ତିନି ଦିନ ମେଘୁଆ ପାଗ, ଉପକୂଳ ଓ ଉତ୍ତର ଓଡ଼ିଶାର ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହୋଇପାରେ

ଭୁବନେଶ୍ବର : ୪୮ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ପରେ ଆଜି ପାଗ ପରିବର୍ତନ ହୋଇଛି। ପୂର୍ବାହ୍ନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିଲା। ମଧ୍ୟାହ୍ନ ପରେ ପାଗରେ ପରିବର୍ତନ ଦେଖାଦେଇଛି। ଅପରାହ୍ନ ଠାରୁ କୋହଲା ପାଗ ଲାଗି ରହିଛି। ଏଭଳି ପାଗ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରହିବ। ତେବ‌େ ଆସନ୍ତାକାଲି (ଶୁକ୍ରବାର) ଉପକୂଳ ଓ ଉତ୍ତର ଓଡ଼ିଶାର ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଜ୍ଞାନୀଙ୍କ କହିବା କଥା ହେଉଛି, ୨୭ ଓ ୨୮ତାରିଖରେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଖୋର୍ଧା, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବୌଦ୍ଧ, ପୁରୀ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୮ କିମ୍ବା ୨୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ।

ଗତ ୩୬ ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବା‌ଧିକ ୧୧୧.୧ ମିମି ବର୍ଷା ହୋଇଛି। ଏହାବ୍ୟତୀତ ପୁରୀରେ ୭୧.୫, ଚାନ୍ଦବାଲିରେ ୫୭.୬, ପାରାଦୀପରେ ୩୩.୨, ସୁନ୍ଦରଗଡ଼ରେ ୨୯, ଦାରିଙ୍ଗବାଡ଼ିରେ ୨୨, ବାଲେଶ୍ବରରେ ୨୨, ଭୁବନେଶ୍ବରରେ ୨୦.୮, ବାରିପଦାରେ ୧୮.୪ ମିମି ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ୨୭ତାରିଖରେ ସମୁଦ୍ର ନିକଟବର୍ତୀ ଜଗତସିଂହପୁର ଓ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ସ୍ବଳ୍ପରୁ ମଧ୍ୟମଧରଣ(୨୦ରୁ ୩୫ ମିମି)ର ବର୍ଷା, ୨୮ରେ ଖୋର୍ଧା, ପୁରୀ, କଟକ, ଭୁବନେଶ୍ବର, ପାରାଦୀପ ଓ ଢେଙ୍କାନାଳ ଅଞ୍ଚଳରେ ସ୍ବଳ୍ପ ବର୍ଷା(୧୫ରୁ ୨୦ ମିମି), ୨୯ରେ ଉତ୍ତର ଉପକୂଳରେ ୧୫ରୁ ୨୫ମିମି ବର୍ଷା ହୋଇପାରେ। ଅନ୍ୟ ଅଞ୍ଚଳରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ୩୦ରେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସ୍ବଳ୍ପ ବର୍ଷା ହୋଇପାରେ। ଅକ୍ଟୋବର ୩ରୁ ୧୦ତାରିଖ ଭିତରେ ଉପକୂଳବର୍ତୀ ଅଞ୍ଚଳରେ ପାଗ ମେଘୁଆ ସହିତ କେତେକ ସ୍ଥାନରେ ବର୍ଷା ହେବ।

ସମ୍ବନ୍ଧିତ ଖବର