ବ୍ରାହ୍ମଣୀ ସେତୁକୁ ନେଇ ଖେଳ

କେନ୍ଦ୍ର ନ କଲେ ଆମେ କରିବୁ: ମୁଖ୍ୟମନ୍ତ୍ରୀ

ଗଡ଼କରିଙ୍କୁ ଚିଠି ଲେଖି ବି ଜଣାଇଲେ

ଭୁବନେଶ୍ୱର : ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗକୁ ନେଇ ଆଜି ରାଜ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସେତୁ ନିର୍ମାଣରେ ଅହେତୁକ ବିଳମ୍ବ, ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ, ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ କେନ୍ଦ୍ର ଉପରେ ଚାପ ଆଦିକୁ ଲକ୍ଷ୍ୟ କରି ସରକାର ଏକ ବଡ଼ ଖେଳ ଆରମ୍ଭ କରିଛନ୍ତି। ରାଉରକେଲାବାସୀଙ୍କ ଭାବାବେଗକୁ ନିଜ ଆଡ଼କୁ ଟାଣିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ୱାସନା ଦେଇଛନ୍ତି ଯେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ସେ କେନ୍ଦ୍ରକୁ ଚିଠି ଲେଖି ଦାବି ଜଣାଇବେ। ଆଉ ଯଦି କେନ୍ଦ୍ର ନ କରେ, ତେବେ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସରକାର ନିଜ ପାଣ୍ଠିରୁ କରିବେ। କେବଳ ସେତିିକି ନୁହେଁ, ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଚିଠି ଲେଖି ତୁରନ୍ତ ଏହି ପୋଲ ନିର୍ମାଣ କରିବା ଲାଗି ଦାବି ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ରାଜନୈତିକ ମହଲ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି। ଏହି ମହଲରେ କହିବା କଥା ହେଉଛି, ରାଉରକେଲାରେ ବିଜେପିକୁ ରୋକିବା ଲାଗି ସେତୁ ରାଜନୀତି ନିଶ୍ଚିତ ବିଜେଡିକୁ ସାହାଯ୍ୟ କରିବ। କେବଳ ସେତିକି ନୁହେଁ, ରାଉରକେଲା ବିଧାୟକ ତଥା ବିଜେପି ନେତା ଦିଲ୍ଲୀପ ରାୟଙ୍କ ସହିତ ବିଜେଡିକୁ ଏହି ପ୍ରସଙ୍ଗ ଆଗାମୀ ଦିନରେ ନିକଟତର କରିପାରେ। ସମାନ୍ତରାଳ ଭାବେ ବିଜେପିର ଏକମାତ୍ର ସାଂସଦ ତଥା କେନ୍ଦ୍ରନ୍ତ୍ରୀ ଜୁଏଲ ଓରାମଙ୍କ ପାଇଁ ଏହି ପ୍ରସଙ୍ଗ ସବୁଠାରୁ ବଡ଼ ବିପଦ ଟାଣିଆଣିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ଭେଟି ଦ୍ୱିତୀୟ ସେତୁ ବାବଦରେ ଆଲୋଚନା କରିଥିଲେ। ସେତୁର ଦୁରାବସ୍ଥା ଯୋଗୁଁ ଜନସାଧାରଣ କିଭଳି ହଇରାଣ ହରକତ ହେଉଛନ୍ତି, ସେ ସଂପର୍କରେ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି
ହସ୍ତକ୍ଷେପ ଲୋଡିଥିଲେ। ରାଉରକେଲା ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ସେତୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ, ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣର ଜରୁରି ଆବଶ୍ୟକତା ରାଜ୍ୟ ସରକାର ଉପଲବ୍ଧି କରୁଛନ୍ତି। କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ। ଯଦି ଆବଶ୍ୟକ ପଡେ, ତେବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ସେତୁ ନିର୍ମାଣ କାମ ହାତକୁ ନେବେ। ଏହି ପ୍ରତିନିଧି ଦଳରେ ସୁନ୍ଦରଗଡ଼ ଜିଲ୍ଲାର ଲୋକପ୍ରତିନିଧିମାନଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇଥିଲେ।

ସନ୍ଧ୍ୟାରେ ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି, ୨୦୧୪ ଡିସେମ୍ବର ୨ ତାରିଖ ଓ ଗତ ମେ ୨୪ ତାରିଖରେ ସେ ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜାତୀୟ ରାଜପଥ ୧୪୩ ନମ୍ବର ଉପରେ ଏହି ସେତୁ ନିର୍ମାଣ ଜରୁରି ହୋଇପଡିଛି। ବର୍ତମାନର ଦୁଇ ଲେନ୍‌ ବିଶିଷ୍ଟ ସେତୁ ଗୁରୁତର ଅବସ୍ଥାରେ ରହିଛି। ଖଣି ଓ ବାଣିଜ୍ୟିକ ପରିବହନ ଦୃଷ୍ଟିରୁ ଏହି ସେତୁ ରାଜ୍ୟର ଅର୍ଥନୈତିକ ଜୀବନଧାରା ବୋଲି କୁହାଯାଇପାରେ। ହେଲେ ବାରମ୍ବାର ଅନୁରୋଧ ପରେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଯାଏ ଏହି ସେତୁ ଆରମ୍ଭ କରିନାହାନ୍ତି। ବିଭିନ୍ନ ବର୍ଗର ଲୋକ ଆଜି ତାଙ୍କୁ ଭେଟିଛନ୍ତି ଓ ପାନପୋଷ ନିକଟରେ ଏହି ସେତୁ ତୁରନ୍ତ ନିର୍ମାଣ ଲାଗି ଦାବି କରାଯାଇଛି।

ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ତୁରନ୍ତ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ସହିତ ତୁରନ୍ତ ସେତୁ କାମ ଆରମ୍ଭ କରିବା ଲାଗି ଦାବି ରଖିଛନ୍ତି। ଅନ୍ୟଥା ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାରଙ୍କୁ ଏହି ୬ଥାକିଆ ସେତୁ ନିର୍ମାଣ କାମ ଆରମ୍ଭ କରିବା ଲାଗି ଅନୁମତି ଦିଆଯାଉ ବୋଲି ଜଣାଇଛନ୍ତି।

ଏଠାରେ ଉଲ୍ଲେଖଥାଉକି, ବିଜେପି ବିଧାୟକ ଦିଲ୍ଲୀପ ରାୟ ବ୍ରାହ୍ମଣୀ ସେତୁ ପାଇଁ ଅନେକଥର ମୁହଁ ଖୋଲିଛନ୍ତି। ଏପରକିି ଏହାର ନିର୍ମାମ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସହ ବାରମ୍ବାର ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ଯେତେବେଳେ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିଥିଲେ, ସେତେବେଳେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନେଇ ଘୋଷଣା କରିଥିଲେ। ଇସ୍ପାତ ଜେନେରାଲ ହସ୍ପିଟାଲକୁ ମେଡିକାଲ୍‌ କଲେଜ ଓ ସୁପର ସ୍ପେସାଲ୍‌ ହସ୍ପିଟାଲର ମାନ୍ୟତା ମିଳିବ ବୋଲି କହିଥିଲେ। ଏହା ସହ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ବାନ୍ଧିବାକୁ ମୋଦି ପ୍ରତିଶ୍ରୁତି ଦେଇଥିଲେ।

ପରେ ରାଉରକେଲା ଗସ୍ତରେ ଆସି ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜର ଶୁଭ ଦେବା ସହିତ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି କହିଥିଲେ, ୧୫ ଦିନ ମଧ୍ୟରେ ସେତୁ ନିର୍ମାଣ କାମ ଆରମ୍ଭ ହେବା ସହ ୨ବର୍ଷ ଭିତରେ ଏହା ସମାପ୍ତ ହେବ। ୩୮୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୬ ଲେନ୍‌ ବିଶିଷ୍ଟ ସେତୁ ଏବଂ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ ରାସ୍ତା ଉଭୟର ଶିଳାନ୍ୟାସ ତଥା ଭୂମିପୂଜନ ଉତ୍ସବରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଯୋଗଦେଇ ସନ୍ତୋଷ ବ୍ୟକ୍ତ କରିଥିଲେ।
ମାତ୍ର କାମ ଆରମ୍ଭ ହୋଇପାରିନି, ଯାହାକୁ ନେଇ ରାଉରକେଲାରେ ଅସନ୍ତୋଷ ଦାନା ବାନ୍ଧୁଛି। ଏହା ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି। ସାଧାରଣ ଲୋକଙ୍କ ଅସନ୍ତୋଷକୁ ଲକ୍ଷ୍ୟ କରି ନଭେମ୍ବର ୨୭ ତାରିଖରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ପାଇଁ ରାଉରକେଲା ବିଧାୟକ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଥିଲେ। ଏହା ପୂର୍ବରୁ ମଧ୍ୟ ସେ ଅନେକବାର ନିଜର ଅସନ୍ତୋଷ ରଖିଥିଲେ। ମାତ୍ର ଏହାର କିଛି ବି ପ୍ରଭାବ ପଡିନଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲେ କେନ୍ଦ୍ରମନ୍ତ୍ରୀ
ବାଟ ଓଗାଳିଛି ରାଜ୍ୟ
ଭୁବନେଶ୍ୱର : ରାଉରକେଲାରେ ବ୍ରାହ୍ମଣୀ ସେତୁକୁ ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ଗୋଟିଚାଳନାକୁ ଦେଖି ବିଜେପି ଶିବିରରେ ଅନୁରୂପ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍‌ କରି ସିଧା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କେବଳ ସେତିକି ନୁହେଁ,ତାଙ୍କ ଦଳ ଓ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ସେତୁ ବିଳମ୍ବ ପଛର ରହସ୍ୟ ସଂପର୍କରେ ଏକାଧିକ କାରଣ ସାମ୍ନାକୁ ଆସିଛି।

କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍‌ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ବ୍ରାହ୍ଣଣୀ ସେତୁ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ବଦଳରେ ପ୍ରଥମେ ସେ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଯେଉଁ ଦାୟିତ୍ୱଟି ଅଛି, ତାକୁ ପ୍ରଥମେ ନିର୍ବାହ କରନ୍ତୁ। କାରଣର କେନ୍ଦ୍ରର ଉଦାସୀନତା ଯୋଗୁ ନୁହେଁ ବରଂ ରାଜ୍ୟର ଜଙ୍ଗଲ ବିଭାଗ ପକ୍ଷରୁ ବୈଧାନିକ ଅନୁମତି ପ୍ରଦାନ କରା ଯାଇନଥିବା ପରିପ୍ରେକ୍ଷୀରେ ଏହି ସେତୁ ନିର୍ମାଣ କାମ ବିଳମ୍ବିତ ହୋଇଛି।

ବୀରମିତ୍ରପୁର ଠାରୁ ବାରକୋଟ ନୂଆ ଏନଏଚ -୧୪୩ ଓ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ମାମଲାରେ ମୁଖ୍ୟମନ୍ତ୍ରୀ ସତ କହୁ ନାହାନ୍ତି ବୋଲି ଅଭିଯୋଗ ଆଣି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସେତୁ ନିର୍ମାଣର ବାଟ ବାସ୍ତବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଓଗାଳି ରଖିଛି। ସରକାର ଯେତେ ଶୀଘ୍ର ଅନୁମତି ଦେବେ, ସେତୁ ନିର୍ମାଣ କାର୍ଯ୍ୟ ସେତେ ଶୀଘ୍ର ତ୍ୱରାନ୍ଵିତ ହେବ। ଗତ ଅକ୍ଟୋବର ୨୫ ତାରିଖରେ ଦେବଗଡ ଡିଏଫଓ ଯାହା କିଛି ପ୍ରଶ୍ନ ଉଠାଇଥିଲେ, ତାର ତୁରନ୍ତ ଉତ୍ତର ଦେଇଛି କେନ୍ଦ୍ର। ଏହା ସତ୍ତ୍ୱେ ଏଯାଏ ଆବଶ୍ୟକ ଅନୁମତି ପ୍ରଦାନ କରାଯାଇନାହିଁ। ସେହିଭଳି ବଣାଇ ଡିଏଫଓ ଯେଉଁ ପ୍ରଶ୍ନ ସବୁ ଉଠାଇ ଉତ୍ତର ମାଗିଥିଲେ, ତାର ଉତ୍ତର ଦିଆଯାଇଥିଲା। ମାତ୍ର ଗତ ସେପ୍‌ଟେମ୍ବର ୧୮ ତାରିଖରେ ସଂପୃକ୍ତ ଅଧିକାରୀ ପୁଣି କିଛି ପ୍ରଶ୍ନ ଉଠାଇ କେନ୍ଦ୍ରଠାରୁ ଉତ୍ତର ମାଗିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେବଗଡ ଓ ବଣେଇର ଡିଏଫଓ ବିଭିନ୍ନ ଥର ଭିନ୍ନ ଭିନ୍ନ ପ୍ରସଙ୍ଗରେ ଅଳଗା ଅଲଗା ପ୍ରଶ୍ନ ପଚାରୁଛନ୍ତି ଓ ଆପତ୍ତି କରୁଛନ୍ତି। ଏହା ହିଁ ପ୍ରକ୍ରିୟାକୁ ବିଳମ୍ବ କରିଛି। ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡିଥିଲେ। ୨୦୧୬ ଓ ୨୦୧୭ରେ ରାଜ୍ୟର ରାଜ ପଥ ନିର୍ମାଣ ପାଇଁ ଭୂମି ଓ ବୈଧାନିକ ଅନୁମତି ନେଇ ଏକାଧିକବାର ଚିଠି ବି ଲେଖିଥିଲେ। ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଏନଏଚଏଆଇ ତରଫରୁ ପର୍ଯ୍ୟାପ୍ତ ଅର୍ଥ ରାଜ୍ୟ ସରକାରଙ୍କ ପାଖରେ ଜମା କରା ଯାଇଥିଲେ ମଧ୍ୟ ଏହି ଅର୍ଥ ପ୍ରଦାନରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରୁଛନ୍ତି। ଏ ନେଇ ମଧ୍ୟ ଏନଏଚଏଆଇର ଅଧ୍ୟକ୍ଷ ରାଜ୍ୟ ମୁଖ୍ୟ ସଚିବଙ୍କ ପାଖକୁ ଜୁଲାଇ, ୨୦୧୭ରେ ଚିଠି ଲେଖି କାମକୁ ତ୍ୱରାନ୍ଵିତ କରିବା ପାଇଁ ଅନୁରୋଧ କରିିଥିଲେ। ରାଜ୍ୟ ସରକାର ନିଜର ଦାୟିତ୍ୱକୁ ସୂଚାରୁ ଭାବେ ତୁଲାଇବା ପରିବର୍ତେ ନିଜର ଅପାରଗତାକୁ ଲୁଚାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଅଯଥା ଦୋଷାରୋପ କରି ନିଜ ଦାୟିତ୍ୱରୁ ମୁହଁ ବୁଲାଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର