ଲଘୁଚାପ ପ୍ରଭାବ : ୩ ଦିନ ବର୍ଷିବ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପ କ୍ରମଶଃ ଅଧିକ ଘନୀଭୂତ ହେବ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ବର୍ଷା ଲାଗି ରହିବ। ବିଶେଷକରି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଲଘୁଚାପ ଯୋଗୁଁ ଆଜି ପାଗ ମେଘୁଆ ରହିଥିଲା। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷା ଲାଗି ରହିବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୧୮ ତାରିଖ ଆଡ଼କୁ ବର୍ଷା ସାମାନ୍ୟ କମିପାରେ। ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ, ଢେଙ୍କାନାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାସହ ନୟାଗଡ଼, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଅନୁଗୁଳ, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ୩୫-୪୫ କିମି ବେଗରେ ପବନ ବୋହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଅପରପକ୍ଷେ ଗତ ୧୨ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୪୦ ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୩୧ ମି.ମି, ପାରାଦୀପରେ ୩୦ ମି.ମି, ବଲାଙ୍ଗୀରରେ ୨୯.୬ ମି.ମି, ଗୋପାଳପୁରରେ ୨୪ମି.ମି, ସମ୍ବଲପୁରରେ ୨୩ ମି.ମି, କେନ୍ଦୁଝରଗଡ଼ରେ ୧୭ ମି.ମି, ବାଲେଶ୍ୱରରେ ୧୩ ମି.ମି ଓ କୋରାପୁଟରେ ୧୨ ମି.ମି ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର