ଭୁବନେଶ୍ବର: ଆସନ୍ତା ଜାନୁଆରିରେ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଯେପରି ଅଧିକ ପୁଞ୍ଜିପତି ଯୋଗଦେବେ ଏବଂ ଓଡ଼ିଶାରେ ପୁଞ୍ଜିନିେବଶ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ବିଦେଶରେ ପ୍ରଥମ ଥର ପାଇଁ ପୁଞ୍ଜିପତିଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ଯାଇଥିବାରୁ ଏହି ଗସ୍ତ ସଫଳ ହେବା ନେଇ ସେ ବେଶ୍ ଆଶାବାଦୀ ଅଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିଙ୍ଗାପୁର ଗସ୍ତରେ ଯିବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୁଁ ଆଜି ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇ ସିଙ୍ଗାପୁର ଅଭିମୁଖେ ବାହାରିଛି। ଆଶା କରୁଛି ଯେ ଯେତେବେଳେ ସାରା ବିଶ୍ୱରୁ ପୁଞ୍ଜିପତିମାନେ ଭାରତରେ ପୁଞ୍ଜିନିବେଶ କରିବାକୁ ଚାହିଁବେ, ସେତେବେଳେ ଓଡ଼ିଶା ସେମାନଙ୍କର ପ୍ରଥମ ପସନ୍ଦର ସ୍ଥାନ ହେବ। ସିଙ୍ଗାପୁରରେ ପୁଞ୍ଜିପତିଙ୍କୁ ଭେଟିବାବେଳେ ମୋର ସ୍ପଷ୍ଟ ବାର୍ତ୍ତା ରହିବ, ବ୍ୟବସାୟ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି। ଭାରତର ବିକାଶର କାହାଣୀରେ ଓଡ଼ିଶା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇ ଉଭା ହେବା ପାଇଁ ପ୍ରସ୍ତୁତ ଅଛି।
ଏହାସହ ଶ୍ରୀ ମାଝୀ କହିଛନ୍ତି, ନିଜର ଉନ୍ନତ ଶିଳ୍ପ ବାତାବରଣ ପାଇଁ ସିଙ୍ଗାପୁର ପ୍ରସିଦ୍ଧ। ଏଠାରେ ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲୋକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ନିର୍ମାଣରେ ଆଦି କ୍ଷେତ୍ରରେ ବିଶ୍ୱର ବଡ଼ ବଡ଼ କମ୍ପାନି କାମ କରୁଛନ୍ତି। ଆମେ ସେହି ସବୁ କମ୍ପାନିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବୁ। ଓଡ଼ିଶାର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଓ ଆମର ଉନ୍ନତ ଶିଳ୍ପ ନୀତିଗୁଡ଼ିକ ସମ୍ପର୍କରେ ସେମାନଙ୍କୁ ଜଣାଇବୁ। ଆମେ ସିଙ୍ଗାପୁରରେ ଟୁଆସ୍ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ଏବଂ ଆଇଟିଇଇଏସ୍ ସିଙ୍ଗାପୁର ଭଳି କେତେକ ବିଶ୍ୱସ୍ତରୀୟ କମ୍ପାନି ପରିଦର୍ଶନ କରିବୁ।
ସେମାନଙ୍କର ଉନ୍ନତ ବ୍ୟବସ୍ଥାକୁ ବୁଝିବା ସହିତ ଓଡ଼ିଶାରେ ମଧ୍ୟ ସେହିଭଳି ବା ତା’ଠାରୁ ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ। ସିଙ୍ଗାପୁର ଏବଂ ପଡ଼ୋଶୀ ଏସିଆନ୍ ଦେଶଗୁଡ଼ିକରେ ଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀଙ୍କୁ ମଧ୍ୟ ଭେଟିବି। ସେମାନେ ଓଡ଼ିଆ ଭାଷା ଓ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ହୋଇ ଆମକୁ ଗୌରବାନ୍ୱିତ କରିଛନ୍ତି। ଓଡ଼ିଶା ଓ ସିଙ୍ଗାପୁରର ସମ୍ପର୍କକୁ ମଜବୁତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେମାନଙ୍କ ସହିତ ଆଲୋଚନା କରି ଏ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କ ମତାମତ ଗ୍ରହଣ କରିବୁ।
ମୁଁ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ପକ୍ଷରୁ ଆମର ଟିମ୍କୁ ନେଇ ବିଦେଶ ଯାତ୍ରା କରୁଛି। ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱମାନଙ୍କୁ ବିକଶିତ ଓଡ଼ିଶା ଗଠନ, ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବା ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ସେମାନଙ୍କୁ ନିମନ୍ତ୍ରଣ କରିବୁ। ଏହି ଯାତ୍ରା ଯୋଗୁ ଓଡ଼ିଶାରେ ଟେକ୍ସଟାଇଲ୍ସ, କେମିକାଲ୍ସ, ଗ୍ରିନ ଏନର୍ଜି, ଲଜିଷ୍ଟିକ୍ସ, ସିପ୍ ବିଲ୍ଡିଂ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଓଡିଶାରେ ଯୁବକଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।