ସପ୍ତାହକ ଯାଏ କୋହଲା ପାଗ

ଭୁବନେଶ୍ବର ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ କୋହଲା ପାଗ ଲାଗିରହିବ। ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ସାଙ୍ଗକୁ କାଳବୈଶାଖୀ ପ୍ରଭାବ ରହିବ। ତାପମାତ୍ରା ବି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ପଶ୍ଚିମ ଓଡ଼ିଶାରେ ଏବେ ସ୍ଥିତିରେ ସେତେଟା ପରିବର୍ତନ ହେବନି। ତେବେ ପଶ୍ଚିମ ଓଡ଼ିଶାର ସମସ୍ତ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ରୁ ୪୧ ଡିଗ୍ରି ଭିତରେ ରହିବ। ଟିଟିଲାଗଡ଼, ତା‌ଳଚେର, ମାଲକାନଗିରିରେ ଏବେ ସେଭଳି ଆଖିଦୃଶିଆ ପରିବର୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ ୧୪ ତାରିଖ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କୋହଲା ପାଗ ଜାରି ରହିବ। ମଙ୍ଗଳବାର ପୂର୍ବାହ୍ନରୁ ଗଜପତି, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସହ ଝଡ଼ ଓ ନବରଙ୍ଗପୁର, ବୌଦ୍ଧ, ନୟାଗଡ଼, ଖୋର୍ଧା, ପୁରୀ, ସୁନ୍ଦରଗଡ଼, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜର ଅଧିକାଂଶ ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୧୪.୨ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବରରେ ୧୦.୨, ପାରାଦୀପରେ ୨, ଭୁବନେଶ୍ବରରେ ୧.୬, ବାରିପଦା, ପୁରୀ, ଝାରସୁଗୁଡ଼ାରେ ବର୍ଷା ହୋଇଛି।

ପାଣିପାଗ ବିଶେଷଜ୍ଞ ତଥା‌ ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଆସନ୍ତାକାଲିଠାରୁ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ଦୁଇ ଦିନ ସର୍ବାଧିକ ତାପମାତ୍ରା ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ଅପରିବର୍ତ୍ତିତ ରହିବ। ଏହାପରେ ପୁଣିଥରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଫଳରେ ୧୬ ତାରିଖରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଛୁଇଁବ। ୧୦ ଓ ୧୧ ତାରିଖରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବଢ଼ିବ। ୧୪ ତାରିଖଠାରୁ ପୁଣି କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇବ। ୧୬ ତାରିଖଠାରୁ ଖରାର ପ୍ରକୋପ ଅଧିକ ହେବାର ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳ‌ବୈଶାଖୀ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ। ତେ‌ବେ ରାଜ୍ୟକୁ ସାଧାରଣ ଭାବେ ପଶ୍ଚିମା ପବନ ବୋହୁଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବଙ୍ଗୋପସରୀୟ ଦକ୍ଷିଣା ପବନ ବହିବା ଆରମ୍ଭ ହୋଇଥିବାରୁ ଉପକୂଳ ସଂଲଗ୍ନ ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭବନା ଅଧିକ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର