ନୂଆବର୍ଷକୁ ଭିଜାଇବ ବର୍ଷା, ପଶ୍ଚିମ ଓଡ଼ିଶାରେ କୁଆପଥର ସମ୍ଭାବନା

୨୮ରୁ ୩୦ ତାରିଖ ଯାଏ ଶୀତ, କୁହୁଡ଼ି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ନୂଆବର୍ଷକୁ ଭିଜାଇବ ବର୍ଷା। ସକାଳେ ପାଗ କୋହଲା ରହିବ। ଆଉ ଅପରାହ୍ନ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପଶ୍ଚିମ ଓଡ଼ିଶାର ଠାଏ ଠାଏ କୁଆପଥର ପଡ଼ିବାର ବି ଆଶଙ୍କା ରହିଛି। ଦକ୍ଷିଣ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଅଧିକ ରହିବ ଏବଂ ରାଜ୍ୟର ବାକି ଅଞ୍ଚଳରେ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହେବ। ନୂଆବର୍ଷକୁ ନେଇ ଭାରତୀୟ ପାଣିପାଗ ବିଭାଗ ଓ ବିଶେଷଜ୍ଞମାନେ ଏଭଳି ଆକଳନ କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୭ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସହର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୨୮ ତାରିଖ ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖ ରାତିଠାରୁ ପାଗରେ ହଠାତ୍‌ ପରିବର୍ତନ ଆସିବ। ଅଧିକାଂଶ ସ୍ଥାନରେ ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ଥଣ୍ଡା ସହ କୁହୁଡ଼ି ବି ପଡ଼ିବ। ୨୭ ଓ ୨୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ‌ଢେଙ୍କାନାଳ, କଟକ, କନ୍ଧମାଳ, କଳାହାଣ୍ଡି, ପୁରୀ, ମୟୂରଭଞ୍ଜ ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବ। ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ। ସ୍ଥାନେ ସ୍ଥା‌ନେ ଶହେ ମିଟର ପରେ ବି ରାସ୍ତା ଦେଖାଯିବନି। ତାହାକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକରେ ପାଣିପାଗ ବିଭାଗ ପକ୍ଷରୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସତର୍କତା ଅବଲମ୍ବନ କରିବାକୁ ‌ପରାମର୍ଶ ଦିଆଯାଇଛି। ଜାନୁଆରି ୨ରୁ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବ‌ିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଜାନୁଆରି ପହିଲା ବେଳକୁ ବଙ୍ଗୋପସାଗର ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ। ଫଳରେ ଜଳୀୟ ବାଷ୍ପ ସ୍ଥଳ ଭାଗ ଆଡ଼କୁ ଆସିବ। ଏଥିସହ ଓଡ଼ିଶାକୁ ଦିଲ୍ଲୀ ଆଡ଼ୁ ପଶ୍ଚିମା ବାୟୁ ପ୍ରବାହିତ ହେବ। ତେଣୁ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ ଆଦି ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଆଦି ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ୧ ତାରିଖ ସକାଳୁ ଗଞ୍ଜାମ ଓ ଗଜପତିରେ ବର୍ଷା ହୋଇପାରେ। ଅପରାହ୍ନ ବେଳକୁ ରାଜ୍ୟର ଅନ୍ୟ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇ ୩ ତାରିଖ ପର୍ଯ୍ୟନ୍ତ ଲାଗିରହିବ। ୨ ତାରିଖରେ ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି। ଅରବ ସାଗରରୁ ପବନ ଆସୁଥିବାରୁ ଏବେ ହାଲୁକା ବର୍ଷା ହେଉଛି। ୨୭ ତାରିଖ ଅପରାହ୍ନଠାରୁ ବର୍ଷା କମିବା ସହ ଥଣ୍ଡା ବଢ଼ିବ। ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ୩୧ ତାରିଖରୁ ରାତିର ତାପମାତ୍ରା ପୁଣି ବଢ଼ିବ।

ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଓ ସୁନ୍ଦରଗଡ଼‌ରେ ସର୍ବା‌ଧିକ ୪ ମିମି ବର୍ଷା ହୋଇଛି। ଏହାବ୍ୟତୀତ ତାଳଚେରରେ ୩, କେନ୍ଦୁଝରରେ ୨.୬, ବାରିପଦା, କୋ‌ରାପୁଟ, ସୋନପୁରରେ ୧ ମିମି ଲେଖାଏ ବର୍ଷା ହୋଇଥିବା ବେଳେ ବାଲେଶ୍ବର, ଚାନ୍ଦବାଲି, ଭୁବନେଶ୍ବର, ଗୋପାଳପୁର, ଝାରସୁଗୁଡ଼ା, ଭବାନୀପାଟଣା ସହରରେ ଝିପିଝିପି ବର୍ଷା ହୋଇଛି। ସମସ୍ତ ସହରରେ ରାତିର ତାପମାତ୍ରା‌ ୨ରୁ ୩ ଡିଗ୍ରି ବଢ଼ିଛି। ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର