ଭୁବନେଶ୍ୱର : ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ତେବେ ରାଜନୈତିକ ବାଧ୍ୟବାଧକତା ଦୃଷ୍ଟିରୁ ଯଦି ଆନ୍ଧ୍ର ପ୍ରଦେଶର ଦାବି ପୂରଣ କରାଯାଏ, ଓଡ଼ିଶା ପାଇଁ ଏହା ବରଦାନ ହେବାର ସୁଯୋଗ ରହିଛି। ଏଭଳି ପରିସ୍ଥିତିରୁ ଫାଇଦା ନେବା ପାଇଁ ମୋଦି ସରକାରଙ୍କ ଉପରେ ବିଜେଡି ଚାପ ପ୍ରୟୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଣନୀତି ଆରମ୍ଭ କରିଦେଇଛନ୍ତିି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ହେଉଛି ରାଜ୍ୟର ଦୀର୍ଘଦିନର ଦାବି। ପରିବର୍ତିତ ରାଜନୈତିକ ପରିସ୍ଥିତିରେ ଏହି ଦାବିକୁ ଆହୁରି ଶାଣିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାରୁ ଆଭାସ ମିଳୁଛି।
ଆଜି ବିଧାନସଭାରେ ତିନି ଜଣ ରାଜ୍ୟସଭା ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରସଙ୍ଗ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ ବିଜେଡି ସାଂସଦମାନେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ। ‘‘କେନ୍ଦ୍ର ନିକଟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ନେଇ ଆମର ଦାବି ଜାରି ରହିବ। ଆମେ ଓଡ଼ିଶା ପାଇଁ ସର୍ବଦା ଏହି ଦାବି କରିଛୁ। ଭବିଷ୍ୟତରେ ବି ଏହା ଜାରି ରଖିବୁ।’’ ଏହି ପ୍ରସଙ୍ଗ ନେଇ ନିକଟରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଥିଲେ, ଯଦି ଆନ୍ଧ୍ର ପ୍ରଦେଶ ଦାବିକୁ ମୋଦି ସରକାର ମାନି ନେଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରନ୍ତି, ତେବେ ବିଜେଡି ଆନ୍ଦୋଳନକୁ ଆହୁରି ଜୋରଦାର କରିବ।
ଗତ ଫେବ୍ରୁଆରି ୧୭ ତାରିଖରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଭେଟି ଆଲୋଚନା କରିଥିଲେ। ଆଲୋଚନା ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ସହିତ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ବର୍ଷ ବର୍ଷ ଧରି ରାଜ୍ୟ ସରକାର ଏହି ଦାବି କରୁଛନ୍ତି। ଏପରି କି ଏହି ଦାବି ନେଇ ବିଜେଡି ବାରମ୍ବାର ରାଜରାସ୍ତାକୁ ଓହ୍ଳାଇଛି। କିନ୍ତୁ ଏହାକୁ ଖଣ୍ଡନ କରିଚାଲିଛନ୍ତି କେନ୍ଦ୍ର ସରକାର। ଲୋକସଭାରେ ଏ ନେଇ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଆଗତ ପ୍ରସ୍ତାବ ମଧ୍ୟ କାଟ ଖାଇଯାଇଥିଲା। ରାଜ୍ୟର ବିଜେପି ସାଂସଦ ଜୁଏଲ୍ ଓରାମ ଏହି ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ। ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଆସିଥିବା ବେଳେ ଏଭଳି ଦାବିକୁ ରୋକ୍ଠୋକ୍ ମନା କରିଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/naveen-1.jpg)