‘ଓଡ଼ିଶା ହେବ ଷ୍ଟିଲ୍ ହବ୍’, ପର୍ଯ୍ୟଟନ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍, ନଡ଼ିଆ କତା ଶିଳ୍ପକୁ ଗୁରୁତ୍ବ

ପୁରୀ : ଇସ୍ପାତ ଉତ୍ପାଦନରେ ବିଶ୍ବରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଓଡ଼ିଶା ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ। ଆଗାମୀ ଦିନରେ ବିଶ୍ବର ଇସ୍ପାତ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ନେଇପାରିବ। ଓଡ଼ିଶାକୁ ଇସ୍ପାତ ବା ଷ୍ଟିଲ୍‌ ହବ୍‌ରେ ପରିଣତ କରାଯିବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟର ଯୁବପିଢ଼ିକୁ ଏହି ସମ୍ଭାବନାର ସୁଯୋଗ ପହଞ୍ଚାଇବା ସହ ଇସ୍ପାତ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପର ବଡ଼ ହବ୍ ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟମ କରାଯିବ ‌େବାଲି କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ଦୁଇ ଓଡ଼ିଆ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଆଜି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ପୁରୁଣା ବିଭାଗ ପେଟ୍ରୋଲିୟମ୍ ଦାୟିତ୍ବରେ ରହିବା ସହ ପ୍ରଥମ କରି ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ନେଇ ଶ୍ରୀ ପ୍ରଧାନଙ୍କ ଘୋଷଣା ବେଶ୍‌ ଗୁରୁତ୍ବ ବହନ କରୁଛି। ଏହା ସହ ‘ଫନି’ ଯୋଗୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଏହି ଶିଳ୍ପର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କ ସହ ନିର୍ଦ୍ଦିଷ୍ଟ ଭାବେ ଆଲୋଚନା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ‘ଫନି’ ପ୍ରଭାବିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ପୁନରୁଦ୍ଧାର କରାଯିବା ସହ ପୁରୀରେ ନଡ଼ିଆ କତା ଶିଳ୍ପକୁ ବି‌େଶଷ ଗୁରୁତ୍ବ ଦିଆଯିବ ବୋଲି ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପରେ ଦୁଇ ମନ୍ତ୍ରୀ ସ୍ଥାନୀୟ ସର୍କିଟ ହାଉସଠାରେ ହୋଟେଲ ମାଲିକ ସଂଘ ଓ ବ୍ୟାଙ୍କରମା‌ନଙ୍କ ସହିତ ଏକ ବୈଠକରେ ଯୋଗଦେଇଥିଲେ। ‘ଫନି’ରେ ପୁରୀରେ ହୋଟେଲ ଶିଳ୍ପର ବ୍ୟାପକ କ୍ଷତି ହୋଇଛି। ତେଣୁ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ସ୍ବତନ୍ତ୍ର ସୁବିଧା ଦେବାକୁ ହୋଟେଲ ଆସୋସିଏସନ ପକ୍ଷରୁ ନିବେଦନ କରାଯାଇଥିଲା। ବିଶେଷ କରି କେରଳ ବନ୍ୟା ବିପର୍ଯ୍ୟୟ ବେଳେ କେରଳ ପର୍ଯ୍ୟଟନ ଶିଳ୍ପକୁ ଯେଉଁ ଢାଞ୍ଚାରେ ସହଯୋଗ ମିଳିଥିଲା, ଠିକ୍ ସେହିଭଳି ପୁରୀର ହୋଟେଲ ଶିଳ୍ପକୁ ସହାୟତା ‌ଯୋଗାଇ ଦେବାକୁ ହୋଟେଲ ସଂଘ ପକ୍ଷରୁ ଦୁଇ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା। ଏଭଳି ଦୁର୍ଦ୍ଦିନ ସମୟରେ କମ୍‌ ସୁଧରେ ଋଣ ଯୋଗାଇଦେବାକୁ ମଧ୍ୟ ଆସୋସିଏସନ ପକ୍ଷରୁ ଦାବି କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପ୍ରଧାନ ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ ପ୍ରତିଶ୍ରୁତି ଦେଇଥିଲେ।

ବୈଠକରେ ଉପସ୍ଥିତ ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତାମାନେ ମଧ୍ୟ ବ୍ୟାଙ୍କ ଋଣରେ କୌଣସି ସମସ୍ୟା ରହିବ ନାହିଁ ବୋଲି କହିଥିଲେ। ଆବଶ୍ୟକ କାଗଜପତ୍ର ଦେଲେ ବ୍ୟାଙ୍କ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବେ ବୋଲି କହିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ଏମ୍‌ଏସ୍ଏମ୍‌ଇ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଓଡ଼ିଶାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ଯାହା କରାଯାଇପାରିବ ତାହା ନିଶ୍ଚୟ କରିବେ ‌ବୋଲି କହିଥିଲେ। ହୋ‌ଟେଲ ସଂଘ ପକ୍ଷରୁ ଅଧ୍ୟକ୍ଷ ବିଜୟ ଦାସ, ସଂପାଦକ ରାଜକିଶୋର ପାତ୍ର, ଉପସଭାପତି ଦେବାଶିଷ କୁମାର ଓ ସହ ସଂପାଦକ ରବୀନ୍ଦ୍ର ସାହୁ ପ୍ରମୁଖ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ‌

ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ଓ ବିଜେପି ନେତା ସମ୍ବିତ ପାତ୍ରଙ୍କ ସମେତ ବହୁ ବିଜେପି ନେତା ଓ କର୍ମକର୍ତ୍ତା ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତାହା ପୂର୍ବରୁ ବାତ୍ୟା ‘ଫନି’ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ପଞ୍ଚାୟତ ରାହାଙ୍ଗିରିଆ ଗାଁକୁ ଉଭୟ କେନ୍ଦ୍ର ମନ୍ତ୍ରୀ ଗସ୍ତ କରିଥିଲେ। ଗ୍ରାମବାସୀମାନେ ଗାଁର ବିକାଶ ଓ ପୁନରୁଦ୍ଧାର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇଥିଲେ। ସମସ୍ୟାର ସମାଧାନ ନେଇ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେବା ସହ ରାହାଙ୍ଗିରିଆ ସମେତ ଅନେକ ଗ୍ରାମାଞ୍ଚଳରେ ବିଜୁଳି ପହଞ୍ଚି ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ବିଜୁଳି ଯୋଗାଣ ନେଇ ସେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର