ଭୁବନେଶ୍ୱର : ଓଡ଼ିଶାକୁ ସମ୍ମାନଜନକ ଜିଓ ସ୍ପାସିଆଲ୍ ଏକ୍ସେଲେନ୍ସ ପୁରସ୍କାର, ୨୦୧୮ ମିଳିଛି। ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ପରିବହନ କ୍ଷେତ୍ରରେ ଭୂକୈନ୍ଦ୍ରିକ ବୈଷୟିକ କୌଶଳ ପ୍ରୟୋଗ କରି ଖଣିଜ ପଦାର୍ଥର ଚୋରା କାରବାର ଉପରେ ଅଙ୍କୁଶ ଲଗାଇବାରେ ସଫଳତା ହାସଲ କରିଥିବାରୁ ଏଭଳି ପୁରସ୍କାର ହାସଲ କରିଛି ରାଜ୍ୟ। ନିକଟରେ ହାଇଦ୍ରାବାଦ୍ରେ ଅନୁଷ୍ଠିତ ଜିଓ ସ୍ପାସିଆଲ୍ ଓ୍ଵାର୍ଲ୍ଡ ଫୋରମ ସମ୍ମିଳନୀରେ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଓ୍ଵାଇ.ଏସ୍. ଚୌଧରୀ ଏହିି ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର(ଓର୍ସାକ୍)ର ବରିଷ୍ଠ ବୈଜ୍ଞାନିକ ଡ. ପ୍ରଦୀପ୍ତ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ।
ଏହି କୃତିତ୍ୱ ପାଇଁ ଡ. ମିଶ୍ର ଏବଂ ଖଣି ଓ ଇସ୍ପାତ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅଭିନନ୍ଦନ ଜଣାଇଛନ୍ତି। ଜିପିଏସ୍ ସଂଯୋଜିତ ଏହି ଆଇ-୩ଏମ୍ଏସ୍ ସଫ୍ଟେଓ୍ଵରକୁ ଓର୍ସାକ୍ ବୈଜ୍ଞାନିକମାନେ ଖଣି ଓ ଇସ୍ପାତ ବିଭାଗ ପ୍ରମୁଖ ସଚିବ ରାଜକୁମାର ଶର୍ମା, ଖଣି ନିର୍ଦେଶକ ଦୀପକ ମହାନ୍ତି, ଓର୍ସାକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦିପ୍ ତ୍ରିପାଠୀଙ୍କ ନିର୍ଦେଶନାରେ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ। ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଗତିଶୀଳ ଗାଡ଼ିଗୁଡ଼ିକ ଉପରେ ଜିପିଏସ୍ ଲଗାଇ ଓ୍ଵବ୍ସାଇଟ୍ ସହ ସଂଯୁକ୍ତ କରାଯାଇ ଗତିବିଧି ଉପରେ ପ୍ରତ୍ୟକ୍ଷ ନଜର ରଖାଯାଉଥିବା ଡ. ମିଶ୍ର କହିଛନ୍ତି। ଖଣି ନିର୍ଦେଶକ ଶ୍ରୀ ମହାନ୍ତି କହିଛନ୍ତି ଏହି ଅନ୍ଲାଇନ ସଫ୍ଟେଓ୍ଵର ଖଣିଗୁଡ଼ିକର ଥିବା ୩୯୨ ବୈଦ୍ୟୁତିକ ଓ୍ଵ-ବ୍ରିଜ୍ ଏବଂ ଖଣିଜ ପଦାର୍ଥ ବ୍ୟବହାରକାରୀ ଶିଳ୍ପାନୁଷ୍ଠାନ ସହିତ ସଂଯୁକ୍ତ କରାଯାଇଛି। ଫଳରେ ଖଣିଗୁଡ଼ିକରେ ଚୋରା କାରବାର ବନ୍ଦ କରିବାରେ ସହାୟକ ହେଉଥିବା ସେ ପ୍ରକାଶ କରିଛନ୍ତି।