ମୌସୁମୀ ଉପରେ ଏଲ୍‌ନିନୋ ପ୍ରଭାବ : ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ଖରା

ଅଗଷ୍ଟ ପରେ ବର୍ଷା ବଢ଼ିବ, ଏବର୍ଷ ମରୁଡ଼ି ଆଶଙ୍କା, ତାତି ଅସହ୍ୟ ହେବ, ଅକ୍ଟୋବରରେ ବାତ୍ୟା ଭୟ

ଭୁବନେଶ୍ବର : ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁବ। ହେଲେ ବଡ଼ ବର୍ଷା ହେବନି। ଅସରା, ଦି ଅସରା ବର୍ଷା ହୋଇ ବନ୍ଦ ହୋଇଯିବ। ଅଗଷ୍ଟ ପରେ ଓଡ଼ିଶାରେ ବର୍ଷା ବଢ଼ିବ।  କିନ୍ତୁ ଅଗଷ୍ଟ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ପ୍ରବଳ ଖରା ହେବ। ଏଥର ଏପ୍ରିଲ୍‌ରୁ ଅଗଷ୍ଟ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଭଳି ଖରା  ଅନୁଭୂତ ହେବ। ଅଗଷ୍ଟରୁ ଭଲ ବର୍ଷା ହେଲେ ବି ସେପ୍ଟେମ୍ବର ଓ ଅକ୍ଟୋବରରେ ଓଡ଼ିଶା ଉପକୂଳକୁ ବାତ୍ୟା ଭୟ ରହିଛି। ଚଳିତବର୍ଷ ମୌସୁମୀ ବାୟୁ ଏଲ୍‌ନିନୋ ଦ୍ବାରା ପ୍ରଭାବିତ ହେବାକୁ ଥିବାରୁ ରାଜ୍ୟରେ ଏମିତି ସ୍ଥିତି ଉପୁଜିବ ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ଏବଂ ଆମେରିକାର ‌େନସନାଲ୍‌ ଓସେନିକ୍ ଆଣ୍ଡ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ ସଂସ୍ଥା ପୂର୍ବାନୁମାନ କରିଛି।

ଦୁଇ ଅନ୍ତର୍ଜାତୀୟସ୍ତରର ସଂସ୍ଥାଙ୍କ ଏହି ପୂର୍ବାନୁମାନ ଯଦି ଠିକ୍‌ ହୁଏ ତେବେ ଏଥର ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ। ଏପ୍ରିଲ-ମେ’ରେ ଧାନ ବୁଣା ହେଉଥିବାବେଳେ ଜୁନ୍‌ରେ ଭଲ ବର୍ଷା ଧାନ ରୋଇବାକୁ ସାହାଯ୍ୟ କରେ। ହେଲେ ଜୁନ୍‌ ଓ ଜୁଲାଇରେ ସ୍ବଳ୍ପ ବୃଷ୍ଟି ହେଲେ ଏଥର ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଲେଣି।

ଚଳିତବର୍ଷ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ଲଗାତର ଭାବେ ବଢ଼ିଚାଲିଛି। ଆଗକୁ ମଧ୍ୟ ବଢ଼ିବାର ସମ୍ଭାବନା ଅଛି। ତେଣୁ ଏଲ୍‌ନିନୋ ପ୍ରଭାବ ପୂର୍ବ ଭଳି ମାର୍ଚ୍ଚରୁ ମେ ଶେଷ ପର୍ଯ୍ୟନ୍ତ ନରହି ଏହା ସେପ୍ଟେମ୍ବର ପର୍ଯ୍ୟନ୍ତ ସକ୍ରିୟ ରହିବ। ଆମେରିକାର ‌େନସନାଲ୍‌ ଓସେନିକ୍ ଆଣ୍ଡ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ୍‌ ସଂସ୍ଥା ପୂର୍ବାନୁମାନ କରିଛି ଯେ, ଚଳିତବର୍ଷ ଓଡ଼ିଶାରେ ଜୁନ୍‌ ଓ ଜୁଲାଇରେ ଏଲ୍‌ନିନୋ ପ୍ରଭାବ ୮୦% ସକ୍ରିୟ ରହିବ। ଅଗଷ୍ଟ, ସେପ୍ଟେମ୍ବରରେ ୬୦% ସକ୍ରିୟ ରହିବ। ଯାହା ମୌସୁମୀ ବାୟୁକୁ ପ୍ରଭାବିତ କରିବ। ମୌସୁମୀ ବାୟୁ ଧାର୍ଯ୍ୟ ସମୟରେ ଉପକୂଳ ଛୁଇଁଲେ ବି ପ୍ରଭାବ ଜୋର୍‌ ରହିବନି।

ଆମେରିକୀୟ ସଂସ୍ଥା ଆହୁରି ପୂର୍ବାନୁମାନ କରିଛି ଯେ, ଏଥର ଏଲ୍‌ନିନୋ ପ୍ରଭାବରେ ଓଡ଼ିଶାରେ ଖରା ବଢ଼ିବ। ସ୍ବାଭାବିକ ଠାରୁ ଅଧିକ ଖରା ହେବ। ଦକ୍ଷିଣ ଓ ପଶ୍ଚିମ ଦିଗରୁ, ସମୁଦ୍ରରୁ ତତଲା ପବନ ବହିବ। ଫଳରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ।  ଜୁନ୍‌ ଓ ଜୁଲାଇରେ କାଳବୈଶାଖୀ ଭଳି ବର୍ଷା ପବନ ହେବ।

ସ୍କାଏମେଟ୍‌ ବି ଚଳିତବର୍ଷ ମୌସୁମୀ ସ୍ବାଭାବିକ ହେବ ବୋଲି ପୂର୍ବାନୁମାନ କରିଛି। କିନ୍ତୁ ଦୁଇ ମାସ ବିଳମ୍ବରେ ଏହାର ପ୍ରଭାବ ପଡ଼ିବ ବୋଲି କହିଛି। ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ଯେ, ଜୁନ୍‌ ଓ ଜୁଲାଇରେ ଏଲ୍‌ନିନୋ ପ୍ରଭାବରେ ସ୍ବାଭାବିକ ଠାରୁ ଅଧିକ ଖରା ହେବ। ତେଣୁ ବର୍ଷା ସମ୍ଭାବନା କମ୍‌। ଅଗଷ୍ଟ ପରେ ବର୍ଷା ବଢ଼ିବ। ଅଗଷ୍ଟ-ସେପ୍ଟେମ୍ବର-ଅକ୍ଟୋବରରେ ଜୁନ୍‌-ଜୁଲାଇରେ ହୋଇଥିବା ନିଅଣ୍ଟିଆ ବର୍ଷା ଭରଣା ହୋଇଯିବ। ମୌସୁମୀ ଜନିତ ବର୍ଷା ପ୍ରଥମରୁ କମ୍‌ ହେଲେ ବି ପ୍ରତ୍ୟାବର୍ତ୍ତନ ବେଳକୁ ୯୦ରୁ ୯୫% ବର୍ଷା ହେବାର ସମ୍ଭାବନା ଅଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ରର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ମୌସୁମୀ ଉପରେ ଏଲ୍‌ନିନୋ ପ୍ରଭାବ ପଡ଼ିବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ଭାରତୀୟ ପାଣିପାଗ କେନ୍ଦ୍ର ଏପ୍ରିଲ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ମୌସୁମୀ ଆଗମନ ନେଇ ପୂର୍ବାନୁମାନ କରିବ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଚଳିତବର୍ଷ ମୌସୁମୀ ଜନିତ ବର୍ଷା କିପରି ହେବ ଏବେଠାରୁ ପୂର୍ବାନୁମାନ କରିବା କଷ୍ଟକର। କେବଳ ଏଲ୍‌ନିନୋ ଦ୍ବାରା ବର୍ଷା ପ୍ରଭାବିତ ହେବ ବୋଲି କହିହେବନି।  ପଶ୍ଚିମ ଭାରତ ମହାସାଗର‌େର ବାୟୁ ପ୍ରବାହ କିପରି ରହୁଛି, ଏପ୍ରିଲ ଓ ମେ’ ମାସରେ ଖରା କିପରି ହେଉଛି ତାହା ଉପରେ ମୌସୁମୀ ଆସିବା ଏବଂ ବର୍ଷା ହେବା ନିର୍ଭର କରୁଛି। ଏବେ‌ବି ଏଲ୍‌ନିନୋ ପ୍ରଭାବ ରହିଛି। କିନ୍ତୁ ଏହା ଦୁର୍ବଳ ଅଛି। ଫଳରେ ୦.୫ରୁ ୧ଡିଗ୍ରି ପର୍ଯ୍ୟନ୍ତ ତାତି ଅଧିକ ରହୁଛି। ଜୁନ୍‌, ଜୁଲାଇରେ ଏଲ୍‌ନିନୋ ପ୍ରଭାବ ୬୦%ରୁ ଅଧିକ ରହିବ ବୋଲି କୁହାଯାଉଥିବାରୁ ଏହି ସମୟରେ ପାରଦ ସ୍ବାଭାବିକ ଠାରୁ ୧ରୁ ୨ଡିଗ୍ରି ଅଧିକ ରହିବ। ଏହା ପ୍ରଭାବରେ ଅଧିକ ଖରା ଅନୁଭୂତ ହେବ। ହେଲେ ମୌସୁମୀ ବର୍ଷା କିପରି ହେବ ତାହା ମେ’ ମ‌ାସ ବେଳକୁ ଜଣାପଡ଼ିବ।

ଅପରପକ୍ଷେ ଦୋଳପୂର୍ଣ୍ଣିମାରେ ନୂଆ ପାଞ୍ଜି ଆସିଥିବା ବେଳେ ପଞ୍ଜିକା କହୁଛି ଯେ, ଏଥର ରାଜ୍ୟରେ ପ୍ରବଳ ଖରା ଓ ଭଲ ବର୍ଷା ହେବ। ବାତ୍ୟାର ସମ୍ଭାବନା ବି ଅଛି। ଏଥର ନିଆଁ ବର୍ଷା ହେବାଭଳି ଖରା ହେବ, ଝଡ଼ ତୋଫାନ ‌ହେବାର ଅଛି। ପାଞ୍ଜି କହୁଛି ଯେ, ଏଥର ରାଜ୍ୟକୁ ବନ୍ୟା, ବାତ୍ୟା, ଭୂମିକମ୍ପର ଭୟ ରହିଛି।

ସମ୍ବନ୍ଧିତ ଖବର