୨୦୨୫ ସୁଦ୍ଧା ଓଡ଼ିଶା ହେବ ଡାଟା ସେଣ୍ଟର ହବ୍

ଡାଟା ସେଣ୍ଟର ପାଇଁ ବ୍ୟାପକ ସରକାରୀ ପ୍ରୋତ୍ସାହନ
ଜମି, ବିଦ୍ୟୁତ ଶୁଳ୍କ, ବ୍ୟାଙ୍କ ଋଣରୁ ଜିଏସ୍‌ଟି ପର୍ଯ୍ୟନ୍ତ ସବୁଥିରେ ରିହାତି
ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦେଲେ ପ୍ରତି ବ୍ୟକ୍ତି ପିଛା ୮ହଜାର ଟଙ୍କା ଦିଆଯିବ

ଭୁବନେଶ୍ବର : ୨୦୨୫ ସୁଦ୍ଧା ଓଡ଼ିଶା ଡାଟା ସେଣ୍ଟର ହବ୍‌ରେ ପରିଣତ ହେବ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସଂସ୍ଥା ଯେପରି ଓଡ଼ିଶାରେ ସେମାନଙ୍କର ଡାଟା ସେଣ୍ଟର ସ୍ଥାପନ କରିବେ, ନାମୀଦାମୀ ଆଇଟି କମ୍ପାନିର ଶାଖା ଏଠାରେ ଖୋଲିବା ସହ ଅଧିକରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇବେ ସେନେଇ ରାଜ୍ୟ ସରକାର ବ୍ୟାପକ ପ୍ରୋତ୍ସାହନ ଯୋଗାଇ ଦେବେ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଡାଟା ସେଣ୍ଟର ପଲିସି-୨୦୨୨ ଆଣିଥିବାବେଳେ ରବିବାର ଏହା ଉପରେ କ୍ୟାବିନେଟ୍ ମୋହର ବାଜିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସୋମାର ଦିନ ବିଧାନସଭାରେ ରବିବାର ବସିଥିବା କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ନେଇ ବିସ୍ତୃତ ସୂଚନା ଦେଇଥିଲେ।

ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଡାଟା ସେଣ୍ଟର ପାର୍କ ଭିତ୍ତିଭୂମିର ଉନ୍ନତି ନିମନ୍ତେ ସ୍ଥାୟୀ ପୁଞ୍ଜି ବିନିଯୋଗ ଉପରେ ୨୫% ରିହାତି ଦେବେ। ଇଡ୍‌କୋ ଦ୍ବାରା ରିହାତି ମୂଲ୍ୟରେ ଜମି ଯୋଗାଇ ଦିଆଯିବ। ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ଦେୟ ଶତ ପ୍ରତିଶତ ଛାଡ଼ କରାଯିବ। ବିଦ୍ୟୁତ ଶୁଳ୍କ ୫ବର୍ଷ ନିମନ୍ତେ ଶତପ୍ରତିଶତ ପ୍ରତିପୂର୍ତ୍ତି କରାଯିବ। ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାରୁ ଦୀର୍ଘ ମିଆଦି ଋଣ ଉପରେ ୭ବର୍ଷ ନିମନ୍ତେ ସୁଧର ୫% ସର୍ବାଧିକ ୨୫କୋଟି ରିହାତି ଯୋଗାଇ ଦିଆଯିବ।
ସେହିପରି ଡାଟା ସେଣ୍ଟରଗୁଡ଼ିକୁ ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ ସେମାନଙ୍କ ପୁଞ୍ଜିନିବେଶର ୨୦% (ସର୍ବାଧିକ ୨୫କୋଟି ଟଙ୍କା) ଯୋଗାଇ ଦିଆଯିବ। ବିଦ୍ୟୁତ ଶୁଳ୍କ ଓ ପରିଦର୍ଶନ ଶୁଳ୍କ ୧୦ବର୍ଷ ନିମନ୍ତେ ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ପାୱାର ବିଲ୍‌ ପାଇଁ ୫ବର୍ଷ ପର୍ଯ୍ୟନ୍ତ ୩୦% ଛାଡ଼ କରାଯିବ ଓ ବିଦ୍ୟୁତ ଅଡିଟ୍ ମୂଲ୍ୟ ବାବଦରେ ୭୫% (ସର୍ବାଧିକ ୨ଲକ୍ଷ ଟଙ୍କା) ପ୍ରତିପୂର୍ତ୍ତି କରାଯିବ। ୭ବର୍ଷ ପର୍ଯ୍ୟନ୍ତ ଯୋଗ୍ୟ ଡାଟା ସେଣ୍ଟରକୁ ଶତପ୍ରତିଶତ ନେଟ୍ ଜିଏସ୍‌ଟି ପ୍ରତିପୂର୍ତ୍ତି କରାଯିବ।

ସବୁଠୁ ବଡ଼ ନିଷ୍ପତ୍ତି ହେଉଛି, ଯଦି ଡାଟା ସେଣ୍ଟରରେ ଓଡ଼ିଶାରେ ବାସ କରୁଥିବା ଲୋକ ନିଯୁକ୍ତି ପାଇବେ ତେବେ ପ୍ରତି ବ୍ୟକ୍ତି ପାଇଁ ସରକାର ୮ହଜାର ଟଙ୍କା ଲେଖାଏଁ (ସର୍ବାଧିକ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତି ଡାଟା ସେଣ୍ଟରକୁ) ୩ବର୍ଷ ପା‌ଇଁ ଯୋଗାଇଦେବେ। ମହିଳା, ଅନୁସୂଚିତ ଜାତି/ଜନଜାତି, ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ୨ହଜାର ଟଙ୍କା ଯୋଗାଇ ଦେବେ। ଏହି ନୀତି ଗେଜେଟ୍ ବିଜ୍ଞପ୍ତି ଠାରୁ ୫ବର୍ଷ ପର୍ଯ୍ୟନ୍ତ ବା ଅନ୍ୟ ଏକ ନୂତନ ନୀତି ପ୍ରଣୟନ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଅପରପକ୍ଷେ ଗ୍ରିଡ଼କୋର ସରକାରୀ ଋଣ ତଥା ଏହାର ସୁଧ ବାବଦକୁ ୩୧.୧୨.୨୦୨୧ ପର୍ଯ୍ୟନ୍ତ ମୋଟ୍‌ ଦେୟ ୨୦୩୯.୬୯କୋଟି ଟଙ୍କାକୁ ସରକାରୀ ମୂଳଧନରେ ପରିବର୍ତ୍ତନ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ସେହିପରି ରାଜ୍ୟରେ ନିର୍ମା‌ଣାଧୀନ ୧୦ଟି ଶକ୍ତି ସଂରକ୍ଷଣ ପ୍ରକଳ୍ପର ୩୦% ସରକାରୀ ଅଂଶଧନ ବାବଦକୁ ୧୪୦କୋଟି ପ୍ରଦାନ କରିବା, ଓଡ଼ିଶା ସୂଚନା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ ୧୯୯୫ ଏବଂ ଓଡ଼ିଶା ସୂଚନା ସେବା (କନିଷ୍ଠ ବର୍ଗ) (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ ୨୦୦୯ ପରିବର୍ତ୍ତେ ଏକକ ଓଡ଼ିଶା ସୂଚନା ସେବା ନିୟମାବଳୀ ୨୦୨୨ ପ୍ରଣୟନ କରିବା, ମେଡିକାଲ ଅମ୍ଳଜାନର ରିଫିଲିଂ ଏବଂ ପୁନଃ ପ୍ୟାକେଜିଂକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୬ରେ ସଂଶୋଧନ, ଓଡ଼ିଶା ଯାନ୍ତ୍ରିକ ସେବା ଆଇନ-୨୦୨୧ରେ ରେ ଆବଶ୍ୟକୀୟ ସଂଶୋଧନ କରି ଅଧୀକ୍ଷଣ ଯନ୍ତ୍ରୀ ପଦବି ବଦଳରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଦବି ସୃଷ୍ଟି କରିବା ସହ ଯାନ୍ତ୍ରିକ ପଦବି ସଂଖ୍ୟା ୧୪୭ରୁ ୧୯୦କୁ ବୃଦ୍ଧି କରିବା, ରାଜ୍ୟର କୃଷକମାନଙ୍କ ଆୟ ବୃଦ୍ଧି ଓ ଅଣୁ ଜଳସେଚନର ବ୍ୟବସ୍ଥା ପାଇଁ ୨୫୫କୋଟି ବ୍ୟୟ ପ୍ରସ୍ତାବ, କାଳିଆ ଯୋଜନାକୁ ୨୦୨୧-୨୨ରୁ ୨୦୨୩-୨୪ ପର୍ଯ୍ୟନ୍ତ ବଢ଼ାଯାଇଥିବାବେଳେ ଏଥିପାଇଁ ୫୯୩୩.୩୧ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି।

ଏହାବାଦ୍ କୃଷି ପରିସଂଖ୍ୟାନ ଶାଖାରେ ଦକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ପ୍ରସ୍ତୁତ ଓଡ଼ିଶା କୃଷି ପରିସଂଖ୍ୟାନ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ଚାକିରି ସର୍ତ୍ତାବଳୀ) ନିୟମାବଳୀ-୨୦୨୨,ଓଡ଼ିଶା ସମୀକ୍ଷକ ବର୍ଗର ପୁର୍ନଗଠନ, ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ଓଡ଼ିଶା ଆର୍ଥିକ ଦାୟିତ୍ବ ଏବଂ ବଜେଟ୍ ପରିଚାଳନା ଅଧିନିୟମ-୨୦୦୫ରେ ସଂଶୋଧନ, ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମାର ଅବଧି ୬ବର୍ଷରୁ ୬ବର୍ଷ ୬ମାସକୁ ବଢ଼ାଇବା, ବିଭିନ୍ନ ସରକାରୀ ଚାକିରିରେ ବିନାଦେୟ ଆବେଦନ କରିବା ଏବଂ ନିଯୁକ୍ତି ପ୍ରକ୍ରିୟା ଅଂଶଗ୍ରହଣ କରିବା ନିୟମାବଳୀ, ଓଡ଼ିଶା ବେସାମରିକ ସେବା (ପଦୋନ୍ନତି ମାନଦଣ୍ଡ) ନିୟମାବଳୀ-୧୯୯୨ରେ ସଂଶୋଧନ, ୱାର୍ଡରମାନଙ୍କ ପ୍ରତ୍ୟେକ୍ଷ ନିଯୁକ୍ତି ଏବଂ ପଦୋନ୍ନତି ନିମନ୍ତେ ନୂତନ ଓଡ଼ିଶା ଅଧସ୍ତନ କାରାଗାର ସେବା ନିୟମାବଳୀ-୨୦୨୨କୁ ପ୍ରଣୟନ କରିବା, ଓଡ଼ିଶା ରାଜ୍ୟ ଅତିଥି ଭବନ କର୍ମଚାରୀ ନିଯୁକ୍ତି, ପଦୋନ୍ନତି ଏବଂ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ,ଓଡ଼ିଶା ନିର୍ଦ୍ଦିଷ୍ଟ ଲଘୁ ଖଣିଜ ଉତ୍ସ ନିଲାମ ନିୟମ-୨୦୧୯ରେ ଆବଶ୍ୟକୀୟ ସଂଶୋଧନ, ଓଏମ୍‌ଏମ୍‌ସି ରୁଲ୍‌ସ-୨୦୧୬ରେ ଆବଶ୍ୟକୀୟ ସଂଶୋଧନ, କୋଭିଡ-୧୯ ମହାମାରୀ ସମୟରେ ପିଲାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ‘ବିଜୁ ଶିଶୁ ସୁରକ୍ଷା ଯୋଜନା’ ଅଧିନରେ ଉପଯୋଜନା ଭାବେ ‘ଆଶୀର୍ବାଦ’ ଯୋଜନାର ପ୍ରଚଳନ, ସମଲେଇ ଯୋଜନା ପାଇଁ ୟୁଆର୍‌ସି କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡର ୧୧୪କୋଟି ୨୦ଲକ୍ଷ ଟଙ୍କାର ସର୍ବନିମ୍ନ ବିଡ୍‌କୁ ଅନୁମୋଦନ, ଅବଢ଼ା ଯୋଜନାରେ ପୁରୀର ବିକାଶ ପାଇଁ ବି.ସି ଭୂୟାଁ କନଷ୍ଟ୍ରକସନ୍‌ସ ପ୍ରାଇଭେଟ ଲିମିଟେଡର ୧୦୨କୋଟି ୪୦ଲକ୍ଷ ଟଙ୍କାର ସର୍ବନିମ୍ନ ବିଡ୍‌, ଭବାନିପାଟଣାରେ ୬୫୦ଶଯ୍ୟା ବିଶିଷ୍ଟ ଏକ ସରକାରୀ ଭେଷଜ ସରକାରୀ ଚିକିତ୍ସାଳୟ ସ୍ଥାପନ ପାଇଁ ଆଇରନ୍‌ ଟ୍ରାଏଙ୍ଗେଲ୍ ଲିମିଟେଡର ୧୬୧.୧୫କୋଟି ଟଙ୍କାର ସର୍ବନିମ୍ନ ବିଡ୍‌ ଭଳି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି।

ସମ୍ବନ୍ଧିତ ଖବର