ତାତିବ ପଶ୍ଚିମ ଓଡ଼ିଶା

୨୬ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଉପକୂଳ ଓଡ଼ିଶାରେ ମେଘୁଆ ପାଗ ଲାଗିରହିବ

ଭୁବନେଶ୍ବର : ଏଣିକି ପାଗ ବଦଳିବ। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବା ସହ ତାତି ଅନୁଭୂତ ହେବ। ୨୫ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଟପିବ। ତେବେ ଉପକୂଳ ଓଡ଼ିଶାରେ ଏବେ ତାପମାତ୍ରା ସେଭଳି ବଢ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ତେବେ ଗତ ୫ ଦିନ ଧରି ଲାଗିରହିଥିବା କାଳବୈଶାଖୀ ପ୍ରଭାବ କମିବ। ୨୩ ତାରିଖ ସକାଳ ଭିତରେ ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଧା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବ‌ୈଶାଖୀ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି। ‌୨୪ ତାରିଖ ପୂର୍ବାହ୍ନ ଭିତରେ ଉତ୍ତର ଓଡ଼ିଶା ସମେତ କୋରାପୁଟ ଓ ‌ଗଜପତି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ବରରେ ସର୍ବାଧିକ ୪୪.୪ ମିମି ବର୍ଷା ହୋଇଥିବା ବେଳେ ପୁରୀରେ ୩୫.୨, ଅନୁଗୁଳରେ ୨୬, ଝାରସୁଗୁଡ଼ାରେ ୨୬, ଚାନ୍ଦବାଲିରେ ୧୮.୭, କଟକରେ ୮.୨, କେନ୍ଦୁଝରରେ ୬, ସୁନ୍ଦରଗଡ଼ରେ ୪ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ୨୬ ତାରିଖ ବେଳକୁ ଶ୍ରୀଲଙ୍କାର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ୨୬ ତାରିଖରେ ଶ୍ରୀଲଙ୍କାର ଦକ୍ଷିଣ ପୂର୍ବରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୮ ତାରିଖ ‌ବେଳକୁ ଲଘୁଚାପରେ ପରିଣତ ‌ହୋଇ ଶ୍ରୀଲଙ୍କାର ପୂର୍ବ ଦିଗରେ ରହିବ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ମେ’ ୧ ‌ବେଳକୁ ଡି‌ପ୍ରେସନ‌୍‌ରେ ପରିଣତ ହୋଇ ଚେନ୍ନାଇର ପୂର୍ବରେ ଦକ୍ଷିଣ ବଙ୍ଗୋପସାଗରରେ ରହିବ। ଏହା ଉପକୂଳରେ ସମାନ୍ତରାଳ ଭାବେ ଗତିକରି ୫ ତାରିଖ ବେଳକୁ ବାଂଲାଦେଶ ଉପକୂଳ ସ୍ପର୍ଶ କରିବ। ଉପକୂଳଠାରୁ ଦୂରରେ ରହୁଥିବାରୁ ତାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ତେବେ ସାମୁଦ୍ରତଟ ଅଞ୍ଚଳରେ ପାଗ ମେଘୁଆ ରହିପାରେ ବୋଲି ପ୍ରାଥମିକ ଭା‌ବେ ଏହି ଆକଳନ କରାଯାଇଛି।‌ ତେବେ ଲଘୁଚାପ ସୃଷ୍ଟି ହୋଇ ଦକ୍ଷିଣ ବଙ୍ଗୋପସାଗରରେ ପହଞ୍ଚିଲା ପରେ ଅଧିକ ସଠିକ୍‌ ଆକଳନ କରାଯାଇପାରିବ।

ସେ ଆହୁରି କହିଛନ୍ତି ବର୍ତମାନ ଉପକୂଳ ଅଞ୍ଚଳରେ ତାପମାତ୍ରା କମିଛି। ଭୁବନେଶ୍ବର ସମେତ ଉପକୂଳରେ ଏଭଳି ପାଗ ମେ’ ୫ ପର୍ଯ୍ୟନ୍ତ ଲାଗିରହିବ। ଭୁବନେଶ୍ବରରେ ତାପମାତ୍ରା ୩୮ ଡିଗ୍ରି ଭିତରେ ରହିବ। ବଙ୍ଗୋପସାଗରୀୟ ପବନ ଆସୁଥିବାରୁ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୮ ତାରିଖଠାରୁ ତାପମାତ୍ରା ପୁଣି ହ୍ରାସ ପାଇବ। ତେବେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୨୪ ତାରିଖଠାରୁ କ୍ରମଶଃ ବଢ଼ିବ। ୨୮ ତାରିଖରେ କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଛୁଇଁପାରେ। ଆସନ୍ତାକାଲି ଉତ୍ତର ଉପକୂଳ ସମେତ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ତେବେ ୨୪ ତାରିଖଠାରୁ କାଳବୈଶାଖୀ ସମ୍ଭାବନା କମ୍‌ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର