠି କରି କେନ୍ଦ୍ର ସରକାର ଜଣାଇଛନ୍ତି ଯେ ଜୁନ୍‌ ୨୯ ତାରିଖ ସୁଦ୍ଧା ପୂର୍ବବର୍ଷ ତୁଳନାରେ ହାରାହାରି ୪୫ଲକ୍ଷ ହେକ୍ଟର କମ୍‌ ଜମିରେ ଖରିଫ ବୁଣାବୁଣି ସରିଛି। ଗତବର୍ଷ ଏହି ସମୟ ସୁଦ୍ଧା ୨୧୦.୭୫ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିଲା। ଏବର୍ଷ ଏହା ୧୬୫.୨୧ଲକ୍ଷ ହେକ୍ଟରରେ ସୀମିତ ରହିଛି।

ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟର ତଥ୍ୟ କହୁଛି, ଜୁନ୍‌ ମାସରେ ୨୧୬.୫ ମିଲିମିଟର ବର୍ଷା ହୋଇଥାଏ। ଏଥର କିନ୍ତୁ ୧୬୧.୧ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ କହୁଛି। ବାଲେଶ୍ୱର ଓ କେନ୍ଦ୍ରାପ଼ଡ଼ାରେ ହାରାହାରି ୧୯%ରୁ ଅଧିକ ବର୍ଷା ହୋଇଛି। ଭଦ୍ରକ, ଜଗତସିଂହପୁର, ଯାଜପୁର, ମାଲକାନଗିରି, କଟକ, ଖୋର୍ଧା, ପୁରୀ ଏହିଭଳି ୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା (+ ୧୯% ରୁ -୧୯%) ହୋଇଛି। ହେଲେ ୧୩ଟି ଜିଲ୍ଲାରେ କମ୍‌ ବର୍ଷା (ହାରାହାରି ୧୯% ରୁ ୩୯% ଯାଏ) ହୋଇଛି। ଏଗୁଡିକ ହେଲା ଝାରସୁଗୁଡା, ସମ୍ବଲପୁର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଗଜପତି, ବରଗଡ, କନ୍ଧମାଳ, ରାୟଗଡା, ବୌଦ୍ଧ, ଦେବଗଡ ଓ ସୁନ୍ଦରଗଡ। ସେହିପରି ଏହି ତଥ୍ୟ ଆହୁରି ସୂଚାଉଛି ଯେ ୮ଟି ଜିଲ୍ଲାର ସ୍ଥିତି ଅତି ଉତ୍କଟ ସ୍ଥିତିକୁ ଚାଲିଛି। ସେଠାରେ ଏହି ମାସରେ ୩୯% ରୁ ୫୯% ଯାଏ କମ୍‌ ବର୍ଷା ହୋଇଛି। ପରିଣାମରେ ନୂଆପ଼ଡ଼ା, ଗଞ୍ଜାମ, ସୋନପୁର, ଅନୁଗୁଳ, ନୟାଗଡ, ବଲାଙ୍ଗୀର, ନବରଙ୍ଗପୁର ଓ କଳାହାଣ୍ଡିରେ ଚାଷ କାର୍ଯ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି।

ପାଗିପାଗ ବିଜ୍ଞାନୀଙ୍କର କହିବା କଥା, ସାଧାରଣତଃ ଜୁନ୍‌ ମାସରେ ପାଖାପାଖି ୯.୯ ଦିନ ବର୍ଷା ହୋଇଥାଏ। ଏଥର କିନ୍ତୁ ଏହା ହ୍ରାସ ପାଇ ୮.୧ରେ ପହଞ୍ଚିଛି।

ସରକାରୀ ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡୁଛି ଯେ ରାଜ୍ୟର ୩୧୪ ବ୍ଲକରୁ ମାତ୍ର ୩୫ଟି ବ୍ଲକରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ୮୩ଟି ବ୍ଲକରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ହେ ଲେ ମାତ୍ର ୧୯୬ଟି ବ୍ଲକରେ ବର୍ଷା ନିଅଣ୍ଟିଆ ହୋଇଥିବା ବେଳେ ୪୩ଟି ବ୍ଲକରେ ଭୟଙ୍କର ପ୍ରଭାବ ପଡିଛି। ଏଠାରେ ପ୍ରକାଶଥାଉକି, ଚଳିତବର୍ଷ ଜାତୀୟସ୍ତରରେ ଧାନ, ଡାଲି, ତୈଳବୀଜ, କପା ଚାଷ ଗୁରୁତର ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର