ଭୁବନେଶ୍ବର: ଆଗାମୀ ଦିନରେ ମହିଳା ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ହେବ। ତେଣୁ ରାଜ୍ୟରେ ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ ଶୂନ୍ୟ ସହନଶୀଳ ନୀତିରେ ଆମକୁ ଯେକୌଣସି ସ୍ତରକୁ ଯାଇ କାର୍ଯ୍ୟ କରିବାକୁ ପଡ଼ିବ। ସେହିପରି ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସିସି ଟିଭି ଲଗାଯିବ। ଏଥିପାଇଁ ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ପୁଲିସ ଭବନରେ ଅନୁଷ୍ଠିତ ଦିନିକିଆ କର୍ମଶାଳାକୁ ଉଦ୍ଘାଟନ କରି ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଏହା କହିଛନ୍ତି। ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ ବିଭିନ୍ନ ସମୟରେ ମହିଳାମାନେ ଦୁଷ୍କର୍ମ, ଯୌନ ଅତ୍ୟାଚାର, ଘରୋଇ ହିଂସା ଓ ସାଇବର ଅପରାଧର ଶିକାର ହେଉଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଏହାକୁ ରୋକିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ଏସ୍ପି ପର୍ଯ୍ୟନ୍ତ ଅଧିକାରୀଙ୍କୁ ଯତ୍ନଶୀଳ ହେବାକୁ ଶ୍ରୀ ଖୁରାନିଆ ପରାମର୍ଶ ଦେଇଥିଲେ।
ଦୋଷୀସାବ୍ୟସ୍ତ ହାର ବଢ଼ାଇବାକୁ ଗୁରୁତ୍ବ
ତଦନ୍ତ ଓ ଚାର୍ଜସିଟ୍ ଦାଖଲ ଠିକ୍ ସମୟରେ କର
ରାଜ୍ୟରେ ଥିବା ୫୩୭ଟି ଥାନାର ‘ମହିଳା ଓ ଶିଶୁ ଡେସ୍କ’କୁ ଅଧିକ କ୍ରିୟାଶୀଳ କରିବାକୁ ହେବ। ଓଡ଼ିଶାରେ ଦଣ୍ଡାଦେଶ ହାର ମାତ୍ର ୯.୧% ରହିଛି। ଉପଯୁକ୍ତ ପ୍ରଶିକ୍ଷଣ ଏବଂ ପୀଡ଼ିତାଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ବ୍ୟବହାର ଦ୍ୱାରା ଦଣ୍ଡାଦେଶ ହାରକୁ ବୃଦ୍ଧି କରିବାକୁ ସେ କହିଥିଲେ। ସେହିପରି ମହିଳା ଓ ଶିଶୁ ଚାଲାଣ ରୋକିବା ତଥା ନିଖୋଜ ଥିବା ମହିଳା ଓ ଶିଶୁଙ୍କୁ ଠାବ କରିବା ପାଇଁ ୩୭ଟି ମାନବଚାଲାଣ ବିରୋଧୀ ୟୁନିଟ୍ ସ୍ଥାପନ କରାଯାଇଛି। ମହିଳାଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ପାଇଁ ରାଜ୍ୟର ୧୦୦ରୁ ଅଧିକ ଥାନାରେ ମହିଳା ଅଧିକାରୀଙ୍କୁ ଥାନାର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ଡିଜି ଶ୍ରୀ ଖୁରାନିଆ କହିଛନ୍ତି।
ଡିଜିପି କ୍ରାଇମ୍ବ୍ରାଞ୍ଚ ବିନୟତୋଷ ମିଶ୍ର ମହିଳା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ସଙ୍ଗିନ ମାମଲା ଗୁଡ଼ିକରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ୧୩ଟି ଜିଲ୍ଲାର ଏସ୍ପି, ତଦନ୍ତକାରୀ ଅଧିକାରୀ, ତଦାରଖ ଅଧିକାରୀ ଓ ସରକାରୀ ଓକିଲଙ୍କୁ ଡିଜିପି ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ମାମଲାରେ ମାତ୍ର ୫୫ ଦିନରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିଲା। ସେହିପରି, ବାଲେଶ୍ୱର ଜିଲ୍ଲା ରେମୁଣା ଥାନାର ଏକ ମାମଲାରେ ୬୭ ଦିନରେ ଓ ସିଂଗଲା ଥାନାରେ ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ମାତ୍ର ୧୦୪ଦିନ ମଧ୍ୟରେ ଅଭିଯୁକ୍ତକୁ ଦଣ୍ଡାଦେଶ ହୋଇପାରିଛି। ଏହିପରି ୧୩ଟି ଦୁଷ୍କର୍ମ ମାମଲା ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ତିନିଟି, ଯାଜପୁର, କେନ୍ଦ୍ରାପଡ଼ା ଓ ବ୍ରହ୍ମପୁରର ଦୁଇଟି ଏବଂ ଝାରସୁଗୁଡ଼ା, ମୟୂରଭଞ୍ଜ, ଜଗତସିଂହପୁର, ଗଞ୍ଜାମ ଜିଲ୍ଲାରେ ଗୋଟିଏ ଲେଖାଏଁ ମାମଲାରେ ଅଭିଯୁକ୍ତଙ୍କୁ ଅଳ୍ପ ଦିନ ମଧ୍ୟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଅଜିର ଏହି ସମ୍ମିଳନୀରେ ଉତ୍ତରପ୍ରଦେଶ ଡିଜିପି ରେଣୁକା ମିଶ୍ର, ଡ. ମିତାଲି ଚିନ୍ନାରା, ପ୍ରଫେସର ସୁମନ ଦାସ ଭଟ୍ଟମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଡ. ସୁଜାତା ମିଶ୍ର, ମହିଳା ଓ ଶିଶୁ ବିଭାଗ ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଆଇଜି ଏସ୍ ସାଇନି ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଜି କ୍ରାଇମବ୍ରାଞ୍ଚ ଡ. ସାର୍ଥକ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।