ଭୁବନେଶ୍ବର : ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା 'ୟାସ୍‌'କୁ ନେଇ ପ୍ରାକ୍ ପ୍ରସ୍ତୁତି ଓ ତାହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମୀକ୍ଷା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟ ନାରାୟଣ ପ୍ରଧାନ ଏହି ଭର୍ଚୁଆଲ୍‌ ସମୀକ୍ଷାରେ ସାମିଲ ହୋଇଥିଲେ।

Advertisment

ଶ୍ରୀ ପ୍ରଧାନ କହିଥିଲେ ଯେ ସମ୍ଭାବ୍ୟ ବାତ୍ୟାର ସ୍ଥିତି ନେଇ ବିସ୍ତୃତ ଭାବେ କଥା ହେବା ସହ ଏନ୍‌ଡିଆର୍‌ଏଫ୍‌ ଦ୍ବାରା ହୋଇଥିବା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଛି। ଏନ୍‌ଡିଆର୍‌ଏଫ୍‌ ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ ତଥା ବିପର୍ଯ୍ୟୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ପ୍ରସ୍ତୁତ ଥିବା ଡିଜି କହିଛନ୍ତି। ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶାକୁ ଭାରତ ସରକାର ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ। ଏ ନେଇ ମୁଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟରେ ଏହି ବାତ୍ୟାର ମୁକାବିଲା କରାଯାଇପାରିବ। ଲୋକମାନେ ଭୟଭୀତ ନ ହୋଇ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି।