୨୦୩୦ ସୁଦ୍ଧା ଓଡ଼ିଶା ହେବ ଦେଶର ଇସ୍ପାତ ହବ୍: ମୁଖ୍ୟମନ୍ତ୍ରୀ

ଇସ୍ପାତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଢେଙ୍କାନାଳବାସୀ
ଢେଙ୍କାନାଳର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରାଯିବ

ଭୁବନେଶ୍ବର : ୨୦୩୦ ସୁଦ୍ଧା ଓଡ଼ିଶା ଦେଶ‌ର ଇସ୍ପାତ ହବ୍ ହେବ। ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ। ଏଥି ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହା ଦ୍ବାରା କି ରାଜ୍ୟରେ ପୁଞ୍ଜି ବିନିଯୋଗ ବଢ଼ିଛି। କୋଭିଡ ସତ୍ତ୍ବେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ସରକାର ଓଡ଼ିଶାରେ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ଏଥିରେ ମୁଖ୍ୟତଃ ଇସ୍ପାତ ଶିଳ୍ପ ହିଁ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସରକାରଙ୍କ ଦ୍ବାରା ଅନୁମୋଦିନ ପ୍ରକଳ୍ପ ମଧ୍ୟରେ ୧୧ ହଜାର କୋଟି ଟଙ୍କାର ଢେଙ୍କାନାଳ ରୁଙ୍ଗଟା ମାଇନ୍ସ ଲିମିଟେଡ୍‌ର ସମନ୍ବିତ ଇସ୍ପାତ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରୁ ବର୍ତ୍ତମାନ ୩ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ ଆଗକୁ ଏଥିରୁ ୭.୫୫ ମିଲିଅନ ଟନ୍ ଇସ୍ପାତ ଉତ୍ପାଦିତ ହେବ। ଏହି ସମ୍ପ୍ରସାରିତ ପ୍ରକଳ୍ପ ପାଇଁ ଢେଙ୍କାନାଳ ଜିଲ୍ଲାର ଲୋକପ୍ରତିନିଧିଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଢେଙ୍କାନାଳ ଜିଲ୍ଲାବାସୀଙ୍କ ଧନ୍ୟବାଦର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଢେଙ୍କାନାଳ ଜିଲ୍ଲା ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରସିଦ୍ଧ। ଢେଙ୍କାନାଳର ଖଣିଜ ସମ୍ପଦର ବିନିଯୋଗ କରି ଏହାକୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ଗଢି ତୋଳିବା ତାଙ୍କର ଲକ୍ଷ୍ୟ। ଏ ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ୨୦୦୦ ମସିହାରେ ସେ ଶାସନ ଦାୟିତ୍ବ ନେବା ବେଳେ ରାଜ୍ୟରେ ମାତ୍ର ୨ ମିଲିଅନ ଟନ୍ ଇସ୍ପାତ ଉତ୍ପାଦିତ ହେଉଥିଲା। ବର୍ତ୍ତମାନ ଏହି ପରିମାଣ ୩୦ ମିଲିଅନ ଟନ୍‌ରେ ପହଞ୍ଚିପାରିଛି। ଇସ୍ପାତ କାରଖାନା ଯୋଗୁ ହିଁ ଆମେ ଆଜି ଦେଶର ୧୭ଟି ରାଜ୍ୟକୁ କୋଭିଡର ଦ୍ବିତୀୟ ଲହର ସମୟରେ ଅକ୍ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଛୁ। ତେଣୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଯେପରି ଠିକ୍ ସମୟରେ ଶେଷ ହେବ, ସେଥିପାଇଁ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ସହଯୋଗ ରହିବା ଦରକାର। ଢେଙ୍କାନାଳ ଜିଲ୍ଲାରେ ବର୍ତ୍ତମାନ ଚାଲିଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଦ୍ବାରା ଜିଲ୍ଲାର ୮ଟି ବ୍ଲକ ଓ ସବୁ ସହରାଞ୍ଚଳରେ ଘରେ ଘରେ ପାଇପ ପାଣି ସୁବିଧାରେ ମିଳିପାରିବ। ଜିଲ୍ଲାରେ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ଢେଙ୍କାନାଳ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ମାଇଲ ଖୁଣ୍ଟ ହେବ। ଢେଙ୍କାନାଳ ଜିଲ୍ଲାକୁ ଶିଳ୍ପ ସମୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମକୁ ମନ୍ତ୍ରୀ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ ଓ ନୃସିଂହ ସାହୁ, ହିନ୍ଦୋଳ ଓ ଓଡାପଡା ବ୍ଲକ୍ର ଅଧ୍ୟକ୍ଷ, ପ୍ରକଳ୍ପ ଅଞ୍ଚଳର ଲୋକପ୍ରତିନିଧି କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଜିଲ୍ଲାର ଆର୍ଥିକ ବିକାଶ ଓ ଯୁବ ସମାଜ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ କହିଥିଲେ ଯେ ୨୦ ବର୍ଷ ତଳେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟର ସହଯୋଗ ଉପରେ ନିର୍ଭର କରୁଥିବା ବେଳେ ଆଜି ଓଡ଼ିଶା ଅନ୍ୟ ରାଜ୍ୟକୁ ସହଯୋଗର ହାତ ବଢ଼ାଇବା ସହ ବିକାଶର ଛବିକୁ ଅଧିକ ଉଜ୍ଜଳ କରିପାରିଛି।

ସମ୍ବନ୍ଧିତ ଖବର