ନୂଆଁଖାଇରେ ଓଡ଼ିଶା ଖାଇବ ସଅଳ କିସମ ବିହନ ‘ଓୟୁଏଟି କଳିଙ୍ଗ-୫’ର ଚାଉଳ

ରାଜ୍ୟ ବିହନ ସବ କମିଟି ବୈଠକ

ଭୁବନେଶ୍ବର : ନୂଆଁଖାଇରେ ଓଡ଼ିଶା ଖାଇବ ସଅଳ କିସମ ବିହନ ଓୟୁଏଟି କଳିଙ୍ଗ-୫ର ଚାଉଳ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓଡ଼ିଶା ରାଜ୍ୟ ବିହନ ସବ୍‌କମିଟି ବୈଠକରେ ଏହା କୁହାଯାଇଛି। ଏହି ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇ, ଆଇସିଏଆର୍‌-ସିଟିସିଆଇ ଭୁବନେଶ୍ୱର ଦ୍ୱାରା ବିକଶିତ ହୋଇଥିବା ବିଭିନ୍ନ ଫସଲର କିସମ ବିହନକୁ ଅନୁମୋଦନ କରାଯାଇଛି।

ଓୟୁଏଟି ପକ୍ଷରୁ ଓୟୁଏଟି କଳିଙ୍ଗ ଧାନ ସହିତ ୫ଟି ଅଣଧାନ ବିହନ କିସମ, ବାଇଗଣ, ଲଙ୍କାମରିଚ, ବିଲାତି ବାଇଗଣ ଓ ଶିମ୍ବର ଗୋଟିଏ ଲେଖାଏ କିସମ, ଅଦାର ୩ଟି କିସମ ଓ ହଳଦୀର ୨ଟି ବିକଶିତ କିସମକୁ ଅନୁମୋଦନ ମିଳିଛି। ଓୟୁଏଟି କଳିଙ୍ଗ ସୋରିଷ-୧ କିସମରେ ଶତକଡ଼ା ୪୦.୩ ଭାଗ ତୈଳ ରହିଛି। ଓୟୁଏଟି କଳିଙ୍ଗ ମାଣ୍ଡିଆ-୧ କିସମର ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୨୪୧୬ କିଲୋଗ୍ରାମ। ସେହିପରି ଓୟୁଏଟି କଳିଙ୍ଗ ବାଇଗଣ-୧ କିସମରୁ ହେକ୍ଟର ପ୍ରତି ପ୍ରାୟ ୩୪୨୦୨ କିଲୋଗ୍ରାମ ଅମଳ ମିଳିଥାଏ।

ଓୟୁଏଟି କଳିଙ୍ଗ ଟମାଟୋ-୧ କିସମର ବୀଜାଣୁଜନିତ ଝାଉଁଳା ରୋଗ ପ୍ରତିରୋଧି କ୍ଷମତା ରହିଛି। ଓୟୁଏଟି କଳିଙ୍ଗ ହଳଦୀ-୧ ଏବଂ ଓୟୁଏଟି କଳିଙ୍ଗ ହଳଦୀ-୨ କିସମ ରାଜ୍ୟର ଉଭୟ ପାହାଡ଼ିଆ ଓ ସମତଳ ଅଞ୍ଚଳରେ ଚାଷ କରାଯାଇପାରିବ। ଆଇସିଏଆର୍‌-ସିଟିସିଆଇର ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ବିକଶିତ ସାରୁ ବିହନ ଏବଂ ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇ ଦ୍ୱାରା ବିକଶିତ ନୂଆ ଧାନ ଅନୁମୋଦନ ନିମନ୍ତେ ଉପସ୍ଥାପିତ ହୋଇଥିଲା। ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଓୟୁଏଟି ଏବଂ ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇର କୃଷି ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର