ଓଡ଼ିଶା ହେବ ଆଇଟି ପେଣ୍ଠସ୍ଥଳ, ବ୍ୟାପକ ନିଯୁକ୍ତି ସୁଯୋଗ: ମନ୍ତ୍ରୀ

ଭୁବନେଶ୍ବର: ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ। ଯାହାଯୋଗୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭୁବନେଶ୍ବରସ୍ଥିତ ଗୋଠପାଟଣା ସଫ୍ଟ୍‌ଓ୍ବେର ଟେକ୍ନୋଲୋଜି ପାର୍କ୍‌ (ଏସ୍‌ଟିପିଆଇ) ପରିଦର୍ଶନରେ ଯାଇ ଏହି ସୂଚନା ଦେଇଛନ୍ତି ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା। ବର୍ତ୍ତମାନ ରାଜ୍ୟରେ ଭୁବନେଶ୍ବର, ବ୍ରହ୍ମପୁର ଓ ରାଉରକେଲା ଏସ୍‌ଟିପିଆଇ କାର୍ଯ୍ୟ କରୁଥିବାବେଳେ ନବନିର୍ମିତ ବାଲେଶ୍ବର ଏସ୍‌ଟିପିଆଇ କେନ୍ଦ୍ର ଉଦଘାଟନ ଅପେକ୍ଷାରେ ରହିଛି। ଏହାସହିତ କୋରାପୁଟ, ଜୟପୁର, ଯାଜପୁର, ଅନୁଗୁଳ ଓ ସମ୍ବଲପୁର ଏସ୍‌ଟିପିଆଇ ପ୍ରତିଷ୍ଠା କାର୍ଯ୍ୟ ଆଗାମୀ ଦୁଇବର୍ଷ ଭିତରେ ଶେଷ କରାଯିବା ନେଇ ଯୋଜନା ରହିଛି।

ଗୋଠପାଟଣା ଏସ୍‌ଟିପିଆଇ କେନ୍ଦ୍ର ପରିଦର୍ଶନ ସମୟରେ ଶ୍ରୀ ବେହେରା ପ୍ଲଗ୍‌ ଆଣ୍ଡ ପ୍ଲେ, ନେକ୍ସଟ୍‌ ଜେନେରେସନ୍‌ ଇନ୍‌କ୍ୟୁବେସନ୍‌ ସେଣ୍ଟର, ଡାଟା ଷ୍ଟୋରେଜ୍‌, ଡାଟା ସିକ୍ୟୁରିଟି, ଇଲେକ୍ଟ୍ରୋପ୍ରିନିୟର୍‌ ପାର୍କ୍‌, ମେଣ୍ଟର କନେକ୍ଟ ଆଦି ରହିଥିବା ବିଭିନ୍ନ ଆଇଟି ଭିତ୍ତିଭୂମିକୁ ମନ୍ତ୍ରୀ ଶ୍ରୀ ବେହେରା ଅନୁଧ୍ୟାନ କରିଥିଲେ। ନୂଆଦିଲ୍ଲୀ ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ଦେଶର ଦ୍ବିତୀୟ ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ ହେବ। ଭୁବନେଶ୍ବରକୁ ଆଇଟି ହବ୍‌ରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାକୁ ପୂରଣ କରିବା ଦିଗରେ ତ୍ବରିତ୍‌ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଅଧିକାରୀମାନଙ୍କୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ। କରୋନା ମହାମାରୀ ଯୋଗୁ ରାଜ୍ୟରେ ଆର୍ଥିକ କାର୍ଯ୍ୟକ୍ରମଗୁଡ଼ିକ ଯଥେଷ୍ଟ ଭାବେ କମିଯାଇଥିଲା। ରାଜ୍ୟ ସରକାରଙ୍କ ସଠିକ୍‌ କୋଭିଡ୍‌ ପରିଚାଳନା ଓ ସମୟ ଉପଯୋଗୀ ପଦକ୍ଷେପ ଯୋଗୁ ଏହି ସମୟ ମଧ୍ୟରେ ବହୁଗୁଡ଼ିଏ ଉନ୍ନୟନ କାର୍ଯ୍ୟ କରାଯାଇ ପାରିଛି। ଓଡ଼ିଶାରେ ଅଧିକ ଆଇଟି ବୃତ୍ତିଧାରୀ ସୃଷ୍ଟି କରିବା ଓ ଆଇଟି ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବାଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇଟି କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ବେହେରା ଅଧିକାରୀମାନଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର