ଆଜିଠୁ ଖରା ବଢ଼ିବ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଜାରି ରହିବ

ଭୁବନେଶ୍ବର : ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢ଼ୁଛି। କେଉଁଠି ୨ ଡିଗ୍ରି ବଢ଼ୁଛି ତ ଆଉ କେଉଁଠି ୫ ଡିଗ୍ରି ବୃଦ୍ଧି ପାଉଛି। ପାରାଦୀପ, ଗୋପାଳପୁର, ଛତ୍ରପୁର, ରାୟଗଡ଼ାରେ ସର୍ବନିମ୍ନ ତାପମାତ୍ରା ବି ଇତି ମଧ୍ୟରେ ୨୦ ଡିଗ୍ରି ଉପରେ ଚାଲିଯାଇଛି। ସେହିପରି ପୂର୍ବାନୁମାନ ଅନୁଯାୟୀ ଗତକାଲିଠାରୁ ଶୀତ କମିବା ସହ ଓଡ଼ିଶାର ବିଭିନ୍ନ ସହରରେ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି। ପାରାଦୀପ, ପୁରୀ, ଛତ୍ରପୁର, ଫୁଲବାଣୀ ବ୍ୟତୀତ ଅନ୍ୟ ସମସ୍ତ ସହରରେ ଆଜି ଦିନର ତାପମାତ୍ରା ୩୦ ଡିଗ୍ରି ଟପିଯାଇଛି। ମାଲକାନଗିରିର ତାପମାତ୍ରା ପୂର୍ବଭଳି ୩୫ ଡିଗ୍ରି ରହିଥିବା ବେଳେ ପାରଳାଖେମୁଣ୍ଡିରେ ୩୪.୫ ଡିଗ୍ରି ରେକର୍ଡ ହୋଇଛି। ମଙ୍ଗଳବାରଠାରୁ ଦିନର ତାପମାତ୍ରା ଆହୁରି ବଢ଼ିବ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଜାରି ରହିବ। ୨୦୦ ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କନ୍ଧମାଳ, ଅନୁଗୁଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ବର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ରହିବ।

ସମ୍ବନ୍ଧିତ ଖବର