ସ୍ବାଧୀନତାର ଶତବାର୍ଷିକୀରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଗତ ୭୫ବର୍ଷ ଭିତରେ ଦେଶ ଅନେକ ମାଇଲଖୁଣ୍ଟ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ ଓ କାରିଗରୀ, ଶିଳ୍ପ, ଗବେଷଣା ଆଦି କ୍ଷେତ୍ରରେ ଦେଶ ଆଜି ଆଗୁଆ ଦେଶମାନଙ୍କ ସହିତ ପ୍ରତିଯୋଗିତା କରୁଛି। ଆଉ ୨୫ବର୍ଷ ପରେ ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ। ଏଥିପାଇଁ ବର୍ତମାନଠାରୁ ପ୍ରସ୍ତୁତ ହେବାକୁ ହେବ। ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିବ ବୋଲି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍ବାଧୀନତା ଦିବସ ଅବସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପରେଡ୍ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶର ବିକାଶ ସହିତ ତାଳ ଦେଇ ଓଡ଼ିଶା ଆଗେଇ ଚାଲିଛି। ୭୫ବର୍ଷରେ ରାଜ୍ୟ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରି ଦେଶକୁ ରାସ୍ତା ଦେଖାଇଛି। ରାଜ୍ୟରେ ଏବେ ରୂପାନ୍ତୀକରଣର ନୂଆ ଯୁଗ ଆରମ୍ଭ ହୋଇଛି। ରାଜ୍ୟର ସଫଳତା ଅନ୍ୟମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି। ଏକ ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ ପାଲଟିବା, ବିପର୍ଯ୍ୟୟ ପରିଚାଳନାରେ ବିଶ୍ବ ପାଇଁ ଆଦର୍ଶ ସୃଷ୍ଟି କରିବା, କ୍ରୀଡ଼ା ହବ୍ ଭାବେ ପରିଚୟ ଓ ୭୦ଲକ୍ଷ ମା’ମାନଙ୍କୁ ସଶକ୍ତ କରିବା ଆଦି ଓଡ଼ିଶାର ଜୟଯାତ୍ରାର ପ୍ରତୀକ।

ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ବ ଦେଉଛନ୍ତି। ବିଦ୍ୟାଳୟ ରୂପାନ୍ତୀକରଣ, ଗୁଣାତ୍ମକ ଶିକ୍ଷାର ପ୍ରତିଶ୍ରୁତି ବହନ କରୁଛି। ଗାଁରେ ପ୍ରତିଭାସଂପନ୍ନ ପିଲାଙ୍କ ପାଇଁ ଆରମ୍ଭ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍ ଲୋକପ୍ରିୟ‌ ହୋଇଛି। କୋଟିଆରୁ ଆରମ୍ଭ କରି ଭୁ‌ବନେଶ୍ବର ଆଇକନିକ୍ ଓଏଭି ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ୧ଲକ୍ଷ ପିଲା ପାଠ ପଢ଼ୁଛନ୍ତି। ୫ହଜାର ବାଳିକା ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ବ୍ୟବସ୍ଥା କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲାରେ ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ୩ହଜାର ସ୍ମାରକୀ ସ୍ଥାପନ କରାଯାଇଛି। ଖାଦ୍ୟ ସୁରକ୍ଷା ପରେ ପୋଷଣ ସୁରକ୍ଷା ସରକାରଙ୍କ ପ୍ରମୁଖତାରେ ରହିଛି। ମିଲେଟ୍‌ ମିସନ୍ ରାଜ୍ୟର ୧୯ଟି ଜିଲ୍ଲାକୁ ସଂପ୍ରସାରିତ ହୋଇଛି। ଏଥିପାଇଁ ୨ହଜାର ୮ଶହ କୋଟି ଟଙ୍କା ଖର୍ଚ ହେବ। ରାଜ୍ୟରେ ଥିବା ଜନଜାତିଙ୍କ ବିକାଶ ଓ ସେମାନଙ୍କ ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ବହୁତ ଭଲ କାମ କରିଛି। ରାଜ୍ୟର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ ଦେଶବିଦେଶରେ ସୁନାମ ଅର୍ଜନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର