ଆସନ୍ତା ଦୁଇ ଦିନ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା

୨୭ ରାତିରୁ ଲେଉଟିବ ଶୀତ, ୧୧ ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା

ଭୁବନେଶ୍ବର : ଆସନ୍ତା ଦୁଇ ଦିନ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବ। ଉତ୍ତର ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ‌କୋହଲା ରହିବା ସହ ବର୍ଷା ହୋଇପାରେ। ତେବେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଆଜି ଭଳି ଥଣ୍ଡା ଜାରି ରହିବ। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆହୁରି କୁହାଯାଇଛି ଯେ ଆସନ୍ତା ୨୬ ତାରିଖ ତଥା ଗୁରୁବାର ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହଲୁକା ବର୍ଷା ହୋଇପାରେ। ୨୭ ତାରିଖ ପୂର୍ବାହ୍ନ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଧା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବ। ରାଜ୍ୟର ବାକି ସ୍ଥାନଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଆକଳନ କରାଯାଇଛି ଯେ ୨୭ ତାରିଖ ପର୍ଯ୍ୟନ୍ତ ଆଜି ଭଳି ଥଣ୍ଡା ଲାଗିରହିବ। ରାତିରେ ପାରଦ ବିଶେଷ ଖସିବ ନାହିଁ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ପାଖାପାଖି ରହିବ। ଏହାପରେ କିନ୍ତୁ ତାପମାତ୍ରା ହଠାତ୍‌ ବଡ଼ ଧରଣର ପରିବର୍ତନ ଆସିବ। ନିୟମିତ ଭାବେ ରାତିର ପାରଦ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ଦାରିଙ୍ଗବାଡ଼ିରେ ପୁଣିଥରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯିବ। ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିପାରେ। ଫୁଲବଣୀ, ସୁନ୍ଦରଗଡ଼, ଅନୁଗୁଳ, ସୋନପୁର ପ୍ରଭୃତି ସ୍ଥାନରେ ବି ପାରଦ ୧୦ ଡିଗ୍ରି ତଳକୁ ଖସିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପାରଦ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଅନ୍ୟପକ୍ଷରେ ୨ରୁ ୩ ଦିନ ଯାଏ ଉତ୍ତର ଓଡ଼ିଶା ସମେତ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବ। ବିଶେଷକରି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ଯାଜପୁର, ଖୋର୍ଧା, ପୁରୀ, କଟକ, କନ୍ଧମାଳ ଓ କୋରାପୁଟ ଜିଲ୍ଲାର ‌କେତେକ ସ୍ଥାନରେ କୁହୁଡ଼ି ହେବ। ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବନି।

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ହ୍ରାସ ପାଇଛି। ବାଲେଶ୍ବର ଓ କଟକର ତାପମାତ୍ରା ୧୨.୮ ଡିଗ୍ରିକୁ ଖସି ଆସିଥିବା ବେଳେ ଭୁବନେଶ୍ବର ତାପମାତ୍ରା ୧୪.୪ ଡିଗ୍ରି ରହିଥିଲା। ଅନୁଗୁଳରେ ବି ପାରଦ ୧୦ ଡିଗ୍ରିକୁ ଖସିଛି। ପାରାଦୀପ ତାପମାତ୍ରା ୧୫.୭ ଥିବା ବେଳେ ପୁରୀରେ ୧୬.୪, ବାରିପଦାରେ ୧୩.୫ ରହିଥିଲା। ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୩.୩ ଡିଗ୍ରିକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର