ବାରିପଦା: ବାଘୁଣୀ ‘ଜୀନତ୍‌’କୁ ନେଇ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତାରେ ଆୟୋଜିକ ଏକ ରାଜନୈତିକ ସମାବେଶରେ ଯୋଗଦେଇ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି। ବାଘ ଏବେ ପୁରୁଲିଆରେ ଅଛି, ତାକୁ ଓଡ଼ିଶା ସରକାର ନେଇଯାଆନ୍ତୁ ବୋଲି କହିବା ପରେ ରାଜନୀତି ଉଷ୍ମ ହୋଇଛି। ମହାରାଷ୍ଟ୍ରରୁ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ‘ଜୀନତ୍‌’ ଏବେ ଉତ୍ତର ଶିମିଳିପାଳର ଏନ୍‌କ୍ଲୋଜରରେ ରହିଥିବା ବେଳେ ବ‌ାଘୁଣୀ ‘ଯମୁନା’ ଦକ୍ଷିଣ ଶିମିଳିପାଳର ଲ୍ୟାଣ୍ଡସ୍କେପ୍‌ରେ ଚଳପ୍ରଚଳ କରୁଛି। ଦୁଇଟିଯାକ ବାଘୁଣୀ ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ଉଭୟଙ୍କୁ କ୍ୟାମେରା ଓ କଲାର୍ ଆଇଡି ଜରିଆରେ ନଜରରେ ରଖାଯାଇଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏପରି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। 

Advertisment

ପୁରୁଲିଆରେ ବାଘ ଅଛି, ଓଡ଼ିଶା ସରକାର ନେଇ ଯାଆନ୍ତୁ: ମମତା
ପ୍ରମାଣ ଦେଲେ ପଦକ୍ଷେପ ନିଆଯିବ: ଓଡ଼ିଶା ଜଙ୍ଗଲ ମନ୍ତ୍ରୀ
ବନ୍ୟପ୍ରାଣୀ ବିଶେଷଜ୍ଞ ବି କଡ଼ା ଜବାବ ଦେଲେ
ଆମ ନଜରରେ ରହିଛନ୍ତି ଦୁଇ ବାଘୁଣୀ: ଆର୍‌ସିସିଏଫ୍‌

ମମତାଙ୍କୁ ଜବାବ ଦେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଭନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ତାଙ୍କ ବନବିଭାଗ ସହିତ ମମତା ଆଲୋଚନା ନକରି ସିଧାସଳଖ ଓଡ଼ିଶା ସରକାର ଉପରେ ଦୋଷ ଲଦି ଦେଇଛନ୍ତି। ପ୍ରଥମକଥା ହେଲା, ଜଙ୍ଗଲର କୌଣସି ପଶୁପକ୍ଷୀ ଲାଗି ଭୌଗୋଳିକ ସୀମାରେଖା ନଥାଏ। ସେମାନେ ସମସ୍ତେ ଦେଶର ସମ୍ପତ୍ତି। ଯେଉଁଠିକୁ ଗଲେ ସେଠାକାର ସରକାର ତାଙ୍କ ସୁରକ୍ଷା ଓ ଯତ୍ନ ନେବା ବାଧ୍ୟତାମୂଳକ ଅଟେ। ଦ୍ୱିତୀୟ କଥା, ଭାରତର ପ୍ରତିଟି ବାଘର ନମୁନା ସହିତ ପରିଚୟ ଏନ୍‌ଟିସିଏ ପାଖରେ ମହଜୁଦ ରହିଛି। ଗୋଟିଏ ଫଟୋ ଦ୍ୱାରା ଘଣ୍ଟାଏ ଭିତରେ ଏନ୍‌ଟିସିଏ ସ୍ପଷ୍ଟ କରିପାରିବ ସଂପୃକ୍ତ ବାଘଟି କେଉଁଠି ଅଛି। ଏନ୍‌ଟିସିଏର ନିୟମ ନଜାଣି ମମତାଙ୍କ ଏଭଳି ମନ୍ତବ୍ୟ ଦେବା ଶୋଭା ପାଉନି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସେମିତି ହେଲେ ବର୍ଷସାରା ପଶ୍ଚିମବଙ୍ଗର ଶତାଧିକ ହାତୀ ମୟୂରଭଞ୍ଜରେ ପଶି ଧନଜୀବନ ନଷ୍ଟ କରିବା ପରେ ଆମେ କ’ଣ ମମତାଙ୍କ ସରକାରକୁ ତାଙ୍କ ହାତୀ ଧରି ନିଅନ୍ତୁ ବୋଲି କହିଛୁ କି ବୋଲି ଶ୍ରୀ ଆଚାର୍ଯ୍ୟ କଟାକ୍ଷ କରିଛନ୍ତି। 
ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି, ଓଡ଼ିଶାରେ ବିଜେପି ସରକାରଙ୍କୁ ସହ୍ୟ କରି ପାରୁ ନାହାନ୍ତି ମମତା। ଓଡ଼ିଶାରୁ କୌଣସି ବାଘ ସେଠାକୁ ଯାଇ ନାହାନ୍ତି। ଯଦି ଯାଇଥିବେ, କିଛି ଦିନ ପ‌ରେ ପଳାଇ ଆସିଥିଲେ। ଯଦି ପ୍ରମାଣ ଅଛି, ଦିଅନ୍ତୁ ଆମେ ପଦକ୍ଷେପ ନେବୁ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଆର୍‌ସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ଯେ ଶିମିଳିପାଳକୁ ଆସିଥିବା ମହାରାଷ୍ଟ୍ରର ବାଘୁଣୀ ଆମ ନଜରରେ ରହିଛନ୍ତି। ଉଭୟ ବାଘୁଣୀ ଏବେ ଶିମିଳିପାଳରେ ଅଛନ୍ତି। ଯଦି କୌଣସି ବାଘ ସେଠାକୁ ଯାଇଛନ୍ତି, ତେବେ ଫଟୋ ଓ ଭିଡିଓ ଦେଲେ ଆମେ ଏହାର ତଦନ୍ତ କରି ପଦ‌କ୍ଷେପ ଗ୍ରହଣ କରିବୁ ବୋଲି ଶ୍ରୀ ଗୋଗିନେନୀ ପ୍ରକାଶ କରିଛନ୍ତି।