ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ବାଡ଼ଭଙ୍ଗା ଘଟଣା : ପୁଣିଥରେ ସିଲ୍‌ ହେଲା ରାସ୍ତା

ଭୋଗରାଇ : ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଉତ୍ତର ନାଡ଼ବଣି-ବରଣ୍ଡିଆ ରାସ୍ତାରେ ବାଡ଼ ଭାଙ୍ଗିବା ଘଟଣା ଭିନ୍ନ ମୋଡ଼ ନେଇଛି। କରୋନା କଟକଣା ଯୋଗୁଁ ସୀମାନ୍ତରେ ହୋଇଥିବା ବାଡ଼କୁ ଜନୈକ ବିଜେପି ନେତା ଭାଙ୍ଗି ପ୍ରବେଶ କରିବା ଘଟଣାକୁ ଅସ୍ବୀକାର କରିଥିବାବେଳେ ପଶ୍ଚିମବଙ୍ଗର ଗାଁ ଲୋକେ ଭାଙ୍ଗିଥିବା ସେହି ଗାଁର ଅନ୍ୟ ଏକ ରାସ୍ତାରେ ଥିବା ବାଡ଼କୁ ଜଳେଶ୍ବର ଏସ୍‌ଡିପିଓଙ୍କ ଉପସ୍ଥିତିରେ ବୁଜିଦେଇଛନ୍ତି। କମର୍ଦ୍ଦା ଥାନା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସିଲ୍‌ ହୋଇଥିବା ସମୁଦାୟ ୧୨ଟି ରାସ୍ତା ମଧ୍ୟରୁ ସିଆଁରୁଇ ପଞ୍ଚାୟତ ଉତ୍ତର ନାଡ଼ବଣୀ-ବରଣ୍ଡିଆ ରାସ୍ତାକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ରାସ୍ତା ପଶ୍ଚିମବଙ୍ଗ ପଟୁ ସିଲ୍‌ ହୋଇଛି।

ଗତ ରବିବାର ଦିନ କମର୍ଦ୍ଦା ଅଞ୍ଚଳର ବିଜେପି ନେତା ତଥା ଆଇନଜୀବୀ ରାଜକୁମାର ଦାସ ଓ ତାଙ୍କର ୩ ଜଣ ବନ୍ଧୁ ପଶ୍ଚିମବଙ୍ଗ ପଟୁ ଏହି ବାଡ଼ ଭାଙ୍ଗି ଓଡ଼ିଶା ସୀମାକୁ ପ୍ରବେଶ କରିଥିଲେ। ଏହାସହିତ ସେଠାରେ ଜଗିଥିବା ସ୍ବେଚ୍ଛାସେବୀ ଯୁବକମାନଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବିବାଦ ଥମି ନଥିଲା ବେଳେ ଗତକାଲି ସଂଧ୍ୟାରେ ପଶ୍ଚିମବଙ୍ଗ ବରଣ୍ଡିଆ ଗ୍ରାମର ଦେଢ଼ ଶହରୁ ଅଧିକ ଲୋକ ସେହି ଗାଁର ଅନ୍ୟ ଏକ ସୀମାରେ ହୋଇଥିବା ବାଡ଼ ପାଖରେ ପହଞ୍ଚି ସେଠାରେ ଜଗିଥିବା ଯୁବକମାନଙ୍କୁ ପିଟାମରା କରିବା ସହ ବାଡ଼କୁ ଉପାଡ଼ି ଫିଙ୍ଗି ଦେଇଥିଲେ।

ଖବର ପାଇ ଜଳେଶ୍ବର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ସୀମା ସୁରକ୍ଷା ଦାୟିତ୍ବରେ ଥିବା ଡିଏସ୍‌ପି ସ୍ବରାଜ ଦେବତା, କମର୍ଦ୍ଦା ଥାନା ଅଧିକାରୀ ପାସ୍କେଲ ଏକ୍କା, ତହସିଲଦାର ରାଖାଲ ଚନ୍ଦ୍ର ପରିଡ଼ା‌, ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଓ ସ୍ଥାନୀୟ ସରପଞ୍ଚ ଲକ୍ଷହୀରା ସେଠୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ରାତିରେ ବାଡ଼ ବସାଯାଇଥିଲା। ଅନ୍ୟପକ୍ଷରେ, ବାଡ଼ଭାଙ୍ଗି ସେ ସୀମାରେ ପ୍ରବେଶ କରିନଥିବା ବିଜେପି ନେତା ଶ୍ରୀ ଦାସ କହିଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ପଶ୍ଚିମବଙ୍ଗ ଗୋପୀନାଥପୁରରେ ରହୁଥିବା ନିଜ ଭଉଣୀଙ୍କୁ ନେଇ ସେ ମୁମ୍ବାଇକୁ ଚିକିତ୍ସା ପାଇଁ ଯାଇଥିଲେ। ପରେ ସେମାନେ ମୁମ୍ବାଇ ପୁଲିସର ଅନୁମତି ନେଇ ଘରକୁ ଫେରିଥିଲେ। ନିୟମ ଅନୁସାରେ ପଶ୍ଚିମବଙ୍ଗ ଗୋପୀନାଥପୁରରେ ଥିବା ଭିଣୋଇଙ୍କ ଘରେ ସେ ୧୪ ଦିନ ସଂଗରୋଧରେ ରହିବା ସହ ଭୋଗରାଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଯୋଗାଯୋଗ କରି କୋଭିଡ୍‌ ପରୀକ୍ଷା ପାଇଁ ନିବେଦନ କରିଥିଲେ। ଡାକ୍ତର ତାଙ୍କୁ ଆସିବାକୁ କହିବାରୁ ସେ ତାଙ୍କ ଭଉଣୀ, ଭଣଜାଙ୍କ ସହ ନାଡ଼ବଣି-ବରଣ୍ଡିଆ ରାସ୍ତା ଦେଇ ଆସିଥିଲେ। ଆସିବା ପୂର୍ବରୁ ସେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଏବଂ ଉକ୍ତ ଗାଁର ୱାର୍ଡ ମେମ୍ବରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେମାନେ ଅନୁମତି ଦେବାରୁ ବାଡ଼ଖୋଲା ଯାଇ ତାଙ୍କୁ ଛଡ଼ା ଯାଇଥିଲା ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର