ରାଜ୍ୟରେ ଆଉ ୩୬ ଘଣ୍ଟା ଲାଗି ରହିବ ବର୍ଷା, ୧୦ ଓ ୧୧ରେ ଘନ କୁହୁଡ଼ି ସମ୍ଭାବନା, ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଦୁଇ ଦିନ ଧରି ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। କେଉଁଠି ସ୍ୱଳ୍ପ ତ ଆଉ କେଉଁଠି ମଧ୍ୟମଧରଣର ବର୍ଷା ହେଉଛି। ଏଭଳି ସ୍ଥିତି ଆହୁରି ୩୬ ଘଣ୍ଟା ଧରି ଲାଗି ରହିବ। ବିହାର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏଥିସହ ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଆଜି କମ ଚିହ୍ନିତ (ଲେସ ମାର୍କ) ହୋଇଛି। ଏହି ଦୁଇ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୯ ତାରିଖ ଅପରାହ୍‌ଣ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଚାଷୀଙ୍କୁ ସତର୍କ କରାଯିବା ସହ ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନକୁ ପରାମର୍ଶ ଦିଆଯାଇଛି। ଏଥିସହ ୧୦ ଓ ୧୧ତାରିଖରେ କେତେକ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୮ ତାରିଖ ପୂର୍ବାହ୍ନ ସୁଦ୍ଧା ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁରର କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ହୋଇପାରେ। ଏଥିସହ ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରେ ଘଡ଼ଘଡ଼ି, ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ସେହିପରି ୮ ତାରିଖ ପୂର୍ବାହ୍ନରୁ ୯ ତାରିଖ ପୂର୍ବାହ୍ନ ମଧ୍ୟରେ ରାୟଗଡ଼ା, ଗଜପତି, ପୁରୀ, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ରାସ୍ତାଘାଟ ଠିକ ଭାବେ ଦୃଶ୍ୟମାନ ହେବ ନାହିଁ।

୯ ତାରିଖ ଅପରାହ୍‌ଣଠାରୁ ପାଗରେ ପରିବର୍ତନ ଆସିବ। ବର୍ଷା କମିବା ସହ କୁହୁଡ଼ି ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୯ ଓ ୧୦ ତାରିଖରେ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବ। ଏଥିସହ ୧୦ ଓ ୧୧ ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଅନୁଗୁଳ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ହେବ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଗାଡ଼ି ଚାଳକଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨ ଦିନ ଯାଏ ରାତିର ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବ ନାହିଁ। ତେବେ ଏହାପରେ ତାପମାତ୍ରା ଲଗାତାର ଭାବେ ୨ରୁ ୪ ଡିଗ୍ରି କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ୬ ସେମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ଆସ୍କାରେ ୫ ସେମି, କନ୍ଧମାଳ ଜିଲ୍ଲାର ଟିକାବାଲି ଓ କୋଟଗଡ଼ରେ ୪ ସେମି, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୪, ରାୟଗଡ଼ା ଜିଲ୍ଲାର କାଶୀପୁର, ବରଗଡ଼ ଜିଲ୍ଲାର ବିଜିପୁର, ଖୋର୍ଦ୍ଧା ଜିଲ୍ଲା ବାଣପୁର, କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୩ ସେମି ଲେଖାଏ ବର୍ଷା ହୋଇଛି। ଯଦି ଆଜି ଦିନର ସ୍ଥିତି ଦେଖିବା, ତେବେ ହୀରାକୁଦରେ ସର୍ବାଧିକ ୧୨.୨ ମିମି ବର୍ଷା ହୋଇଥିବା ବେଳେ ପାରାଦୀପରେ ୯.୨, ସମ୍ବଲପୁରରେ ୮.୬, ପୁରୀରେ ୭, ଚାନ୍ଦବାଲିରେ ୫, ଅନୁଗୁଳ, ତାଳଚେର, ଝାରସୁଗୁଡ଼ା, କେନ୍ଦୁଝରରେ ୪ ମିମି ଲେଖାଏ ବର୍ଷା ହୋଇଥିବା ସୂଚନା ମିଳିଛି। ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର