୯ ଯାଏ ବର୍ଷା : ଉପକୂଳ ଓଡ଼ିଶାରେ ଅଧିକ ବର୍ଷା, ୪ଦିନ ପାଇଁ ୟେଲୋ ୱାର୍ଣ୍ଣିଂ, ବର୍ଷା ଛାଡ଼ିଲେ ଶୀତ ଫେରିବ

ଭୁବନେଶ୍ବର : ରାଜ୍ୟର ଦକ୍ଷିଣରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଆକାଶ ମେଘାଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗୁରୁବାର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିବ। ଶୁକ୍ରବାର ଏହା ବିହାର ଉପରେ ରହିବ। ଏହା ପ୍ରଭାବରେ ୯ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏପରିକି ୬ରୁ ୮ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୋପାଳପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ପ୍ର‌େଫସର ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନ ଯେପରି ମେଘୁଆ ପାଗ ଅଛି ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ୭ରୁ ୯ତାରିଖରେ ପାଗ ଅଧିକ କୋହଲା ରହିବ। ଆଜି ଯେତିକି ବର୍ଷା ହୋଇଛି ଆସନ୍ତାକାଲି ଏହାଠାରୁ ଅଧିକ ବର୍ଷା ହେବ। ୬ତାରିଖ ତୁଳନାରେ ୭ ଓ ୮ତାରିଖରେ ଅଧିକ ବର୍ଷା ହେବ। ୯ରେ ଝିପିଝିପି ବର୍ଷା ହେବ। ହେଲେ ୬ରୁ ୮ତାରିଖ ମଧ୍ୟରେ ଭୁବନେଶ୍ବର, କଟକ, ପୁରୀରେ ୫୦ରୁ ୬୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ସମୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ କମ୍‌ ବର୍ଷା ହେବ। କେତେକ ସ୍ଥାନରେ ଅଧିକ ବର୍ଷା ହୋଇପାରେ। ହେଲେ ବର୍ଷାର ପରିମାଣ ୨୦ରୁ ୩୦ମିମି ଭିତରେ ରହିବ।

ଏହି ସମୟରେ ରାତିର ତାପମାତ୍ରା ବଢ଼ିବ ନାହିଁ। କିନ୍ତୁ ଦିନର ତାପମାତ୍ରା କମିବାରୁ କୋହଲା ପାଗ ରହିବ। କେତେକ ସ୍ଥାନରେ ଦିନର ତାପମାତ୍ରା ୧୬ଡିଗ୍ରିକୁ ଖସିପାରେ। ଏହି ଦିନଗୁଡ଼ିକରେ ବଙ୍ଗୋପସାଗର ପବନ ସ୍ଥଳଭାଗକୁ ବହିବ। ଜଳୀୟବାଷ୍ପ ଅଧିକ ରହିବା ସହ ତାପମାତ୍ରା କମ୍‌ ରହିବା କାରଣରୁ ଅଧିକାଂଶ ସ୍ଥାନରେ ବର୍ଷା ହେବ। ହେଲେ ୯ରୁ ଥଣ୍ଡା ଉତ୍ତରା ପବନ ବହିବ। ଫଳରେ ଆସନ୍ତା କିଛି ଦିନ ପାଇଁ ଥଣ୍ଡା ପୁଣି ଫେରିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ୪ଦିନରେ ପାଗ ବାରମ୍ବାର ବଦଳିବ। ପାଣିପାଗ ବ୍ୟବସ୍ଥା ପୂରା ଅସ୍ଥିର ରହିବ। ଯାହା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।ଏହି ୪ଦିନ ‌ଆକାଶ ମେଘୁଆ ରହିଲେ ବି ୮ରୁ କୁହୁଡ଼ି ପଡ଼ିବ। ୯ରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ିବ।

ସେହିପରି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ୧୦ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୯ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଅଧିକ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ୬ତାରିଖ ସକାଳ ସୁଦ୍ଧା ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ନବରଙ୍ଗପୁରରେ, ୭ତାରିଖ ସକାଳ ସୁଦ୍ଧା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ସୋନପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ରାୟଗଡ଼ା, ୮ତାରିଖ ସକାଳ ସୁଦ୍ଧା ଦେବଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ରେ ୯ତାରିଖ ସକାଳ ସୁଦ୍ଧା ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡିରେ ବର୍ଷା ହେବ।

ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିବାବେଳେ କଟକରେ ସର୍ବାଧିକ ୧୪.୨ମିମି, ଚାନ୍ଦବାଲିରେ ୬ମିମି, ପାରାଦୀପରେ ୧ମିମି, ଭୁବନେଶ୍ବରରେ ୨.୨ମିମି, ଗୋପାଳପୁରରେ ୫ମିମି, ପୁରୀରେ ୬ମିମି, ଭବାନିପାଟଣାରେ ୩ମିମି, ଦାରିଙ୍ଗବାଡ଼ିରେ ୧୦ମିମି, ନୟାଗଡ଼ରେ ୭.୨ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର