ରାଜ୍ୟରୁ ଫେରୁଛି ଶୀତ, ଆସୁଛି ତାତି
ଭୁବନେଶ୍ୱର : ବଢ଼ୁଛି ତାତି। ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ଇତି ମଧ୍ୟରେ ୩୦ ଡିଗ୍ରି ଟପିଗଲାଣି। ଏପରିକି ମାଲକାନଗିରି ଓ ପାରଳାଖେମୁଣ୍ଡି ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଥିବା ବେଳେ ଟିଟିଲାଗଡ଼ ତାପମାତ୍ରା ୩୪ ଡିଗ୍ରି ପାର୍ ହୋଇଛି। ଏଣିକି ପ୍ରତିଦିନ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆହୁରି କୁହାଯାଇଛି ଯେ ଆସନ୍ତା ୨ରୁ ୩ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ଆସିବ ନାହିଁ। ତେବେ ଦିନର ତାପମାତ୍ରା ବଢ଼ିବ। ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ହେବ। ଉପକୂଳ ଓଡ଼ିଶାରେ କୁହୁଡ଼ି ପରିମାଣ ଅଧିକ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୁହୁଡ଼ି ହେବାକୁ ଥିଲେ ମଧ୍ୟ ଦିନର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଯେ ଆସନ୍ତା ୧୮ ତାରିଖ ଯାଏ ଥଣ୍ଡା ପ୍ରବାହ ଜାରି ରହିବ। ତେବେ ଦିନର ତାପମାତ୍ରା ବଢ଼ିବ ଓ ୨୦ ତାରିଖରେ ଚଳିତବର୍ଷର ସବୁଠାରୁ ଅଧିକ ଗରମ ଅନୁଭୂତ ହେବ। ଏବେ ରାଜ୍ୟକୁ ବହୁଥିବା ଉତ୍ତରା ପଶ୍ଚିମା ଥଣ୍ଡା ପବନ ୧୮ ତାରିଖ ଯାଏ ଜାରି ରହିବ। ଏହା ପରେ ପାଗରେ ପରିବର୍ତନ ଆସିବ ଓ ପବନର ଦିଗ ବଦଳିବ। ଅଧିକାଂଶ ସ୍ଥାନରେ ଦକ୍ଷିଣ ଓ କିଛି ସ୍ଥାନରେ ଦକ୍ଷିଣପୂର୍ବ ପବନ ପ୍ରବାହିତ ହେବ। ତେଣୁ ଦିନର ତାପମାତ୍ରା ବଢ଼ିବ। ୧୯ ଓ ୨୦ ତାରିଖ ଭିତରେ ୨ ଡିଗ୍ରି ବଢ଼ିପାରେ। ୧୮ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ଲଗାତାର ବୃଦ୍ଧି ପାଇବ। କୋରାପୁଟ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଆଦି ଜିଲ୍ଲାରେ ୨୦ ତାରିଖ ସୁଦ୍ଧା ୬ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି।