ରାତିରେ ଶୀତ, ଦିନରେ ତାତି

ଫୁଲବାଣୀରେ ୫.୫, ଟିଟିଲାଗଡ଼ରେ ୩୪ ଡିଗ୍ରି

ଭୁବନେଶ୍ୱର : ଏପଟେ ଶୀତ ସଂପୂର୍ଣ୍ଣ ଛାଡ଼ିନି, ସେପଟେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ତାତି। ଗଲା ଦୁଇ ତିନି ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହଠାତ୍‌ ବଢ଼ିଯାଇଛି ତାତି। ୧୦ରୁ ଅଧିକ ସହରରେ ଆଜି ଦିନର ତାପମାତ୍ରା ୩୩ ଡିଗ୍ରି ଟପି ଯାଇଥିବା ବେଳେ ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ପାରଦ ୩୪ ଡିଗ୍ରିରେ ପହଞ୍ଚିଛି। ସେଠାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।

କନ୍ଧମାଳ, ସୁନ୍ଦରଗଡ଼ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରୁ କିନ୍ତୁ ଶୀତ ସଂପୂର୍ଣ୍ଣ ଯାଇନି। ଫୁଲବାଣୀରେ ଏବେ ବି ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରିରେ ରହିଥିବା ବେଳେ ସୁନ୍ଦରଗଡ଼ରେ ୮.୫ ଡିଗ୍ରି ରେକର୍ଡ କରାଯାଇଛି। ଏସବୁ ସ୍ଥାନ ସମେତ କେନ୍ଦୁଝର ଓ ପାରାଦୀପଗଡ଼ ଆଦି ଅଞ୍ଚଳରେ ଦିନର ତାପମାତ୍ରା ୨୫ରୁ ୩୦ ଡିଗ୍ରି ମଧ୍ୟରେ ରହିଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ କିନ୍ତୁ ତାତି ବଢ଼ିଛି। ପୂର୍ବାହ୍ନ ୧୦ଟାଠାରୁ ଖରାର ପ୍ରକୋପ ବଢ଼ିଯାଉଥିବା ଦେଖିବାକୁ ମିଳିଛି। ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇଛି। ପାଣିପାଗ ବିଜ୍ଞାନୀଙ୍କ ମତରେ ଏଭଳି ସ୍ଥିତି ଆଉ ଦୁଇ ଦିନ ଜାରି ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡା ବଢ଼ିବା ନେଇ କୌଣସି ସୂଚନା ନାହିଁ। ତାତି ବଢ଼ିପାରେ। କିନ୍ତୁ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଲାଗି ରହିବ। କେତେକ ସ୍ଥାନରେ ଗାଡ଼ି ଚାଳକଙ୍କୁ ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର