ଭୁବନେଶ୍ୱର: ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳୀ ହେବା ପାଇଁ ପ୍ରସ୍ତୁତ ଅଛି। ଅମାପ ଖଣିଜ ସମ୍ପଦ, ଭୌଗଳିକ ସ୍ଥିତି ଓ ବଜାର ସହିତ ଓଡ଼ିଶା ବିଶ୍ୱ ବଜାରରେ ଆଗାମୀ ଦିନର ସମ୍ଭାବନାକୁ ଉପଯୋଗ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୋମବାର ଦିନ ରାଉରକେଲା, ସମ୍ବଲପୁର ଓ ଝାରସୁଗୁଡ଼ା ଆଇସିଏଆଇ ଶାଖା ପକ୍ଷରୁ ଆୟୋଜିତ ‘ସିଏ: ଦି କାଟାଲିଷ୍ଟ - ଲର୍ଣ୍ଣିଂ, ଅନଲର୍ଣ୍ଣିଂ ଏବଂ ରିଲର୍ଣ୍ଣିଂ’ ୱେବିନାର୍‌ରେ ଯୋଗ ଦେଇ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଅମାପ ଖଣିଜ ରାଜ୍ୟ ଭାବେ ଜଣାଶୁଣା ଓଡ଼ିଶାରେ ମାତ୍ରାଧିକ ଲୁହାପଥର, କୋଇଲା, ବକ୍ସସାଇଟ, କ୍ରୋମାଇଟ ଗଚ୍ଛିତ ହୋଇ ରହିଛି ଏବଂ ଦେଶକୁ ଅଧିକ ରପ୍ତାନୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଇସ୍ପାତ ଓ ଆଲୁମିନିୟମ ଓଡ଼ିଶାରେ ଅଧିକ ମାତ୍ରାରେ ଉତ୍ପାଦନ ହେଉଛି।

Advertisment

ଏହି ସବୁ ସାମଗ୍ରୀକୁ ଗ୍ଲୋବାଲ ଚେନ୍‌ରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ବିଦେଶରୁ ଯେଉଁ କ୍ୟାପିଟାଲର ଅଭିବୃଦ୍ଧି ହେବ ତାହା ଦ୍ୱାରା ଭାରତ ବିଶ୍ୱରେ ସବୁଠୁ ଅଧିକ ଲାଭ ପାଇବ। ଏହି ଲାଭ ମଧ୍ୟରେ ଦେଶର ସବୁଠୁ ଅଧିକ ଲାଭ ପାଇବା ରାଜ୍ୟ ମଧ୍ୟରେ ଓଡ଼ିଶା ରହିବ। କାରଣ ଓଡ଼ିଶାର ସ୍ୱତନ୍ତ୍ର ଭୌଗଳିକ ଅବସ୍ଥିତି ସହ କଞ୍ଚାମାଲ ଏବଂ ପରିଶ୍ରମୀ ମାନବ ସମ୍ବଳର ବଡ଼ ସୁଯୋଗ ଓଡ଼ିଶା ପାଖରେ ହିଁ ରହିଛି। ତେବେ ଏହି ସବୁ ବିଷୟକୁ ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ କାଟାଲିଷ୍ଟ ଭାବେ ପହଞ୍ଚାଇବାର କାମ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ମାନଙ୍କର ବୋଲି ସେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଅାହୁରି କହିଛନ୍ତି ଯେ ଓଡ଼ିଶା କୃଷି କ୍ଷେତ୍ରରେ ସମୃଦ୍ଧ। ଓଡ଼ିଶାର ଧାନ, ଗହମ, ପନିପରିବା ହେଉ କିମ୍ବା ଦୁଗ୍ଧ, ସାମୁଦ୍ରିକଜାତ ଖାଦ ସାମଗ୍ରୀ, ପଶୁପାଳନ ଓ କୃଷି ବର୍ଜ୍ୟ ଅର୍ଥନୀତି ପାଇଁ ଓଡ଼ିଶା ଏକ ଭଲ ରାଜ୍ୟ। ଏହାକୁ ବାଣିଜ୍ୟିକ ପ୍ଲାଟଫର୍ମରେ ନେବାକୁ ପଡ଼ିବ ଓ ଖାଦ୍ୟ ପ୍ରକ୍ରିୟାକରଣ ସହ ଯୋଡ଼ିବାକୁ ହେବ। ନିକଟରେ ଭାରତ ସରକାର ନୂଆ କୃଷି ଆଇନ ଆଣିଛନ୍ତି। କୃଷି ଆଇନରେ କୃଷକଙ୍କ ପ୍ରତି ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରାଯାଇଛି। ଏହି ଆଇନରେ କୃଷି କ୍ଷେତ୍ରରେ ୧୦ ହଜାର କୃଷି ଉତ୍ପାଦ ସଂଗଠନ (ଏଫପିଓ) ଗଠନ ହେବ। କୃଷି କ୍ଷେତ୍ରକୁ ନୂଆ ବଜାର ସହ ଯୋଡ଼ିବା ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ କାମ କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ପେଟ୍ରୋକେମିକାଲର ବୃଦ୍ଧି ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ମଧ୍ୟ ଅପାର ସମ୍ଭାବନା ରହିଛି । ଶିକ୍ଷା ହେଉଛି ଓଡିଶାର ଲୋକଙ୍କ ଅନ୍ତର୍ନିହିତ ଶକ୍ତି। ଓଡ଼ିଶାରେ ଅନେକ ଅନୁଷ୍ଠାନ ଅଛି ଯାହା ଜାତୀୟ ସ୍ତରରେ ପ୍ରତିଷ୍ଠିତ। ଏହା ବାଦ୍ ଓଡ଼ିଶା ଶିକ୍ଷା, ହସ୍ତତନ୍ତ, ବୟନଶିଳ୍ପ କ୍ଷେତ୍ରରେ ମଧ୍ୟ ବେଶ୍ ପରିଚିତ। ଆଗାମୀ ଦିନରେ ଏହା ବହୁଗୁଣିତ ହେବ। ସମସ୍ତଙ୍କୁ ବଜାର ସହ ଯୋଡ଼ିବା ପାଇଁ ପ୍ରୟାସ କରିବାର ଆବଶ୍ୟକତା ରହିଛି । ଟେକ୍ନୋଲୋଜି ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ଭାବରେ ସ୍ଥାନିତ କରାଯାଇଛି । ଓଡ଼ିଶାରେ ରହି ଦୁନିଆର ଯେକୌଣସି ସ୍ଥାନରେ କାମ କରିପାରିବେ, ଆଜି ସେପରି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ଭାରତ ତଥା ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଉତ୍ତର-ପୂର୍ବ ରାଜ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ମିସନ୍‌ ପୂର୍ବୋଦୟ ଆରମ୍ଭ କରିଛନ୍ତି ଏବଂ ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।