ପଶ୍ଚିମବଙ୍ଗ-ଓଡ଼ିଶା ସୀମା ବିବାଦ‌ରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ମାପଚୁପ ପାଇଁ ପହଂଚିଲା ୧୨ ଜଣିଆ ଟିମ୍‌

ତାଲିକାରେ ଜଳେଶ୍ବର ବ୍ଲକ୍‌ର ୯ ଗାଁ

ଓଲମରା: ବର୍ଷ ବର୍ଷ ଧରି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ରେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାକୁ ନେଇ ବିବାଦ ଲାଗିରହିଛି। ତେବେ ଏହି ବିବାଦର ସମାଧାନ ନେଇ ବାଟ ଫିଟିଥିବା ଜଣାପଡ଼ିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ଲକ୍‌ ଅଧୀନ ସୀମାସ୍ଥ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଆଜି ଗୋଟିଏ ଗ୍ରାମରେ ମାପଚୁପ ହୋଇଛି।

ବାଲେଶ୍ବର ଜିଲ୍ଲାରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାକୁ ନେଇ ଅଧିକାଂଶ ସମୟରେ ବିବାଦ ଓ ଉତ୍ତେଜନା ଲାଗିରହୁଛି। ଫଳରେ ଏହି ସମସ୍ୟାକୁ ନେଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ତତ୍ପରତା ପ୍ରକାଶ କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମ‌େ ଆଜି ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ ଏବଂ ଉପ-ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆର୍‌ଆଇ ମାନସ କୁମାର ବେହେରା, ଆର୍‌ଆଇ ପ୍ରଭୁରାମ କାସ୍ତ, ସହକାରୀ ଆର୍‌ଆଇ ସଂଜୟ କୁମାର ପଣ୍ଡା, ଇନ୍‌ସପେକ୍ଟର ଗୌରାଙ୍ଗ ଚରଣ ଜେନା ଓ ପ୍ରତାପ ଚନ୍ଦ୍ର ଭଞ୍ଜ, ଅଞ୍ଜନ ଟୁଡୁ, ସୃଷ୍ଟିଧର ପଟ୍ଟାୟତ, ଦିଲ୍ଲୀପ କୁମାର ଚାନ୍ଦ, ଅମିନ ସାଗର କୁମାର ବାସ୍କେ, ସିବେନଲାଲ ମୁର୍ମୁ, ସଂଜୟ କୁମାର ପରିଡ଼ା ଓ ଯଶୋଦା ମହାନ୍ତିଙ୍କ ୧୨ ଜଣିଆ ଟିମ୍‌ ସୀମାରେ ଥିବା ଜଳେଶ୍ବର ବ୍ଲକ୍‌ ଅଧୀନ ବିଳାସପୁର ଗ୍ରାମକୁ ଯାଇଥିଲେ। ସେଠାରେ ସେମାନେ ସୀମା ଚିହ୍ନଟ ସହ ମାପଚୁପ କରିଛନ୍ତି ବୋଲି ଓଲମରା ଆର୍‌ଆଇ ଦିଲ୍ଲୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ଉଲ୍ଲେଖ ଥାଉ କି ଜଳେଶ୍ବର ବ୍ଲକ୍‌ରେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାକୁ ଲାଗି ମୁଖ୍ୟତଃ ୯ଟି ଗ୍ରାମ ରହିଛି। ପ୍ରଥମ ପର୍ଯ୍ୟାୟରେ ବିଳାସପୁର ଗ୍ରାମରେ ମାପଚୁପ ହୋଇଥିବା ବେଳେ ଆଗାମୀ ଦିନରେ ଗୋପାଳପୁର, କୁଅଁରପୁର, ମାକିଡ଼ିଆ, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକ୍ରମପୁର ଗ୍ରାମରେ ମାପଚୁପ ହେବ। ମାପ ସରିଲେ ଭୁବନେଶ୍ବର ଓରସାକ୍‌ର ସ୍ବତନ୍ତ୍ର ଟିମ୍‌ ଏବଂ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟିର ମିଳିତ ଯାଂଚ ପରେ ଚୂଡ଼ାନ୍ତ ସୀମା ସ୍ଥିର ହେବ।

ସମ୍ବନ୍ଧିତ ଖବର