ଭୁବନେଶ୍ବର : ଆସନ୍ତା ସପ୍ତାହ ମଧ୍ୟ ଓଡ଼ିଶାରେ ମେଘୁଆ ପାଗ ଲାଗି ରହିବ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି। ଘୂର୍ଣ୍ଣିଝଡ଼ ହେବା ନେଇ ବି ଅନୁମାନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ନୂଆପଡ଼ା, ନୟାଗଡ଼ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ଏହି ସମୟରେ କନ୍ଧମାଳ, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ। ୫ ତାରିଖଠାରୁ ପାଗରେ ବଡ଼ଧରଣର ପରିବର୍ତନ ଆସିବ ଏବଂ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିବ। ୫ ଓ ୬ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ଓ ଘୂର୍ଣ୍ଣିଝଡ଼ ହୋଇପାରେ। ୭ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଏଭଳି ପରିସ୍ଥିତି ଉପୁଜିବ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ହେବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆଜି ଦକ୍ଷିଣ ଓଡ଼ିଶାରେ ଗୁରୁଚାପ ବଳୟ ରହିଥିବାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହୁଛି। ୭ ତାରିଖରେ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷା ହେବ। ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶା ତଥା କଟକର ଦକ୍ଷିଣ ପାର୍ଶ୍ବରେ ପାଗ ମେଘୁଆ ରହିବ। ୫ ଓ ୬ ତା‌ରିଖରେ ମେଘୁଆ ପାଗ ବଢ଼ିବ। ପୁରୀ, କଟକ, ଭୁବନେଶ୍ବର ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବ। ଅଳ୍ପ କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ୭ ଓ ୮ ତାରିଖରେ ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ। ଖୋର୍ଧା ଓ ତାହାର ଉତ୍ତରରେ ଥିବା ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ଅଧିକ ରହିବ। ସ୍ଥାନେ ସ୍ଥାନେ ମଧ୍ୟମଧରଣର ବର୍ଷା ହୋଇପାରେ। ୫ରୁ ୮ ତାରିଖ ଭିତରେ ଭୁବନେଶ୍ବର ଓ କଟକରେ ସମୁଦାୟ ବର୍ଷା ପରିମାଣ ୪୦ ମିମିରୁ ଅଧିକ ହେବାକୁ ଥିବା ବେଳେ ଅବିଭକ୍ତ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ୫୦ ମିମି ବର୍ଷା ରହିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପ ବର୍ଷା ରହିବ। ୪ ତାରିଖଠା‌ରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେବ ନାହିଁ। ତେବେ ୮ ତାରିଖରୁ ପୁଣି ଶୀତ ଲେଉଟିବାର ସମ୍ଭାବନା ରହିଛି।