ରାଜ୍ୟରେ ୪ ଦିନ ବର୍ଷା ସମ୍ଭାବନା, ୩ ଦିନ ପାଇଁ ‌ୟେଲୋ ୱାର୍ଣ୍ଣିଂ, ଦୁଇ ସପ୍ତାହ ଯାଏ ବଡ଼ ଖରା ନାହିଁ

ଭୁବନେଶ୍ବର : ଗତ ସପ୍ତାହେ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ବଢ଼ି ଚାଲିଛି। କେଉଁଠି ୨ ଡିଗ୍ରି ତ ଆଉ କେଉଁଠି ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଜି ବି ଅଧିକାଂଶ ସ୍ଥାନରେ ସମାନ ସ୍ଥିତି ଲାଗି ରହିଥିଲା। ତେବେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଫେବ୍ରୁଆରି ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ଏହାପରେ ତାପମାତ୍ରା ସାମାନ୍ୟ ବଢ଼ିବାକୁ ଥିଲେ ମଧ୍ୟ ଟାଣ ଖରା ହେବନି ବୋଲି ପୂର୍ବାନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଝଡ଼ତୋଫାନ ଓ ବଜ୍ରପାତ ସହ ବର୍ଷା ହେବ। ୨୩ ତାରିଖ ଅପରାହ୍ନଠାରୁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବଜ୍ରପାତ ସହ ହାଲୁକା ବର୍ଷା ହୋଇପାରେ। ୨୪ ତାରିଖରେ ଉପରୋକ୍ତ ଜିଲ୍ଲା ସମେତ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ ୨୫ ଓ ୨୬ ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବନି ବୋଲି ଆକଳନ କରାଯାଇଛି।

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ସେଭଳି ଗରମ ବଢ଼ିବ ନାହିଁ। ମଝିରେ ମଝିରେ ପାଗ ମେଘୁଆ, ବର୍ଷା ଏବଂ ବଙ୍ଗୋପସାଗରୀୟ ବା ଉତ୍ତରା ପବନ ବହିବା ହେତୁ ଅଧିକାଂଶ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ଆଜି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଉପରେ ଥିବା ଏକ ଘୂର୍ଣ୍ଣିବଳୟ କ୍ରମଶଃ ପୂର୍ବ ଆଡ଼କୁ ଗତି କରିବ। ଶନିବାର ପଶ୍ଚିମ ଉତ୍ତରପ୍ରଦେଶ, ତା’ପରେ ପୂର୍ବ ଉତ୍ତରପ୍ରଦେଶ ଉପରେ ରହିବ।

ଅନୁମାନ କରାଯାଉଛି ଯେ ୨୩ ଓ ୨୪ ତାରିଖରେ ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରି କମିବ ଏବଂ ୨୬ରୁ ୨୮ ତାରିଖ ଭିତରେ ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଭୁବନେଶ୍ବର ଓ ଦକ୍ଷିଣ ଉପକୂଳରେ ୨୩ରୁ ୨୮ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପାଖାପାଖି ୫ ଡିଗ୍ରି ବଢ଼ିବ। ତେଣୁ ଶୀତ ରହିବ ନାହିଁ। ତେ‌‌ବେ ଚଳିତ ମାସ ଶେଷ ସୁଦ୍ଧା ଉତ୍ତର ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ରହିବ। ୨୫ରେ ମେଘୁଆ ଓ ବର୍ଷା ପାଗ ହେତୁ ତାପମାତ୍ରା କମ ରହିବ। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ୨୩ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ପରିବର୍ତନ ହେବନି। ୨୪ ଓ ୨୫ରେ ମେଘୁଆ ଓ ବର୍ଷା ପାଗ ହେତୁ ତାପମାତ୍ରା ବିଶେଷ ଭ‌ାବେ କମିବ। ୨୫ ତାରିଖରେ ଉପକୂଳ ଓଡ଼ିଶାରେ, ୨୪ ଓ ୨୫ରେ ରାଜ୍ୟର ବାକି ଅଞ୍ଚଳରେ ପାଗ ମେଘୁଆ ସହ ହାଲୁକା ବର୍ଷା ହୋଇପାରେ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖରୁ ପାଗ ପୁଣି ବଦଳିବ। ଉତ୍ତରା ପବନ ବହିବ। ‌ଫେବ୍ରୁଆରି ୨୯ ଓ ମାର୍ଚ୍ଚ ୧ରେ ପାଗ ମେଘୁଆ ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର