କେନ୍ଦ୍ରର ପ୍ରସାଦ ଯୋଜନାରୁ ଓଡ଼ିଶା ଓହରିଲା, ପୁରୀକୁ ନେଇ ରାଜନୀତି ବେଶି, କାମ କମ୍‌

ବଲାଙ୍ଗୀର : ଧାର୍ମିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରୁ ଓଡ଼ିଶା ଓହରି ଯାଇଥିବା କଥା ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଭାରତ ସରକାରଙ୍କ ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।

ପୁରୀର ୭ଟି ପ୍ରକଳ୍ପ ଯଥା ତୀର୍ଥ ଯାତ୍ରୀ ସୁବିଧା କେନ୍ଦ୍ର, ଜଗନ୍ନାଥ ଧାମ ସମୁଦ୍ର କୂଳ, ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ, ରାମଚଣ୍ଡୀ ମନ୍ଦିର, ଗୁଣ୍ଡିଚା ମନ୍ଦିର, ପ୍ରାଚୀ ନଦୀ ସାମ୍ନା ଦେଉଳୀ, ମା’ ମଙ୍ଗଳା ମନ୍ଦିରର ବିକାଶ ପାଇଁ ୨୦୧୪-୧୫ ମସିହାରେ ପ୍ରସାଦ ଯୋଜନା ମାଧ୍ୟମରେ ଭାରତ ସରକାରଙ୍କ ପର୍ଯ୍ୟଟନ ବିକାଶ ନିଗମ ଦାୟିତ୍ୱ ନେଇଥିଲା। କିନ୍ତୁ ଗତ ୬ ବର୍ଷ ପରେ ମଧ୍ୟ ତୀର୍ଥ ଯାତ୍ରୀ ସୁବିଧା କେନ୍ଦ୍ର, ଜଗନ୍ନାଥ ଧାମ ସମୁଦ୍ର କୂଳ, ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ଏବଂ ରାମଚଣ୍ଡୀ ମନ୍ଦିର ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଆରମ୍ଭ ହୋଇନଥିବା ଦର୍ଶାଇ ରାଜ୍ୟ ପର୍ଯଟନ ବିଭାଗ କେନ୍ଦ୍ର ସରକାରଙ୍କ ପ୍ରସାଦ ‌ଯୋଜନାରୁ ଓହରି ଯାଇଥିବା କଥା ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ ଭାରତ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ନ. ୫୧୯୦ ଜରିଆରେ ଗତ ଅଗଷ୍ଟ ୧ ତାରିଖରେ ଜଣାଇଛନ୍ତି। ବହୁବାର  ଆଲୋଚନା ହେବା  ପରେ ମଧ୍ୟ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାରମ୍ଭ ନହେବାରୁ ରାଜ୍ୟ ସରକାର ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଚିଠିରେ ଉଲ୍ଲେଖ ରହିଛି।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜନୈତିକ ବିବାଦରେ ଛନ୍ଦି ହୋଇଥିବା ବହୁଚର୍ଚ୍ଚିତ ବଗଲା ଧର୍ମଶାଳାସ୍ଥିତ ଶ୍ରୀ ଜଗନ୍ନାଥ ବିଶ୍ରାମସ୍ଥଳୀ ମଧ୍ୟ ରହିଛି। ଏହା ପୂର୍ବରୁ ଗତ ୩୦ ଅକ୍ଟୋବର ୨୦୧୯ ତାରିଖରେ ଓଡ଼ିଶା ସରକାର କାର୍ଯ୍ୟ ବନ୍ଦ କରିବା ପାଇଁ ଅନୁରୋଧ କରି ଭାରତ ପର୍ଯ୍ୟଟନ ବିକାଶ ନିଗମକୁ ଜଣାଇଥିଲେ। ଦେଶ ଶାସନର ମଙ୍ଗ ଧରିଥିବା ଦଳ ପୁରୀକୁ ନେଇ ଅନେକ କଥା କହୁଥିବା ବେଳେ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶକୁ ନେଇ ଦେଖାଦେଇଥିବା ସମସ୍ୟାକୁ ଦୂର କରିବା ପାଇଁ ପଦକ୍ଷେପ ନନେବା ନକରାତ୍ମକ ରାଜନୀତିର ପରିଚାୟକ ବୋଲି ସୂଚନା କର୍ମୀ ପଣ୍ଡା କହିଛନ୍ତି। ବର୍ତ୍ତମାନ ପୁରୀକୁ ନେଇ ଯେଉଁ ଅନୁପାତରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ବାଦ ବିବାଦ ଓ ବଳ କଷାକଷି ଦେଖାଯାଉଛି ସେହି ଅନୁପାତରେ ବିକାଶ କାର୍ଯ୍ୟ ହେଉନଥିବା ପ୍ରସାଦ ଯୋଜନାରୁ ରାଜ୍ୟ ଓହରିଯିବା ପରେ ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର