ବର୍ଷା ଭିଜାଇଲା, ଶୀତ ଥରାଇଲା : ଆଜିଠୁ ରାଜ୍ୟରେ ପ୍ରବଳ ଜାଡ଼, ୭ ଜିଲ୍ଲା ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଅଦିନିଆ ବର୍ଷାରେ ଆଜି ସାରା ଓଡ଼ିଶା ଭିଜିଛି। କାଲୁଆ ପବନ ସାଙ୍ଗକୁ ବର୍ଷା ମାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଆଜି ପ୍ରବଳ ଥଣ୍ଡାରେ ସାରା ଓଡ଼ିଶା ଥରିଛି। ରବିବାର ମଧ୍ୟ ଏହିଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ସାରା ରାଜ୍ୟରେ ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ସର୍ବାଧିକ ୨୨ମିମି ବର୍ଷା ହୋଇଛି। ସେହିପରି ବୌଦ୍ଧରେ ୧୫.୩ମିମି, ନୟାଗଡ଼ରେ ୧୫.୨ମିମି, ସୋନପୁର, ଦାରିଙ୍ଗବାଡ଼ି, ଅନୁଗୁଳ ଓ ବାଲେଶ୍ବରରେ ୧୦ମିମି, ଫୁଲବାଣୀ ଓ ଟିଟିଲାଗଡ଼ରେ ୧୨ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୧ମିମି, କଟକରେ ୩.୪ମିମି, ପାରାଦୀପରେ ୦.୨ମିମି, ଭୁବନେଶ୍ବରରେ ୩.୬ମିମି, ପୁରୀ ୦.୪ମିମି, ବାରିପଦାରେ ୨ମିମି, ଝାରସୁଗୁଡ଼ାରେ ୧ମିମି, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ ଓ ତାଳଚେରରେ ୪ମିମି ଲେଖାଏଁ, ଭବାନୀପାଟଣା‌‌େର ୧ମିମି, ବଲାଙ୍ଗୀରରେ ୨ମିମି, ରାୟଗଡ଼ାରେ ୧.୭ମିମି ବର୍ଷା ହୋଇଛି।

ଆଜି ସାରା ରାଜ୍ୟରେ ଯେଉଁଭଳି ପାଗ ଲାଗି ରହିଥିଲା ଆସନ୍ତାକାଲି ବି ସେହିଭଳି ପାଗ ରହିବ। ଆଜି ତୁଳନାରେ ଯଦିଓ ରବିବାର ବର୍ଷା କମିବ କିନ୍ତୁ ସାରା ରାଜ୍ୟରେ ଝିପିଝିପି ବର୍ଷା ହେବ। ରବିବାର ସଂଧ୍ୟା ପରେ ପାଗରେ ପରିବର୍ତ୍ତନ ଆସିବ। ହେଲେ ବର୍ଷା ଛାଡ଼ିବା ପରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ିବା ସହ ସାରା ରାଜ୍ୟରେ ପ୍ରବଳ ଥଣ୍ଡା ହେବ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ପାରଦ ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରି କମ୍‌ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ରବିବାର ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କନ୍ଧମାଳରେ ହାଲୁକା ବର୍ଷା ହେବାକୁ ଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯା‌ୟୀ ଅନୁଗୁଳ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ଶୀତ ହେବ। ତେଣୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟର ବାକି ଅଞ୍ଚଳରେ ବି ଥଣ୍ଡା ହେବ କିନ୍ତୁ ଆଭ୍ୟନ୍ତର ଓ ଉତ୍ତର ଓଡ଼ିଶା ତୁଳନାରେ କମ୍‌ ହେବ। ସେହିପରି ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କଟକ, ରାୟଗଡ଼ା ଓ କୋରାପୁଟରେ ଘନ କୁହୁଡ଼ି ପଡ଼ିବ।

ସମ୍ବନ୍ଧିତ ଖବର