ଆଜିଠୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର : ଲେଉଟିଲା ତାତି। ଆଜି ରାଜ୍ୟର ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩୮ ଡିଗ୍ରି ଡେଇଁଯାଇଛି। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୩୮.୩, ସୋନପୁର ଓ ସମ୍ବଲପୁରରେ ୩୮.୨, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ୩୮ ଡିଗ୍ରି ରହିଥିଲା। ୧୬ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ଭୁବନେଶ୍ୱରରେ ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ୩୬.୩ ଡିଗ୍ରି ରହିଥିଲା। ଅନୁଗୁୁଳ, ବାଲେଶ୍ୱର, ଝାରସୁଗୁଡ଼ା ସହରର ତାପମାତ୍ରା ପୁଣିଥରେ ୩୭ ଡିଗ୍ରି ଟପିଛି। ମଙ୍ଗଳବାରଠାରୁ ତାତି ବଢ଼ିବ। ପ୍ରତି ସହରରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନୁଗୁଳ, ତାଳଚେର, ସମ୍ବଲପୁର, ଝାରସୁଗୁଡ଼ା, ହୀରାକୁଦ, ଟିଟିଲାଗଡ଼, ସୋନପୁର, ମାଲକାନଗିରି ପରି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରିରେ ପହଞ୍ଚିବ। ଉପକୂଳ ଓଡ଼ିଶାର ସମସ୍ତ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲିଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର