ଏବେ ତାତି ବଢ଼ିବ, ରାଜ୍ୟରେ ଆଉ ଶୀତ ହେବନି

ଭୁବନେଶ୍ବର : ରାଜ୍ୟରେ ଆଉ ଶୀତ ହେବନି। ଏଣିକି ଲୋକ ଦିନରେ ତାତି ଓ ରାତିରେ ଗରମ ଅନୁଭବ କରିବେ। ଏହିଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। କେବଳ ରାତିର ନୁହେଁ ଦିନର ତାପମାତ୍ରା ମଧ୍ୟ ବଢ଼ିବ। ୪ରୁ ୫ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଫଳରେ ଲୋକମାନେ ଖରା ଅନୁଭବ କରିବେ। ବର୍ତ୍ତମାନର ପାଣିପାଗ ସ୍ଥିତି ଯାହା ସେଥିରେ ଆଉ ଶୀତ ଫେରିବାର ସମ୍ଭାବନା ନାହିଁ।

ଚଳିତବର୍ଷ ବିଳମ୍ବରେ ଶୀତ ଆସିଥିବା ବେଳେ ବିଳମ୍ବରେ ବି ଶୀତ ଛାଡ଼ିଛି। ଫେବ୍ରୁଆରି ଅଧାରେ ରାଜ୍ୟରୁ ଶୀତ ଛାଡ଼ିଛି। ପାଣିପାଗ ଚକ୍ର ବଦଳୁଥିବାରୁ ଏଥର ଜଲ୍‌ଦି ଗ୍ରୀଷ୍ମ ଋତୁ ଭଳି ଖରା ଅନୁଭବ ହେବ। ଫେବ୍ରୁଆରି ମାସରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନବେଳା ତାପମାତ୍ରା ୩୫ଡିଗ୍ରି ଉପରେ ରହିବ। ରାତିରେ ତାପମାତ୍ରା ୧୭ଡିଗ୍ରି ଉପରେ ରହିବ।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ଡିରେ ସର୍ବାଧିକ ୩୪.୬ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ପାରାଦୀପ, ଗୋପାଳପୁର,ଫୁଲବାଣୀ ଓ ଦାରିଙ୍ଗବାଡ଼ିକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ପାରଦ ୩୦ଡିଗ୍ରି ଉପରେ ଥିଲା। ସେହିପରି ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୧.୪ଡିଗ୍ରି ରେକର୍ଡ ହୋଇଛି। ପୁରୀରେ ସବୁଠୁ ଅଧିକ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଆଜି ରାତିରେ ଏହା ୧୯.୬ଡିଗ୍ରି ଥିବା ରେକର୍ଡ ହୋଇଛି। ସେହିପରି ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ କୌଣସି ସ୍ଥାନରେ ବି ବର୍ଷା ହେବାର ସମ୍ଭାବନା ନାହିଁ।

ସମ୍ବନ୍ଧିତ ଖବର