ମାଛ, କୁକୁଡ଼ା, ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ବଳକା ରାଜ୍ୟ କରାଯିବ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସମୀକ୍ଷା

ଭୁବନେଶ୍ବର : ରାଜ୍ୟର ଅର୍ଥନୈତିକ ପ୍ରଗତି ଓ କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ଏକ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି। ସେଥି ପାଇଁ କୃଷି ସହିତ ଆନୁଷଙ୍ଗିକ କ୍ଷେତ୍ରକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀ‌େର ମାଛ, କୁକୁଡ଼ା, ଅଣ୍ଡା, ଦୁଗ୍ଧ ଆଦି ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହିତ ରାଜ୍ୟକୁ ଏକ ବଳକା ରାଜ୍ୟରେ ପରିଣତ କରାଯିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଆଜି ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଶ୍ରୀ ସାହୁ କୋଭିଡ୍‌-୧୯ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବତନ୍ତ୍ର ପ୍ୟାକେଜ୍‌ କାର୍ଯ୍ୟକାରୀ କରି ଲୋକଙ୍କ ଆୟବୃଦ୍ଧି କରିବା ଦିଗରେ ଅଧିକ କ୍ରିୟାଶୀଳ ହେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମାଛ ଚାଷୀମାନଙ୍କୁ ଆଗୁଆ ମାଛ ଯାଆଁଳ ଯୋଗାଇ ଦେବାରେ ଆବଶ୍ୟକତା ରହିଛି। ସେଥି ପାଇଁ ଚଳିତ ବର୍ଷ ବିଭିନ୍ନ ପ୍ରକାରର ମାଛ ଯାଆଁଳ ସରକାରୀ ଓ ଓପିଡିସି ଫାର୍ମ ଜରିଆରେ ଅଗଷ୍ଟ୩୧ ତାରିଖ ସୁଦ୍ଧା ଉତ୍ପାଦନ ଲକ୍ଷ୍ୟ ହାସଲ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଗ୍ରାମପଞ୍ଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ପ୍ରୋତ୍ସାହିତ କରାଯାଉଥିବା ପରିପ୍ରେକ୍ଷୀରେ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟ ୧୬୦୦ ହେକ୍ଟର ଗ୍ରାମପଞ୍ଚାୟତ ପୋଖରୀ ମଧ୍ୟରୁ ୧୫୯୩.୮୦ ହେକ୍ଟର ଚିହ୍ନଟ କରାଯାଇଥିଲା ବେଳେ ୮୭୯.୦୧ ହେକ୍ଟର ଗ୍ରାମପଞ୍ଚାୟତ ପୋଖରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଦୀର୍ଘମିଆଦି ସୂତ୍ରରେ ଲିଜ୍‌ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ୍‌ରେ ଥିବା ମତ୍ସ୍ୟ ପୋଖରୀ ଯୋଜନାରେ ମାଛ ଚାଷକୁ ଅଧିକ ବ୍ୟାପକ କରିବା ନିମନ୍ତେ ହିତାଧିକାରୀ ଚୟନ ଓ ଅନୁମୋଦନ ପ୍ରକ୍ରିୟାକୁ ୨୦୨୦ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ମତ୍ସ୍ୟ ଚାଷୀ ପରିବାରଙ୍କୁ କିଷାନ କ୍ରେଡିଟ୍‌ କାର୍ଡ ଯୋଗାଇ ଦେବା ଲକ୍ଷ୍ୟରେ ଜୁନ୍ ୧୦ ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନ ଗ୍ରହଣ କରାଯାଇଛି। ଏହି ମର୍ମରେ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଗ୍ରହଣ କରିଥିବା ଆବେଦନ ପତ୍ରଗୁଡ଼ିକ ସଂପୃକ୍ତ ବ୍ୟାଙ୍କଗୁଡ଼ିକୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଗୋସମ୍ପଦକୁ ବିଭିନ୍ନ ପ୍ରକାର ରୋଗ ପ୍ରକୋପରୁ ରକ୍ଷା କରିବା ଦିଗରେ କରାଯାଉଥିବା ଟୀକାକରଣ କାର୍ଯ୍ୟକ୍ରମକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହା ସହିତ ଜାତୀୟ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ‌ଦ୍ବିତୀୟ ପର୍ଯ୍ୟାୟରେ ୧୫ ଲକ୍ଷ ଗୋସମ୍ପଦକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ପ୍ରତ୍ୟେକ ଜିଲ୍ଲାରେ ୫୦୦ ଗ୍ରାମକୁ ଏଥି ନିମନ୍ତେ ଚିହ୍ନଟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସଚିବ ଆର୍‌ ରଘୁ ପ୍ରସାଦ, ପ୍ରାଣୀପାଳନ ଓ ପ୍ରାଣୀପାଳନ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ସିଡିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର