ପାଇକ ବିଦ୍ରୋହର ଗାଥାକୁ ନିଖୁଣ ଭାବେ ଦେଖାଇ ପ୍ରଥମ ହେଲା ନୃତ୍ୟ ନୈବେଦ୍ୟ, ପୁରସ୍କାର ଘୋଷଣା କଲେ ସାଂସଦ ସୋନାଲ ମାନସିଂହ

ଭୁବନେଶ୍ୱର: ପୁଣି ସର୍ବଭାରତୀୟ ସ୍ତରରେ ଓଡ଼ିଶା ଆଣିଲା ସୁନାମ । ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶୀ ନୃତ୍ୟ । ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥାକୁ ଓଡ଼ିଶୀ ଛାନ୍ଦରେ ପରିବେଷଣ କରି ପ୍ରଥମ ପୁରସ୍କାର ହାତେଇଛି ଭୁବନେଶ୍ୱରର ନୃତ୍ୟ ନୈବେଦ୍ୟ । ପୁରସ୍କାର ବାବଦକୁ ୧ ଲକ୍ଷ ୨୫ ହଜାର ଟଙ୍କା ଘୋଷଣା କରିଛନ୍ତି ସିଆଇସିଡିର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ. ସୋନାଲ ମାନସିଂହ ।

ତେବେ ପ୍ରଥମ ପୁରସ୍କାର ନେଇ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଭାତ ସ୍ୱାଇଁ ସୂଚନା ଦେଇଥିବା ବେଳେ ନୂଆଦିଲ୍ଲୀରେ ଏହି ପୁରସ୍କାର ଘୋଷଣା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ଲୁଚି ଯାଉଥିବା ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଦୀର୍ଘ ଦିନ ହେବ ସେଣ୍ଟର ଫର ଇଣ୍ଡିଆନ କ୍ଲାସିକାଲ ଡ୍ୟାନ୍ସ କାମ କରି ଆସୁଥିବା ବେଳେ ଚଳିତ ଥର ୭୫ ବର୍ଷ ପୂରଣ କରିଛି । ୭୫ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାଟାଗୋରୀରେ ନୃତ୍ୟ ଭିଡିଓ ଆହ୍ୱାନ କରାଯାଇଥିଲା । ଅନସଙ୍ଗ ହିରୋ ଅଫ ଇଣ୍ଡିଆ ଥିମରେ ନୃତ୍ୟ ନୈବେଦ୍ୟ ପାଇକ ବିଦ୍ରୋହର କାହାଣୀ ଭରା ଭିଡିଓ ପଠାଇଥିଲେ । ଦେଶର ଅନେକ ସ୍ଥାନରୁ ୨୦୦ରୁ ଅଧିକ ଭିଡିଓ ଆସିଥିବା ବେଳେ ଓଡ଼ିଶାର ଭିଡିଓ ପ୍ରଥମ ସ୍ଥାନ ଅଧିକାର କରିଛି ।

୧୫ରୁ ୩୦ ବର୍ଷ ବୟସ ଭିତରେ ଏହି ପ୍ରତିଯୋଗିତା ହେଉଥିବା ବେଳେ ଭୁବନେଶ୍ୱର ଧଉଳି ପାହାଡରେ ନୃତ୍ୟ ଭିଡିଓ ସୁଟ୍ କରାଯାଇଛି । ତେବେ କରୋନା କଟକଣା ପାଇଁ ପୁରସ୍କାର ଉତ୍ସବକୁ ଭର୍ଚୁଆଲ ପ୍ଲାଟଫର୍ମରେ କରାଯାଇଛି ।

ସମ୍ବନ୍ଧିତ ଖବର