ଲେନ୍‌ସରେ ପ୍ରଚାର ହେବ ଓଡ଼ିଶା

ଭୁବନେଶ୍ୱର : ଓଡ଼ିଶାର ସୌନ୍ଦର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରଚାରପ୍ରସାର କରିବା ‌ଉଦ୍ଦେଶ୍ୟ ନେଇ ଏକ ଅଭିନବ ପନ୍ଥା ଆପଣାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଫଟୋଉଠା ପ୍ରତିଯୋଗିତା ଆୟୋଜନପୂର୍ବକ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଏହି ପ୍ରଚାର ପ୍ରସାରରେ ଅଂଶୀଦାର କରିବାକୁ ସୁଯୋଗ ଆଣି ଦେଇଛି। ପ୍ରତିଯୋଗିତାରେ ୭ଟି ବିଷୟକୁ ଲେନ୍‌ସରେ ତୋଳି ଧରିବାକୁ କୁହାଯାଇଛି।

‘ଓଡ଼ିଶା ଥ୍ରୁ ଲେନ୍‌ସ’ ଶୀର୍ଷକ ଏହି ଅଭିଯାନରେ ଫଟୋ ଉଠାରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଆକର୍ଷଣୀୟ ଫଟୋ ଉଠାଇ ଅପଲୋଡ୍‌ କରିପାରିବେ। ଓଡ଼ିଶାର ସମୁଦ୍ରକୂଳ, ନଦନଦୀ, ହ୍ରଦ, ଜଳପ୍ରପାତ, ବନ୍ୟଜନ୍ତୁ, ସହରାଞ୍ଚଳ, ଗ୍ରାମୀଣ ଜୀବନ, ଜନଜାତି ଜୀବନ, ମନ୍ଦିର, କୀର୍ତିରାଜି, କଳା, ପରମ୍ପରା, ସଂସ୍କୃତି, ସ୍ଥାପତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଓ ପାର୍ବତ୍ୟାଞ୍ଚଳର ସୌନ୍ଦର୍ଯ୍ୟର ଫଟୋ ଉତ୍ତୋଳନ ସହ ପ୍ରତିଯୋଗୀଙ୍କୁ ଓଡ଼ିଶା ପର୍ଯ୍ୟଟନର ଟ୍ବିଟରରେ ଦିଆଯାଇଥିବା ୱେବ୍‌ ଲିଙ୍କ୍‌ରେ ଛାଡ଼ିବାକୁ କୁହାଯାଇଛି। ସେପ୍ଟେମ୍ବର ୨୦ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ଆଗ୍ରହୀ ବ୍ୟକ୍ତିବିଶେଷ ନିଜର ବଛାବଛା ଫଟୋ ଅପଲୋଡ୍‌ କରିପାରିବେ। ପ୍ରତ୍ୟେକ ବିଷୟ ଉପରେ ଗୋଟିଏ ଫଟୋ ଜଣେ ଅପଲୋଡ୍‌ କରିପାରି‌ବେ। ପ୍ରତିଟି ବିଷୟରେ ୩ଜଣ ହିସାବରେ ୭ଟି ବିଷୟରେ ୨୧ଜଣଙ୍କୁ ପୁରସ୍କୃତ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଓଡ଼ିଶା ପର୍ଯ୍ୟଟନର ଟ୍ବିଟର୍‌ ଆକାଉଣ୍ଟକୁ ଯାଇ ସବିଶେଷ ଜାଣିପାରିବେ। ଏହା କେବଳ ପ୍ରତିଯୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ନାହିଁ, ବରଂ ଓଡ଼ିଶାର ସୌନ୍ଦର୍ଯ୍ୟ ସୁଦୂରପ୍ରସାରୀ ହୋଇପାରିବ।

ସମ୍ବନ୍ଧିତ ଖବର