ଆନ୍ଧ୍ର ଚକ୍ରାନ୍ତକୁ ପଣ୍ଡ କରିବ ଓଡ଼ିଶା, ବିକାଶ ଉପରେ କୋରାପୁଟ ପ୍ରଶାସନର ଗୁରୁତ୍ବ

ଓଡ଼ିଶା ପକ୍ଷରୁ ପାଳନ ହେବ ସ୍ବାଧୀନତା ଦିବସ

ଆନ୍ଧ୍ର ଏଜେଣ୍ଟଙ୍କ ଚିନ୍ତା ବଢ଼ିଲା, ଚିଠି ଲେଖିଲେ

ପଟାଙ୍ଗି/କୋରାପୁଟ : କୋଟିଆର ବିକାଶ କରୁଛନ୍ତି ଓଡ଼ିଶା ସରକାର। ବହୁ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। କିଛି ପ୍ରକଳ୍ପ କାର୍ଯ୍ୟ ଅଧାଅଧି ସରିଥିବା ବେଳେ ତାହାକୁ ଏବେ ତ୍ବରାନ୍ବିତ କରାଯାଇଛି। ଯଦି ଏହି ଧାରାରେ କାମ ଚାଲିବ ତେବେ ଆନ୍ଧ୍ର ହଜାରେ ଥର ପ୍ରୟାସ କଲେ ବି ଆଉ କୋଟିଆକୁ ଅକ୍ତିଆର କରିପାରିବନାହିଁ। ଲୋକେ ବି ଆଉ ପ୍ରଲୋଭିତ ହେବେନାହିଁ କିମ୍ବା ଆନ୍ଧ୍ରକୁ ସମର୍ଥନ ଜଣାଇବେ ନାହିଁ। କୋଟିଆରେ ରହୁଥିବା ଆନ୍ଧ୍ରର ଜଣେ ଏଜେଣ୍ଟ ଏମିତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆନ୍ଧ୍ରର ପାର୍ବତୀପୁରମ ପ୍ରଶାସନକୁ ଚିଠି ଲେଖି ଏଭଳି ଚିନ୍ତା ପ୍ରକଟ କରି କିଛି ପରାମର୍ଶ ମଧ୍ୟ ଦେଇଛନ୍ତି। ଏଥିରୁ କୋଟିଆରେ ଓଡ଼ିଶାର ପଦକ୍ଷେପକୁ ନେଇ ଏବେ ଆନ୍ଧ୍ର ଛାନିଆ ହୋଇଥିବା ସ୍ପଷ୍ଟ ସଂକେତ ମିଳୁଛି।

ବିବାଦୀୟ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର ଗାଁକୁ ଆନ୍ଧ୍ର ଗଞ୍ଜେଇଭଦ୍ରା ବୋଲି ନାମକରଣ କରିଛି। ଏହାକୁ ପଞ୍ଚାୟତର ମାନ୍ୟତା ଦେଇଥିବାବେଳେ ଏଠାରେ ପୂର୍ବତନ ସରପଞ୍ଚ ଗେମେଲ ଦିବାକରଙ୍କୁ ଏଜେଣ୍ଟ ଭାବେ ନିଯୁକ୍ତି ଦେଇଛି। ଏଠାକାର ଭଲମନ୍ଦ ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କୁ ଜଣାଉଛନ୍ତି ଦିବାକର। ତେବେ ସଦ୍ୟ ସେ ପାର୍ବତୀପୁରମ ପିଓ ଆଇଟିଡିଏଙ୍କୁ ଲେଖିଥିବା ଚିଠିରୁ ଆନ୍ଧ୍ର ପାଇଁ ଚିନ୍ତା ବଢ଼ୁଥିବା ଜଳଜଳ ହୋଇ ଦେଖାଯାଉଛି। ଉକ୍ତ ଚିଠିରେ ସେ ଓଡ଼ିଶା ସରକାର କରିବା ପୂର୍ବରୁ ଆନ୍ଧ୍ର ସୀମାନ୍ତରେ ଏକ ସରକାରୀ ଆବାସିକ ଆଦିବାସୀ ମହାବିଦ୍ୟାଳୟ ଖୋଲିବାକୁ ନିବେଦନ କରିଛନ୍ତି। ସେହିପରି ଉଚ୍ଚଶିକ୍ଷା ନିମନ୍ତେ ସାଲୁର ନିକଟସ୍ଥ ପିକନାବାଲା ଗାଁରେ ରହିଥିବା ଆବାସିକ କଲେଜରେ ସୀମାନ୍ତ ଅଞ୍ଚଳର ପିଲାଙ୍କ ପାଇଁ ୪୦ପ୍ରତିଶତ ସିଟ୍‌ ସଂରକ୍ଷିତ ରଖିବାକୁ ଦାବି କରିଛନ୍ତି। ଏହାବ୍ୟତୀତ ବାଳିକାଙ୍କ ଉଚ୍ଚଶିକ୍ଷା ନିମନ୍ତେ ବି ଗୋଟିଏ କଲେଜ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ପୂରା ଚିଠିରେ ଶିକ୍ଷାକୁ ହିଁ ଗୁରୁତ୍ବ ଦେଇଥିବା ବେଳେ ତେଲୁଗୁ ଭାଷାରେ ଶିକ୍ଷା ଦେଇ ଭାଷା ଭିତ୍ତିରେ ବିଭାଜନ ପାଇଁ ରହିଥିବା ଷଡ଼ଯନ୍ତ୍ର ସ୍ପଷ୍ଟ ରୂପେ ବାରି ହୋଇଯାଉଛି।

ଅପରପକ୍ଷରେ କୋଟିଆର ୨୨ଗାଁରେ ତେଲୁଗୁ ସୂଚନା ଫଳକ ଏବଂ ସ୍ବାଧୀନତା ଦିବସ ପାଳନ ନେଇ ଚାଲିଥିବା ଚକ୍ରାନ୍ତକୁ ଭଣ୍ଡୁର କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ବି ରଣନୀତି ପ୍ରସ୍ତୁତ କରି ସାରିଲାଣି। ଏଥିପାଇଁ କୋରାପୁଟ ଜିଲ୍ଲାପାଳ ଅବଦଲ୍ ଏମ୍‌. ଅଖତରଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ତଥା ରୁଦ୍ଧଦ୍ବାର ବୈଠକ ବସିଥିଲା। ଏହି ବୈଠକରେ କ’ଣ ଆଲୋଚନା ହେଲା ସେ ସଂପର୍କରେ ପ୍ରଶାସନ କିଛି ସ୍ପଷ୍ଟ ସୂଚନା ଦେଇନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ବାଧୀନତା ଦିବସ ପାଳନ ସଂପର୍କରେ ହିଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ୧୪ତାରିଖ ରାତିରୁ ହିଁ ପ୍ରଶାସନିକ ଅଧିକାରୀ କୋଟିଆରେ ପହଞ୍ଚିବେ ଏବଂ ପ୍ରତି ଗାଁରେ ଯେମିତି ଧୁମଧାମରେ ସ୍ବାଧୀନତା ଦିବସ ପାଳନ ହେବ ସେଥିନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି। ସେହିପରି କୋଟିଆର ବିକାଶ ସଂପର୍କରେ ସମୀକ୍ଷା କରି ବାକି ରହିଥିବା ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ବୈଠକରେ କୁହାଯାଇଥିଲା। କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ମଧ୍ୟ ସହଯୋଗୀଙ୍କ ସହ କୋଟିଆ ପଞ୍ଚାୟତର ପ୍ରତି ଗାଁରେ ଜାତୀୟ ପତାକା ଉଡ଼ାଇବା ପାଇଁ ଯୋଜନା କରିଥିବା ସୂଚନା ମିଳିଛି। ପୂର୍ବରୁ ଶ୍ରୀ ପରିଡ଼ାଙ୍କ ନେତୃତ୍ବରେ କୋଟିଆରେ ଓଡ଼ିଶା ଦିବସ ପାଳନ କରାଯାଇଥିଲା।

କୋଟିଆ ପ୍ରସଙ୍ଗରେ କୋରାପୁଟ ଜିଲ୍ଲା ପ୍ରଶାସନ ନିଜ ଅଭିମୁଖ୍ୟ ସ୍ପଷ୍ଟ କରିଛି। ଆଉ ଅନୁପ୍ରବେଶ କରିବାକୁ ଦିଆଯିବ ନାହିଁ। ଯୋଜନାବଦ୍ଧ ଭାବେ କୋଟିଆର ବିକାଶ ବିକାଶ ସହ ଜନସମର୍ଥନକୁ ଆଧାର କରି ଆନ୍ଧ୍ର ବିରୋଧରେ ଲଢ଼େଇକୁ ଜୋରଦାର କରିବାକୁ ନୀତି ନିର୍ଦ୍ଧାରଣ କରାଯାଇଛି। ଏବେ ଦେଖିବାକୁ ବାକି ରହିଲା ସ୍ବାଧୀନତା ଦିବସ ଦିନ କୋଟିଆ ମଇଦାନରେ କିଏ ବାଜିମାତ୍‌ କରୁଛି।

ସମ୍ବନ୍ଧିତ ଖବର